Home Top News ପଞ୍ଚାୟତ ନିର୍ବାଚନ, ସରକାର ପ୍ରସ୍ତୁତ ବୋଲି ଘୋଷଣା କରିବା ପରେ ଗ୍ରାମରେ ରାଜନୈତିକ ବାତାବରଣ ସରଗରମ,...

ପଞ୍ଚାୟତ ନିର୍ବାଚନ, ସରକାର ପ୍ରସ୍ତୁତ ବୋଲି ଘୋଷଣା କରିବା ପରେ ଗ୍ରାମରେ ରାଜନୈତିକ ବାତାବରଣ ସରଗରମ, ସବୁ ଦଳରେ ଗୋଷ୍ଠୀକନ୍ଦଳ

193

ଲକ୍ଷ୍ମୀପୁର ୧୭।୮ (ଓଡ଼ିଆ ପୁଅ/ଶରତ ନାୟକ) – ଆଉ ମାତ୍ର ୬ ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ସରକାର ଘୋଷଣା କରିବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଅବଶ୍ୟ ଏହାର କିଛି ଦିନ ପୁର୍ବରୁ ଏଥିପାଇଁ ସରକାରୀ ଦଳ ପକ୍ଷରୁ ଉଦ୍ଘାଟନ ପର୍ବ ଆରମ୍ଭ ହେବା ସହିତ ବିଭିନ୍ନ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ମାନ ଅନୁଷ୍ଠିତ ହୋଇ ଗାଁ ଗୁଡ଼ିକରେ ଭୋଟର ମାନଙ୍କୁ କିପରି ନିଜ ସପକ୍ଷକୁ ଆଣିହେବ ସେନେଇ ଶାସନ ଦଳ ଠାରୁ ଆରମ୍ଭ କରି ବିରୋଧୀ ଭାଜପା ଓ କଂଗ୍ରେସ ପକ୍ଷରୁ ରଣ କୌଶଳ ଆରମ୍ଭ ହୋଇ ଯାଇଛି।

ତେବେ ସବୁ ଦଳରେ ଗୋଷ୍ଠୀ କନ୍ଦଳ ଥିବା କାରଣରୁ ଦଳ ପାଇଁ କ୍ଷତି କାରକ ହେବାର ଆଶଙ୍କା ଥିବାରୁ କିପରି ତାହାକୁ ପ୍ରଶମିତ କରାଯାଇ ପାରିବ ସେନେଇ ଆରମ୍ଭ ହୋଇଯାଇଛି ଉଦ୍ଯମ। ବିଶେଷ କରି ଶାସକ ଦଳରେ ଯେଉଁ ବ୍ଲକ ସ୍ତରୀୟ ନେତାମାନେ ଥିଲେ ସେମାନେ ବର୍ତ୍ତମାନ ଏକ ପ୍ରକାର କୋଣ ଠେଷା ହୋଇ ଯାଇଛନ୍ତି ବୋଲି କହିଥିଲେ ଚଳେ। କାରଣ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଏଥି ପୁର୍ବରୁ କଂଗ୍ରେସର ବିଧାୟକ ଥିବାବେଳେ ସାଂସଦ ଥିଲେ ବିଜେଡିର।

ତେବେ ୨୦୧୪ରେ ସାଂସଦ ଥିବା ଝିନ୍ନ ହିକକା ଏଠାରେ ଛିଡ଼ା ନହୋଇ ତାଙ୍କର ଧର୍ମପତ୍ନୀ କୋଶଲ୍ଯା ଙ୍କୁ ପ୍ରାର୍ଥୀ କରିଥିଲେ। ତେବେ କଂଗ୍ରେସର ସପ୍ତଗିରି ଉଲ୍ଲାକା ଙ୍କ ଠାରୁ ସେ ପରାଜିତ ହୋଇଥିଲେ।

ସେହିପରି କଂଗ୍ରେସରୁ ଲକ୍ଷ୍ମୀପୁର ବିଧାୟକ ଥିବା କୈଳାସ ଚନ୍ଦ୍ର କୁଲେସିକା ଜିତିଥିଲା ବେଳେ ସେମ ମଧ୍ୟ ଏଠାରୁ ପରାଜୟ ବରଣ କରିବା ସହିତ ବିଜେଡିର ପ୍ରଭୁଜାନି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯେଉଁଥିପାଇଁ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଛି। ବିଜେଡିର ଝିନ ସାଂସଦ ଥିବା ବେଳେ ସେ ତାଙ୍କ ମନପସନ୍ଦ ଲୋକଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଇଥିଲେ।କିନ୍ତୁ ପ୍ରଭୁଜାନି ବିଧାୟକ ହେବା ପରେ ସେ ମଧ୍ୟ ତାଙ୍କର ନିଜ ପସନ୍ଦ କର୍ମୀ ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଇଛନ୍ତି। ଫଳରେ ଯେଉଁ ମାନେ ପୁର୍ବରୁ ପଦପଦବୀରେ ଥିଲେ ବର୍ତ୍ତମାନ ସେମାନେ ଏକ ପ୍ରକାର କୋଣ ଠେଷା ହୋଇ ଯାଇଛନ୍ତି ବୋଲି କହିଥିଲେ ଅତ୍ୟୁକ୍ତି ହେବନାହିଁ।

ସେହିପରି କଂଗ୍ରେସରୁ କୈଳାସ ପରାଜୟ ପରେ ଯେଉଁ ମାନେ ତାଙ୍କ ସହିତ ଥିଲେ ବର୍ତ୍ତମାନ ଅନେକ ତାଙ୍କଠାରୁ ଦୂରେଇ ଯାଇଥିବା ପରି ମନେ ହେଉଛି। ଏପରିକି କିଛି ଦିନହେଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୪ଟି ବ୍ଲକରେ ବିରୋଧରେ ଅନେକ ଆଗଧାଡ଼ିର ନେତାମାନେ ବିଶୋଧନାଗାର କରିବା ସହିତ ନିଜେ କୈଳାସ ମଧ୍ୟ ସେମାନଙ୍କ ବିପକ୍ଷରେ ନାନା ମନ୍ତବ୍ୟ ମାନ ଦେଇଛନ୍ତି। ଏପରିକି ଇସ୍ତଫା ଦେଇଥିବା କଥା କୈଳାସ ଗଣମାଧ୍ୟମରେ ଘୋଷଣା କରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଝୁଲିକରି ରହିଛି।

ଅନ୍ଯପକ୍ଷରେ ଭାଜପା କଥା ମଧ୍ଯ ନକହିଲେ ଭଲ। ଗତ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳରେ ଭାଜପା ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ବ୍ଲକର ଦୁଇଟି ଜୋନ ମଧ୍ଯରୁ ଗୋଟିଏ ଜୋନରେ ଜିତିବାର ସମ୍ଭାବନା ସମ୍ଭାବନା ଥିଲା। କିନ୍ତୁ ଭୋଟର ମାନେ ଯେଉଁଭଳି ପ୍ରାର୍ଥୀଙ୍କୁ ଏଠାରେ ଦେଖିବାକୁ ଚାହୁଁଥିଲେ ସେଭଳି ହୋଇ ନଥିଲା। ଫଳରେ କେବଳ ଲକ୍ଷ୍ମୀପୁର ନୁହେଁ ବିଧାନସଭା ମଣ୍ଡଳୀର ୭ ଜୋନ ମଧ୍ୟରୁ ଗୋଟିଏ ଆସନ ଜିତିବାରେ ସକ୍ଷମ ପାରିଲା ନାହିଁ। ଏପରିକି ଗତ ସାଧାରଣ ନିର୍ବାଚନରେ ଆଗଧାଡ଼ିର କର୍ମୀ ଓ ବ୍ଲକ ସ୍ତରୀୟ ନେତାମାନଙ୍କୁ ସେଭଳି ଗୁରୁତ୍ବ ଦିଆନଯିବା କାରଣରୁ ସେମାନେ ଏକପ୍ରକାର ହତୋତ୍ସାହିତ ହେବା ସହିତ ବିମୁଖ ହୋଇ ପଡିଥିଲେ।

ଅବଶ୍ୟ ବର୍ତ୍ତମାନ କିଛି ଯୁବକଙ୍କୁ ଛାମୁଆ ଦାୟୀତ୍ବ ଅର୍ପଣ କରାଯାଇଛି ଓ ସେମାନେ କେତେକ ଗାଁରେ ଲୋକଙ୍କ ପାଖରେ ଯାଇ ପହଞ୍ଚୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏଠିବି ସେହି କଥା ଗୋଟିଏ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଗଲେ ଆଉ କିଛି ଗୋଷ୍ଠୀ ତାଙ୍କର ଗୋଛି କାଟିବା ସମ୍ଭାବନା କୁ ଏଡ଼ାଇ ହେବ ନାହିଁ।

