Home ଓଡ଼ିଶା ପଡୋଶୀ ରାଷ୍ଟ୍ର ଆକ୍ରମଣର କାରଣ : ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ବଳତା

ପଡୋଶୀ ରାଷ୍ଟ୍ର ଆକ୍ରମଣର କାରଣ : ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ବଳତା

567

– ପଙ୍କଜ କୁମାର ପାଣିଗ୍ରାହୀ

ଆଦି କାଳରୁ ରାଜାରାଜୁଡାଙ୍କ ସାମ୍ରାଜ୍ୟ ବିସ୍ତାର ନୀତି ଏବଂ ପରାକ୍ରମୀ ରାଜାଙ୍କ ଦୁର୍ବଳ ରାଷ୍ଟ୍ର ଗୁଡିକ ଉପରେ ଆକ୍ରମଣ କରି କବଳିତ କରିବାର ଅନେକ ଅଧ୍ୟାୟ ବିଶ୍ୱ ଇତିହାସରେ ବର୍ଣ୍ଣନା କରାଯାଇଥିବା ସମସ୍ତଙ୍କୁ ଗୋଚର। ଏହିସବୁ ଘଟଣା ପ୍ରତ୍ୟାସିତ ଭାବେ କରାଯାଇ ନିଜର ସାମ୍ରାଜ୍ୟ ବିସ୍ତାର ପୂର୍ବକ ବିଶାଳ ଅଖଣ୍ଡ ଭୂପତି ହେବା ସ୍ୱପ୍ନ ସେମାନଙ୍କୁ ଯେମିତି ଘାରୁଥିଲା ଠିକ ଅନୁରୂପ ବିଚାର ଆଜିଦିନରେ ମଧ୍ୟ ଅନେକ କ୍ଷମତାସୀନ ମଣିଷଙ୍କ ଦେଖିବାକୁ ମିଳୁଛି। ହେଲେ ଜଣେ ବ୍ୟକ୍ତିବିଶେଷଙ୍କ ଖ୍ୟାତି ଅର୍ଜନ ପାଇଁ କୋଟି କୋଟି ଧନ, ଜୀବନ ବିପର୍ଯ୍ୟସ୍ତ, ବିନାଶ ହେବାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱିଧା ରହୁନଥିବା ଏବଂ ଦୁର୍ବଳ ରାଷ୍ଟ୍ରର ଅଧିପତିଙ୍କ ଅଚାତୁରୀକ କାର୍ଯ୍ୟକଳାପ ଓ ସ୍ୱାର୍ଥନ୍ୱେଷୀ ଚିନ୍ତାଧାରା ହେତୁ ଏହିଭଳି ଘଟଣା ଘଟିବାକୁ ପ୍ରଶ୍ରୟ ଦେଉଥିବା ବେଳେ ସାଧାରଣ ଜନତାଙ୍କ ଅଜ୍ଞାନତା ମଧ୍ୟ କିଛି କମ ଦାୟୀ ନୁହେଁ ସେସବୁ ପାଇଁ। ବିଡମ୍ବନା ଏହାଯେ ସାଧାରଣ ଲୋକଙ୍କ ଅସାଧାରଣ ଅଜ୍ଞାନତା ହେତୁ ସ୍ଵରାଷ୍ଟ୍ରର ଅମାପ କ୍ଷତି ଘଟି ଚାଲୁଥିବା ବେଳେ ପଡୋଶୀ ରାଷ୍ଟ୍ର ଗୁଡିକର ଲୋଲୁପ ଦୃଷ୍ଟିରେ କବଳିତ ହୋଇ ପରାଧିନତାକୁ ପ୍ରଶ୍ରୟ ଦେଇଥା’ନ୍ତି କିପରି ତର୍ଜମା କରାଯିବାରେ ଆପଣ ମାନଙ୍କର କର୍ତ୍ତବ୍ୟବୋଧତା ବିଚାର ଯୋଗ୍ୟ।

ଦୁର୍ବଳ ରାଷ୍ଟ୍ରର ପରିଚୟ ପାଇବା ପରେହିଁ ପଡୋଶୀ ରାଷ୍ଟ୍ର ନିଜର ପରାକ୍ରମ ପ୍ରଦର୍ଶନ କରିବା ସାହସ କରିଥା’ନ୍ତି। ନିଜଠାରୁ କ୍ଷମତାସୀନ ରାଷ୍ଟ୍ର ଉପରେ ଆକ୍ରମଣ କରିବା ପାଇଁ ଭାବିବା ଦୂରର କଥା, କାଳେ ସେମାନଙ୍କ ଦ୍ୱାରା ଆକ୍ରମିତ ହେବାର ଭୟ ରଖିଥାଏ ପଡୋଶୀ ରାଷ୍ଟ୍ର। ହେଲେ ଦୁର୍ବଳ ରାଷ୍ଟ୍ରର ପରିଚୟ ମିଳେ କେମିତି। ଏହି ପ୍ରଶ୍ନ କାହା ମନରେ ଆନ୍ଦୋଳିତ ହୁଏନାହିଁ। କିମ୍ବା ଆନ୍ଦୋଳିତ ହେଲେ ମଧ୍ୟ ତାହାର ଗୂଢ଼ ରହସ୍ୟ ଅନୁଭବ ନକରି ମଣିଷ ଅନେକ ସମୟରେ ପରିସ୍ଥିତି, ସମୟକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳେ। କିନ୍ତୁ ବାସ୍ତବତା ଅନୁଭବ ଏକ ବିରଳ ଚିନ୍ତନ। ରହସ୍ୟର ବାସ୍ତବତା ଉପରେ ଆଧାରିତ ବିଶ୍ଳେଷଣଟି କେତେଦୂର ଯୁକ୍ତିଯୁକ୍ତ ଏବଂ ଗ୍ରହଣୀୟ ନିର୍ଭର ନିଜ ନିଜ ଜ୍ଞାନର ପରିସୀମା ଉପରେ।

ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ବଳତା ରାଷ୍ଟ୍ରର ଦୁର୍ବଳତାର ମାନଦଣ୍ଡ ଭଳି କାର୍ଯ୍ୟ କରିଥାଏ। ଅର୍ଥାତ ଯେଉଁ ରାଷ୍ଟ୍ରର ସାଧାରଣ ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ଅଧିକ ସେହି ରାଷ୍ଟ୍ରକୁ ଧନଶାଳୀ ଓ କ୍ଷମତା ସମ୍ପର୍ଣ୍ଣ ରାଷ୍ଟ୍ର ବୋଲି କୁହାଯାଏ। ପୃଥିବୀର କେତେକ ରାଷ୍ଟ୍ରକୁ ଧନଶାଳୀ, ପ୍ରକୋପୀ ଆଖ୍ୟା ଦିଆଯିବାରେ ଏହାଛଡା ଅନ୍ୟ କୌଣସି ମାପକ ନିର୍ଦ୍ଧାରିତ କରାଯାଇ ନଥାଏ। ସେମାନଙ୍କ ଅବଦାନ, ଋଣ ଇତ୍ୟାଦି ଗ୍ରହଣ କରି ଦୁର୍ବଳ ରାଷ୍ଟ୍ର ଗୁଡିକ ସେମାନଙ୍କ ପାଖରେ ନିଜର ଦୁର୍ବଳତା ପ୍ରକାଶ କରୁଥିବା ହେତୁ ସେମାନଙ୍କ ପ୍ରକୋପ, ଦୌରାତ୍ମ୍ୟ ଯଥେଷ୍ଟ ପ୍ରଭାବ ପକାଇଥାଏ ସାଧାରଣ ଲୋକଙ୍କ ଉପରେ। ତେଣୁ ଅଧିକ ଋଣଗ୍ରସ୍ଥ ରାଷ୍ଟ୍ର ଗୁଡିକ ଉପରେ ନିଜର ପ୍ରଭାବ ବିସ୍ତାର କରି ସେମାନଙ୍କୁ କରାୟତ କରିବା ଲକ୍ଷ ରଖିଥା’ନ୍ତି ସବଳ ପଡୋଶୀ ରାଷ୍ଟ୍ର ଗୁଡିକ। ହେଲେ ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ବଳତାର ସୂତ୍ର କ’ଣ ବିଚାର କରିବା।।

