Home ଓଡ଼ିଶା ନୟାଗଡ଼ ଜିଲାରେ କରୋନା କଟକଣା କୋହଳ ଯୋଗୁଁ ସ୍ଥିତି ଗମ୍ଭୀର: ସହର କଟକଣା ଗାଁକୁ ନାହିଁ,...

ନୟାଗଡ଼ ଜିଲାରେ କରୋନା କଟକଣା କୋହଳ ଯୋଗୁଁ ସ୍ଥିତି ଗମ୍ଭୀର: ସହର କଟକଣା ଗାଁକୁ ନାହିଁ, ଆକ୍ରାନ୍ତଙ୍କ ସଂଖ୍ୟା ୬୨୮ ଓ ମୃତ୍ୟୁ ହେଲା ୩, ଦଶପଲ୍ଲା ଏନଏସି ୭ ଦିନିଆ ସର୍ଟଡାଉନ

178

ନୟାଗଡ଼, ୩୧ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲାର କରୋନା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରଙ୍କ କରୋନା କଟକଣାକୁ ଯେଉଁପରି ଭାବରେ ଏଠି ଫୁ’ କରାଯାଉଛି ତାହା ଆଗାମୀ ଦିନରେ ଜିଲାରେ ଗୋଷ୍ଠୀ ସଂକ୍ରମଣ ହେବା ଜୁଳୁଜୁଳୁ ହୋଇ ଦେଖାଯାଉଛି। ସହର କଟକଣା ଗାଁରେ ନଥିବାରୁ ଗାଁ ମାନଙ୍କରେ କୋରନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ଗତ ୧ତାରିଖରେ ନୟାଗଡ଼ରେ ଜଣେ କରୋନାରେ ମୃତ୍ୟୁ ବରଣ କରିଥିଲାବେଳେ ଗତକାଲି ଜଣେ ଦଶପଲ୍ଲା ଟାକେରାରେ ଏବଂ ଆଜି ଜଣେ ଚାନ୍ଦପୁରରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଆଜି ଜିଲାରେ କରୋନା ଆକ୍ରାନ୍ତଙ୍କ ସ୍ଥିତି ରେକର୍ଡ଼ ସଂଖ୍ୟକ ୬୭ ହୋଇଛି। ଏହି ୬୭କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୮ ପହଂଚିଛି। ଆଜି କେବଳ ଦଶପଳ୍ଲାରେ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ଦଶପଲ୍ଳା ଏନଏସି କୁ ଜିଲାପାଳ ୭ଦିନିଆ ସର୍ଟଡାଉନ ଘୋଷଣା କରିଛନ୍ତି। ହେଲେ ଖାଲି ଦଶପଲ୍ଳା ନୁହେଁ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ରକ୍ଷା ପାଇବା ପାଇଁ ସମୁଦାୟ ଜିଲାକୁ ସର୍ଟଡାଉନର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି। ଯାହା ଦେଖାଯାଉଛି ଗଞ୍ଜାମ ଜିଲାର ବିପଦ ଏବେ ନୟାଗଡ଼ ମୁହାଁ ହୋଇଛି। ନୟାଗଡ଼ ଜିଲାକୁ ପାଖ ପଡ଼ୋଶୀ ଜିଲାର କରୋନା ପରିସ୍ଥିତି ମାଡ଼ି ବସିଥିବାବେଳେ ଏବେ ଖୋଦ୍ ନୟାଗଡ଼ ଜିଲା ଆଉ ନିସ୍ତାର ପାଇବାର ଅବକାଶ ନାହିଁ। ନିତି ପ୍ରତିଦିନ କରୋନା ଡର ଏବେ ଜିଲାବାସୀଙ୍କୁ ଘାରିଛି। ଗଞ୍ଜାମ ମଡ଼କ ନୟାଗଡ଼ର ଛାତି ଥରେଇ ଦେଉଛି। ଏମିତି ଅବସ୍ଥାକୁ ନେଇ ଗୋଷ୍ଠୀ ସଂକ୍ରମଣ ଭୟ ଏବେ ନୟାଗଡ଼କୁ ବେଶୀ ଘାରୁଛି ା କେବଳ ସହର ବଜାରକୁ ଛାଡ଼ିଦେଲେ ଗାଁ ଗହଳିରେ ସେତେଟା କଟକଣା ନଥିବା ପରି ମନେ ହେଉଛି। ବାରମ୍ବାର ସରକାରୀ ତାଗିଦ୍‌ ପରେବି କେହି ମାନୁଥିବା ପରି ମନେ ହେଉନି। ଲୋକଙ୍କ ପଛେ ପଛେ ପୁଲିସ ଗୋଡ଼େ ଗୋଡ଼େ ଜଗିଥିଲେବି ଲୋକମାନେ ସେତେଟା ସଚେତନତା ହେଉନାହାନ୍ତି। ବିବାହ, ଅନ୍ତ୍ୟେଷ୍ଟକ୍ରିୟାରେ ସରକାରୀ ନିୟମ ଅନୁସାରେ ଯେତିକି ଲୋକଙ୍କ ଉପସ୍ଥିତି କୁହାଯାଉଛି ତା’ଠାରୁ ବହୁ ଗୁଣରେ ଏସବୁ ଉତ୍ସବାଦିରେ ଜନ ସମାଗମ ହେଉଛି। ତାସ, କ୍ରିକେଟ ଯେତିକି ଖେଳୁଛନ୍ତି ତାଙ୍କ ଚାରିପାଖେ ଗହଳି ହୋଇ ତାଠାରୁ ବହୁ ଗୁଣରେ ବସି ଦେଖୁଛନ୍ତି। କାହାରି ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତ୍ୱ ରକ୍ଷା କରିବାରେ ଟିକେବି ଗୁରୁତ୍ୱ ନାହିଁ। ଏପରି ସ୍ଥିତିରେ ନୟାଗଡ଼ରେ କରୋନା ସ୍ଥିତିଯେ କ’ଣ ହେବ ତାକୁ ନେଇ ଏବେ ଭାଳେଣି ପଡ଼ିଛି। କଟକଣାକୁ ଜୋରଦାର କରି ଏବେଠାରୁ ଅମାନିଆମାନଙ୍କ ପାଇଁ ଦଣ୍ଡବିଧାନ କଠୋର କରାଗଲେ କିଛି ମାତ୍ରାରେ ସୁଧାର ଆସିପାରନ୍ତା ବୋଲି କୁହାଯାଉଛି। ଶୂନ୍ୟ ସଂକ୍ରମଣରେ ନୟାଗଡ଼ ଜିଲା ଆଶ୍ୱସ୍ଥି ଥିଲାବେଳେ ଗତ ମେ ମାସ ୯ ତାରିଖରୁ କରୋନା କବଳରେ ନୟାଗଡ଼ ପଡ଼ିଯାଇଛି। ତେଣୁ ଏହି ମହାମାରୀ ବିପଦରୁ ମୁକୁଳିବା ପାଇଁ ନୟାଗଡ଼ ଜିଲାରେ କରୋନା କଟକଣା ସହ ସର୍ଟଡାଉନ ଭଳି ପରିସ୍ଥିତି ଜୋରଦାର ହେବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଉଛି ା ଅଧିକାଂଶ ଲୋକ ସାମାଜିକ ଦୂରତ୍ୱ କି ମାସ୍କ ପିନ୍ଧିବାରେ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ବାହାଘର, ସୁଧଘର କିମ୍ବା ବିଭିନ୍ନ ଘରୋଇ କାର୍ଯ୍ୟକ୍ରମରେ କରୋନା ଭୟାବହତାକୁ ଆଖି ଆଗରେ ନରଖି ଭୋଜିଭାତର ଆସର ଜମଉଛନ୍ତି। ଯଦି ଏସବୁ କାର୍ଯ୍ୟକ୍ରମ ପ୍ରତି ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଅଙ୍କୁଶ ନଲାଗେ ତେବେ ଆଗାମୀ ଦିନରେ ନୟାଗଡ଼ ଯେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ନମୁହାଁଇବ ଏକଥା ଅସ୍ୱୀକାର କରାଯାଇନପାରେ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.