ମୋଟାମୋଟି କହିବାକୁ ଗଲେ ଗୋଷ୍ଠୀ କନ୍ଦଳ ବିଭିନ୍ନ ଦଳପାଇଁ କାଳ ହେବାର ସମ୍ଭାବନା ଥିବାବେଳେ ପକେଟ୍ ଭୋଟ ଯାହା ସପକ୍ଷରେ ଅଧିକ ଯିବ ସେମାନଙ୍କ ପଲା ଭାରି ହେବାର ଅଧିକ ସମ୍ଭାବନା ରହିଛି। ସୂଚନା ଯୋଗ୍ୟ ଏହିକି ଯେ ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୪ ବ୍ଲକ ଯଥା ଲକ୍ଷ୍ମୀପୁର ବ୍ଲକର ଦୁଇଟି ଯାକ ବିଜେଡି ଜିତିଥିଲା ବେଳେ ବନ୍ଧୁଗାଁ ବ୍ଲକରେ ମଧ୍ୟ ଦୁଇଟି, ନାରାୟଣପାଟଣା ବ୍ଲକରେ ଗୋଟିଏ ଓ ଦଶମନ୍ତପୁର ବ୍ଲକରେ ମଧ୍ୟ ଦୁଇଟି ଯାକ ମୋଟ ୭ ଯାକ ଜୋନରେ ବିଜେଡି ବାଜିମାତ୍ କରିଥିଲା।

ସେହିପରି ୪ ଗୋଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଥିଲା। ଲକ୍ଷ୍ମୀପୁର ବ୍ଲକରେ ଦୁଇଟି ଯାକ ଜୋନରେ ବିଜେଡି ପ୍ରାର୍ଥୀ ମାନେ ଜିତିଥିଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ କିନ୍ତୁ ହାତେଇ ପାରିନଥିଲା। ଏଠାରେ ସେତେବେଳେ ବିଧାୟକ ଥିବା କୈଳାସ ଚନ୍ଦ୍ର କୁଲେସିକା ତାଙ୍କର ଧର୍ମପତ୍ନୀ ସୁଓ୍ବାଇ କୁଲେସିକାଙ୍କୁ ଏହି ଆସନରେ ବସାଇବା ପାଇଁ ସକ୍ଷମ ହୋଇଥିଲେ।

ତେବେ ବର୍ତ୍ତମାନ କୈଳାସ ବିଧାୟକ ନାହାନ୍ତି। ସେହିପରି ଗତ କିଛିମାସ ହେବ ସେ ଦଳ ତ୍ଯାଗ ପାଇଁ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଥିବା ଗଣ ମାଧ୍ୟମରେ ପ୍ରକାଶ କରିସାରିଛନ୍ତି, କିନ୍ତୁ ତାହାକୁ ଗ୍ରହଣ କରାଯାଇ ନଥିଲା ବେଳେ ନିର୍ବାଚନମଣ୍ଡଳୀରେ ସେ ଯେଉଁ ମାନଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ ସେହି ଗୋଷ୍ଠୀ ଗୁଡିକୁ ବର୍ତ୍ତମାନ ବିଶୋଧନାଗାର କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ପରିସ୍ଥିତି କଣ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ। ତେବେ ଯାହା ହେଉନା କାହିଁକି ସରକାରଙ୍କ ପକ୍ଷରୁ ନିର୍ବାଚନ ପାଇଁ ଏକପ୍ରକାର ଅଘୋଷିତ ଘୋଷଣା ପରେ ସବୁଦଳ ତରଫରୁ ଏକପ୍ରକାର ତତ୍ପରତା ଦେଖାଦେଇଛି। କିନ୍ତୁ ସବୁ ଦଳରେ ଗୋଷ୍ଠୀକନ୍ଦଳ ଥିବାରୁ ପକେଟ୍ ଭୋଟ ହିଁ ଜିତିବା ସମ୍ଭାବନା କୁ ନିଶ୍ଚିତ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.