ରାଷ୍ଟ୍ରର ଅର୍ଥନୀତି ନିର୍ଭର କରେ ସେହି ରାଷ୍ଟ୍ରର ରିସୋର୍ସ ଅର୍ଥାତ ପ୍ରାକୃତିକ ଉତ୍ସର ଆଦାୟ, ବିକ୍ରୟ ଉପରେ। ଯେଉଁ ରାଷ୍ଟ୍ର ପ୍ରାକୃତିକ ଉତ୍ସରେ ଭରପୁର ଏବଂ ସେସବୁର ଉତ୍ତୋଳନ କ୍ଷମତା ସହିତ ପଡୋଶୀ ରାଷ୍ଟ୍ର ମାନଙ୍କୁ ଯୋଗାଇଦେବାରେ କ୍ଷମତା ରଖିଥା’ନ୍ତି ସେମାନେ ସାଧାରଣତଃ ଉନ୍ନତ୍ତ ଏବଂ ଧନୀ ରାଷ୍ଟ୍ରରେ ପରିଣତ ହୋଇଥା’ନ୍ତି। କେତେକ କ୍ଷେତ୍ରରେ ଉପଯୁକ୍ତ ପ୍ରାକୃତିକ ଉତ୍ସ ନଥାଇ ମଧ୍ୟ ଅଧିକ ପରିଶ୍ରମ କରି ବିଭିନ୍ନ ଶିଳ୍ପଜାତ ପଦାର୍ଥ ପ୍ରସ୍ତୁତ, ବିକ୍ରୟ କରି ବିତ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇଥିବା ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଜର୍ମାନୀ, ସୁଇଜ଼ରଲାଣ୍ଡ, ଜାପାନ ଓ ଚାଇନା ଭଳି କେତେକ ରାଷ୍ଟ୍ର। କିନ୍ତୁ ଯେଉଁମାନେ ଉପଯୁକ୍ତ ପ୍ରାକୃତିକ ଉତ୍ସ ସହିତ ଯଥେଷ୍ଟ ମାନବ ସମ୍ବଳ ଥାଇ ମଧ୍ୟ ସେସବୁର ଉପଯୁକ୍ତ ବିନିଯୋଗ ନକରି ଆଳସ୍ୟ ଏବଂ କୁଶାସନରେ କବଳିତ ହୋଇଥାନ୍ତି ସେହି ରାଷ୍ଟ୍ର ଗୁଡିକର ଭବିଷ୍ୟତ ଅନିର୍ଦ୍ଧିଷ୍ଟ ହେବାରେ କୌଣସି ଅଯୌକ୍ତିକତା ନଥାଏ। ସମ୍ପୃକ୍ତ ରାଷ୍ଟ୍ରର ସାଧାରଣ ଜନତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ପୂର୍ବକ ପ୍ରାକୃତିକ ସମ୍ବଳ କିମ୍ବା ଶିଳ୍ପାୟନ ଉତ୍ପାଦକ ଆଦାୟ କରିବା ଏବଂ ପଡୋଶୀ ରାଷ୍ଟ୍ରକୁ ରପ୍ତାନି କରିବାରେ ଅକ୍ଷମ ରାଷ୍ଟ୍ର ନିଜର ଅର୍ଥନୈତିକ ସମ୍ବଳ ବିକାଶ କରିବାରେ ଅକ୍ଷମ ହୋଇଥା’ନ୍ତି, ଯାହା ସମ୍ପୃକ୍ତ ରାଷ୍ଟ୍ରର ପ୍ରଜାଙ୍କୁ ଅର୍ଥନୈତିକ ଦୁର୍ବଳ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ। ଅନ୍ୟ କ୍ଷେତ୍ରରେ ସମ୍ପୃକ୍ତ ପ୍ରଜା ମାନଙ୍କ ଠାରୁ ଅଧିକ ଟିକସ ଆଦାୟ କରୁଥିବା ରାଜାମାନେ ସ୍ୱେଚ୍ଛାଚାରୀ ଭାବେ ଅର୍ଥନୈତିକ ଚାପ ପକାଇ ସାଧାରଣ ଲୋକଙ୍କୁ ଅର୍ଥନୈତିକ ଦୁର୍ବଳ କରିବାରେ ସହାୟକ ହୋଇ ପଡୋଶୀ କ୍ଷମତାସୀନ ବିକାଶଶୀଳ ରାଷ୍ଟ୍ର ମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଆସୁଥିବା ବିଷୟ ଧାରାବାହିକ ଭାବେ ଲାଗିରହିଛି ଯାହା ଆଜିକା ସମୟରେ ମଧ୍ୟ ଦେଖିବାକୁ ମିଳେ କେତେକ ସ୍ଥାନରେ। ଅର୍ଥନୈତିକ ସାମ୍ୟତା ଉପରେ ଅନୁରୋକ୍ତି ନରଖିଥିବା ରାଷ୍ଟ୍ରରେ ସାଧାରଣ ଜନତା ନଅଙ୍କ ଦୁର୍ଭିକ୍ଷ ପିଡୀତଙ୍କ ଭଳି କାହାର କରୁଣା, ଦାନ, ଦୟାର ପତ୍ର ହୋଇ କୌଣସିମତେ ଜୀବନ ବଞ୍ଚିବାକୁ ବ୍ୟାକୁଳ ଥିବା ଭଳି ପରିସ୍ଥିତି ସେମାନଙ୍କ ମାନବିକତାକୁ ଦୁର୍ବଳ କରିଥାଏ। ଫଳତଃ ଅର୍ଥାଭାବ ଜନିତ ଉପଯୁକ୍ତ ଖାଦ୍ୟାଭାବ ଏବଂ ପୁଷ୍ଟିକର ଖାଦ୍ୟ ଅଭାବ ଜନିତ ମାନସିକ ଅବଚେତନାର ବିକାଶ ଅଭାବରୁ ମଣିଷ ମାନସ ଏକରକମ ଭିକାରି ସଦୃଶ୍ୟ ମାନସିକତା ସୃଷ୍ଟି କରିବାରେ ସେମାନଙ୍କ ଦୁର୍ବଳତା ପ୍ରକାଶ ପାଇଥାଏ। ଅର୍ଥାତ ସେମାନଙ୍କୁ ସବୁବେଳେ କିଞ୍ଚିତ ଦାନ, ଦୟାର ପାତ୍ରକରି ସେମାନଙ୍କ ମାନବିକତା ଏବଂ ସ୍ୱାଭିମାନକୁ ଦୁର୍ବଳକରି ରଖାଯାଉଥିବା ଏକ ଅପ୍ରିୟସତ୍ୟ କଥା। ଜାପାନ ଭଳି ବିକଶିତ ରାଷ୍ଟ୍ରରେ ଅର୍ଥନୈତିକ ସାମ୍ୟତା ଉପରେ ଗୁରୁତ୍ୱାରୋପ କରାଯାଇ ସାମାଜିକ ଦୃଢ଼ତା ସୃଷ୍ଟି କରାଯିବାରେ ସେମାନଙ୍କ ସାଧାରଣ ଜନତାଙ୍କ ବ୍ୟକ୍ତିତ୍ୱ ଏବଂ ମାନବିକ ଉନ୍ନତ୍ତ ଚିନ୍ତାଧାରା ହେତୁ ସେମାନେ କାହାର ଦୟାର ପାତ୍ର ହେବା ଏକରକମ ଘୃଣା କରୁଥାଇ କୌଣସି ବିପତ୍ତି ସମୟରେ ସ୍ୱାବଲମ୍ବୀ ଭାବେ ମୁକାବିଲା କରୁଥିବା ହେତୁ ଏତେ ଛୋଟ ରାଷ୍ଟ୍ର ହୋଇମଧ୍ୟ ଆଜିକା ଦିନରେ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଭାବିବା