ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୨୦୨୭ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବହୁ ପ୍ରତିକ୍ଷିତ ସଂରକ୍ଷଣ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି (ନଂ- ୯୮୬୦, ତା ୦୬.୦୪.୨୦୨୬) ପ୍ରଦାନ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଶେଷ କରି ଧାମନଗର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି।ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ, ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ଓ ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ଏପ୍ରିଲ ୭ରେ ପ୍ରକାଶ ପାଇଛି। ଏଥିଲାଗି ଏପ୍ରିଲ ୧୭ ତାରିଖ ସୁଦ୍ଧା ଅଭିଯୋଗ ଓ ଦାବି ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏପ୍ରିଲ ୨୪ ତାରିଖକୁ ଅଭିଯୋଗର ସମାଧାନ ଦିନ ଧାର୍ଯ୍ୟ ହୋଇଛି। ତେବେ ଜିଲ୍ଲା ପରିଷଦ ପାଇଁ ଅଭିଯୋଗର ସମାଧାନ ଦିନ ରହିଛି ଏପ୍ରିଲ୨୭। ଏନେଇ ଚୂଡ଼ାନ୍ତ ତାଲିକା ଏପ୍ରିଲ ୨୯ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ। ସରକାରଙ୍କ ନିଷ୍ପତି ଅନୁଯାୟୀ, ଅଣ-ଅନୁସୂଚିତ ଅଂଚଳରେ ଏସସି, ଏସସି ଏବଂ ବିସିସି (ପଛୁଆ ବର୍ଗ) ମାନଙ୍କ ପାଇଁ ସମୁଦାୟ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିବ। ବିସିସି ବର୍ଗ ପାଇଁ ସର୍ବାଧିକ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲେ ହେଁ, ସମୁଦାୟ ସଂରକ୍ଷଣ ୫୦% ଟପିଲେ ଏହାକୁ କମାଇ ଦିଆଯିବ। ମହିଳାମାନଙ୍କ ପାଇଁ ସର୍ବନିମ୍ନ ୫୦% ଆସନ ସଂରକ୍ଷିତ ରହିବ। ୨୦୧୧ ଜନଗଣନାକୁ ଭିତି କରି ଏହି ସଂରକ୍ଷଣ ନିର୍ଦ୍ଧାରଣ କରାଯିବ। ଏଥର ନିର୍ବାଚନରେ ଅବରୋହଣ କ୍ରମରେ ସ୍ଥାନ ପରିବର୍ତନ ନିୟମ ଲାଗୁ ହେବ। ଏହାର ଅର୍ଥ ହେଉଛି ୨୦୧୭, ୨୦୧୨, ୨୦୦୭ ଓ ୨୦୦୨ ନିର୍ବାଚନର ସଂରକ୍ଷଣ ସ୍ଥିତିକୁ ପଛ କ୍ରମରେ ଯାଂଚ କରାଯିବ। ଯେଉଁ ଆସନ ଗତ ଥର ଯେଉଁ ବର୍ଗ ପାଇଁ ସଂରକ୍ଷିତ ଥିଲା, ଏଥର ତାହା ପରିବର୍ତନ ହେବାର ସମ୍ଭାବନା ଅଧିକ। ଧାମନଗରରେ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ଏଠାରେ ସରପଞ୍ଚ ପଦ ଅପେକ୍ଷା ସମିତି ସଭ୍ୟ ସଂରକ୍ଷଣକୁ ନେଇ ଅଧିକ ଗୁରୁତ୍ୱ ଦିଆଯାଉଛି। ୨୦୨୨ରେ ପଂଚାୟତ ସମିତି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଅବରୋହଣ କ୍ରମ ଅନୁସାରେ ଏଥର ଏହି ପଦବୀ ତଫସିଲଭୁକ୍ତ ଜାତି ପୁରୁଷଙ୍କ ପାଇଁ ସଂରକ୍ଷିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ, ତେବେ ଅନେକ ହେଭିୱେଟ ନେତାଙ୍କ ରାଜନୈତିକ ଗଣିତ ବିଗିଡ଼ି ଯାଇପାରେ।ଧାମନଗରର ୩୧ଟି ପଂଚାୟତ ମଧ୍ୟରୁ ୧୫ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ନିୟମ ଅନୁସାରେ, ଯେଉଁ ପଂଚାୟତରେ ପୁରୁଷ ସରପଂଚ ରହିବେ, ସେଠାରେ ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ରହିବ। ଧୁଷୁରୀ ବିଜ୍ଞାପିତ ଅଂଚଳ ଗଠନ ଯୋଗୁଁ କିଛି ପଂଚାୟତ ବିଲୀନ ହୋଇଥିବାରୁ ଏଥର ସୀମା ପୁନଃନିର୍ଦ୍ଧାରଣ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଏହି ନିର୍ବାଚନ ଏକ ବଡ଼ ପରୀକ୍ଷା। ଗତ ଦୁଇ ବର୍ଷ ମଧ୍ୟରେ ସେ ଧାମନଗର ପାଇଁ ବିକାଶମୂଳକ କାର୍ଯ୍ୟ ଆଣିଥିବା ବେଳେ, ତାଙ୍କ ନେତୃତ୍ୱରେ ବିଜେପି ଏଥର ପଂଚାୟତ ନିର୍ବାଚନରେ କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ବିଜେଡି ତାର ପୁର୍ବ ସ୍ଥିତି କୁ ବଜାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି,ସେହିପରି କଂଗ୍ରେସ ମଧ୍ୟ ଅନେକ ଆଶା ବାନ୍ଧିଛି।ସଂରକ୍ଷଣକୁ ନେଇ ଚିଠା ପ୍ରସ୍ତାବ ପ୍ରକାଶ ପାଇବା ପରେ ଅଭିଯୋଗ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନର ଚୂଡ଼ାନ୍ତ ତାଲିକାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି।
Home ଜିଲ୍ଲା ପରିକ୍ରମା ପଂଚାୟତ ନିର୍ବାଚନ ପାଇଁ ବିଗୁଲ: ପ୍ରକାଶ ପାଇଲା ସଂରକ୍ଷଣ ନିୟମାବଳୀ, ଧାମନଗରରେ ବଢ଼ିଲା ରାଜନୈତିକ ଉଷ୍ଣତା;...








