Home ଓଡ଼ିଶା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦିନିକିଆ ଜିଲ୍ଲା ଗସ୍ତ ବାଲେଶ୍ୱର ସହରକୁ ଯୋଜନା ବର୍ଷା

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦିନିକିଆ ଜିଲ୍ଲା ଗସ୍ତ ବାଲେଶ୍ୱର ସହରକୁ ଯୋଜନା ବର୍ଷା

105

ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ଏହି ଆସନର ଉପ-ନିର୍ବାଚନ ପାଇଁ ଏବେ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ୱର ପୌରାଞ୍ଚଳ ନିମନ୍ତେ କୋଟି କୋଟି ଟଙ୍କାର ଯୋଜନା ବର୍ଷା କରିଛନ୍ତି। ଜିଲ୍ଲାର କୋଭିଡ୍‌-୧୯ ପରିଚାଳନା ସାଙ୍ଗକୁ ସରକାରୀ ଯୋଜନା କାର୍ଯ୍ୟକାରିତା ଉପରେ ସେ ସମୀକ୍ଷ କରିବା ସହିତ ସହର ବିକାଶର ଆଗାମୀ ପ୍ରସ୍ତାବିତ କୋଟି କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆୟୋଜିତ ଏକ ମିଡିଆ ବ୍ରିଫିଙ୍ଗ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ସାମ୍ବାଦିକଙ୍କୁ ଅବଗତ କରିଛନ୍ତି। ସାମ୍ପ୍ରତିକ ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏନେଇ ସବୁ ମହଲରୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସଂକଟାପନ୍ନ କରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ବାଲେଶ୍ୱରରେ ପ୍ଲାଜମା ଥେରାପି ଚିକିତ୍ସା ପ୍ରକ୍ରିୟା ଏବେ ଆରମ୍ଭ ହୋଇଥିବା ସେ କହିଥିଲେ। ସେହିପରି ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରିତ ଥିଲେ ହେଁ ଆଗକୁ ଏହାର ସୁପରିଚାଳନା ପାଇଁ ପ୍ରଶାସନ ଉଦ୍ୟମ ଜାରି ରହିଥିବା ବେଳେ ଜନସାଧାରଣ ମଧ୍ୟ ମାସ୍କ ଓ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲାର ପ୍ରତ୍ୟେକ ଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ଓ ବାଲେଶ୍ୱର ସହରରେ ୨୦, ୭୭୭ ପରିବାରକୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ବାଲେଶ୍ୱର ସହରରେ କାର୍ଯ୍ୟକାରୀ ଅମୃତ ଯୋଜନାରେ ୧୦ ଗୋଟି ପ୍ରକଳ୍ପରୁ ୭ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୩ ଟି ଖୁବଶୀଘ୍ର ଶେଷ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ସହରରେ ପାଇପ୍ ବିଛାଇବା କାର୍ଯ୍ୟରେ ନଷ୍ଟ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ପାଇଁ ସେ ପୂର୍ତ ବିଭାଗ ଯତ୍ନବାନ ଥିବା ସେ କହିଥିଲେ। ସେହିପରି ବାଲେଶ୍ୱର ପୌରାଂଚଳରେ କୋଟିଏ ଲେଖାଏଁ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶ୍ମଶାନ ଓ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏଥି ସହିତ ବାଲେଶ୍ୱର ସହରର ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ। ସହରର ବିଭିନ୍ନ ଅଞ୍ଚଳରେ ୫ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଓ ୫ ଗୋଟି ମେଟେରିଆଲ ରିକୋଭରିଂ ପ୍ଲାଣ୍ଟ ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ସେହିପରି ନୂଆବଜାର ମାର୍କେଟର ସମ୍ପୂର୍ଣ୍ଣ ନବୀକରଣ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତି ଏବଂ ଏମଜିନରେଗା ଯୋଜନାରେ ବିଭିନ୍ନ ସ୍କୁଲରେ ପାର୍କ ନିର୍ମାଣ ନିଷ୍ପତି, ବଲେଶ୍ୱର ସହରର ୪ ଗୋଟି ମୁଖ୍ୟ ରାସ୍ତା ଯଥା ଆଇଟିଆଇଛକରୁ ତାମୂଳିଆ, ବିଦ୍ୟୁତ୍ ମାର୍ଗରୁ ଶୋଭାରାମପୁର ରେଲୱେ ଗେଟ୍‌, ସହଦେବଖୁଣ୍ଟା ଓଭରବ୍ରିଜ୍‌ରୁ ସହଦେବଖୁଣ୍ଟା ଦୁର୍ଗାମଣ୍ଡପ ଏବଂ ସହଦେବଖୁଣ୍ଟା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟଠାରୁ ସୂରଜ ହୋଟେଲ ପର୍ଯ୍ୟନ୍ତ ରାସ୍ତାରେ ନୂତନ ଭାବେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯିବ ସହ ଅନ୍ୟାନ କୋଟି କୋଟି ଟଙ୍କାର ବହୁ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ତେବେ ହଠାତ୍ ନିର୍ଦ୍ଦିଷ୍ଟ ବାଲେଶ୍ୱର ସହର ପାଇଁ ଏଭଳି ଲୋକାଭିମୁଖୀ ପ୍ରକଳ୍ପ ବର୍ଷା ପଛର କାରଣ କ’ଣ ହୋଇପାରେ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.