ଦୁଃଷସହସ କେହି କରିପାରିବେ ନାହିଁ। କିନ୍ତୁ ଅନେକ ଦୁର୍ବଳ ରାଷ୍ଟ୍ର ଦେଖିବାକୁ ମିଳନ୍ତି ଯାହାଙ୍କ ସାଧାରଣ ଜନତା ଅନ୍ୟର ଦାନପାଇଁ ଏତେ ବ୍ୟାକୁଳ ହୋଇ ଥା’ନ୍ତିଯେ ସେମାନେ ଦାନ ଗ୍ରହଣ କରିବା ଏକପ୍ରକାର ସୌଭାଗ୍ୟର କଥା ବୋଲି ଭାବିଥା’ନ୍ତି, ଯାହା ଜାପାନୀ ମାନଙ୍କ ସମ୍ପୂର୍ଣ୍ଣ ବିପରୀତ ଚିନ୍ତନ। ତେଣୁ ଏହିସବୁ ମାନସିକତା ଗୁଡିକ ଦୂର ନହେବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ବିକାଶ ଏବଂ ନିଜକୁ ଅନ୍ୟଠାରୁ ସୁରକ୍ଷିତ ରଖିବା ଅସମ୍ଭବ। ସେହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ସାଧାରଣ ନାଗରିକ ଜାଗୃତ ନହେଲେ ଭବିଷ୍ୟତ ବିପର୍ଜନକ ହେବାରେ ନିଜେହିଁ ଦାୟୀରହିବା ଛଡା ଅନ୍ୟ କିଛି ବିଚାରକୁ ନିଆଯାଇ ନପାରେ। ଅତଏବ ସାଧାରଣ ମଣିଷଙ୍କ କାର୍ତ୍ତବ୍ୟବୋଧତା ଉପରେ କିଛି ପ୍ରଶ୍ନ ଏବଂ ତାହାର ଉତ୍ତର ଅନୁଶୀଳନ କରାଯିବାରେ ଆପଣମାନଙ୍କ ବିଚାରଯୋଗ୍ୟ ପଦକ୍ଷେପ କ’ଣ।

କୌଣସି କ୍ଷେତ୍ରରେ ଶାସନ କ୍ଷମତାରେ ଥିବା ବ୍ୟକ୍ତିଙ୍କ ଅଯୋଗ୍ୟତା ହେତୁ ରାଷ୍ଟ୍ରର ଅର୍ଥନୈତିକ ବ୍ୟବସ୍ଥା ବ୍ୟତିକ୍ରମ ଆଡକୁ ମୁହାଁଇଲେ ସାଧାରଣ ଲୋକେ ସେସବୁକୁ ସାର୍ବଜନୀନ କରି ବିଶାଳ ଜନଜାଗରଣ ପୂର୍ବକ ପ୍ରଜାମେଳି କରି କ୍ଷମତାସୀନ ବ୍ୟକ୍ତିଙ୍କୁ ପରିବର୍ତ୍ତନ ନକଲେ, ହାତଗୁଡ଼ କହୁଣିକୁ ଗଲାପରେ ଆଉ କିଛି ନଥିବ କରିବା ପାଇଁ। ତେଣୁ ସାଧାରଙ୍କ ଲୋକେ କୌଣସି କ୍ଷମତାସୀନ ବ୍ୟକ୍ତିଙ୍କ ପ୍ରତି ନିଜର ପ୍ରଗାଢ଼ ସୌହାର୍ଦ୍ଧ୍ୟତା ପ୍ରଦର୍ଶନ ନକରି କେବଳ ଜନସ୍ୱାର୍ଥ ଉଦେଶ୍ୟରେ ନିଜର ବିଚାର ଶକ୍ତିକୁ ଉପଯୋଗ ପୂର୍ବକ ଉପଯୁକ୍ତ ପଦକ୍ଷେପ ନେବା ନିତାନ୍ତ ଜରୁରୀ। କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ସାମାଜିକ ଶାସନ ଦାୟିତ୍ୱରେ ହଜାର ହଜାର ବର୍ଷ ଧରି କ୍ଷମତାସୀନ ହେବା ଅସମ୍ଭବ ଥିବାବେଳେ ତାଙ୍କର ସୀମିତ ବୟସ ସୀମା ମଧ୍ୟରେ ନିଜର ଉପଭୋଗୀତା ଏବଂ ସାମାଜିକ ସମ୍ମାନ୍ନ ଜନିତ ସାଧାରଣ ଲୋକଙ୍କର ଲାଭ, କ୍ଷତି ଆକଳନ କରିପାରି ନଥା’ନ୍ତି। ଫଳତଃ ସାଧାରଣ ପ୍ରଜା ଆକଳନ ବହିର୍ଭୁତ କ୍ଷତିର ଶିକାର ହେବାରେ ସମ୍ପୃକ୍ତ ଅସମର୍ଥ ଶାସକଙ୍କୁ କୌଣସି ପ୍ରଭାବ ପଡ଼ିନଥାଏ। କାରଣ ସେ ନିଜ ଜୀବନ ଶେଷ ପର୍ଯ୍ୟନ୍ତ ସିଂହାସନ ଉପଭୋଗ କରିବାର ଏକମାତ୍ର ଲକ୍ଷ ରଖିଥିବା ବେଳେ କୋଟି କୋଟି ଜନତା କେତେଯେ କାରୁଣ୍ୟ ଦୁଃଖରେ ସଢୁଥା’ନ୍ତି ତାଙ୍କର କଳ୍ପନା ବହିର୍ଭୁତ ହୋଇଥାଏ। ତେଣୁ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜନଜାଗରଣ, ଜନମାନସରେ ଦେଶପ୍ରେମ ସୃଷ୍ଟି ହୋଇ ଉପଯୁକ୍ତ ଶାସକ ଚୟନ କରାନଗଲେ ରାଷ୍ଟ୍ର ପଡୋଶୀଙ୍କ ଆକ୍ରମଣରୁ ନିଜକୁ ରକ୍ଷା ନକରିପାରି ପରାୟତ ହେବାରୁ କେହି ରକ୍ଷା କରିପାରିବେ ନାହିଁ। ରୀତିମତ ପୁରୁଷାନୁକ୍ରମିକ ଶଢଯନ୍ତ୍ରକାରୀ ସ୍ୱେଚ୍ଛାଚାରିତା ଶାସନ ଚଳାଇ ଆସୁଥିବା ପାରମ୍ପରିକ ବଂସୋଦ୍ଭବ ତଥା ଅଯୋଗ୍ୟ, ଅକ୍ଷମ ମଣିଷଙ୍କ ପ୍ରତି କୌଣସି ସମ୍ବେଦନଶୀଳ ବିଚାର ନରଖି, ସ୍ୱଚ୍ଛ ମାନବିକ ଚିନ୍ତାଧାରା ସହିତ ଚତୁର ନିସ୍ଵାର୍ଥପର ମଣିଷ ମାନଙ୍କୁ ସାମାଜିକ ଶାସନ କ୍ଷମତା ଦେବାରେ ଦେଶର ବିକାଶର ମାନଦଣ୍ଡ ନିର୍ଭର କରୁଥାଏ। ତେଣୁ ଉପଯୁକ୍ତ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟ ନକଲେ ସମ୍ପୃକ୍ତ ରାଷ୍ଟ୍ରର ଭବିଷ୍ୟତ ପିଢିଙ୍କୁ ଅଗ୍ନି ମୁଖକୁ ଠେଲିଦେବା ଛଡା ଆଉ କିଛି ହୋଇନପାରେ ବୋଲି ଆମ ବିଚାରରେ ଆପଣଙ୍କ ମତାମତ ଅପେକ୍ଷାରେ ॥
(ଲେଖକଙ୍କ ନିଜସ୍ୱ ମତ)
ଧନ୍ୟବାଦ।
ସୋସିଆଲ ଫୋରୁମ (India)
ଛତ୍ରପୁର, ଗଞ୍ଜାମ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.