Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ମେଧା ସମ୍ମାନ -୨୦୨୨ : ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇଥାଏ :...

ନୟାଗଡ଼ରେ ମେଧା ସମ୍ମାନ -୨୦୨୨ : ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇଥାଏ : ଡ.ସାହୁ

35

ନୟାଗଡ଼, ୨୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ମାଟ୍ରିକ ପରୀକ୍ଷାରେ ୬୦% ମାର୍କ ରଖି କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ଲକ୍ଷ୍ୟରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭା ମଣ୍ଡପରେ ମେଧା ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲାବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଡ.ସାହୁ ମାଟ୍ରିକ ପରୀକ୍ଷାରେ ୪୨ଟି ହାଇସ୍କୁଲର ୩୪ ଜଣ ଏ ୱାନ ରଖିଥିବା ଏବଂ ୬୦% ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲାବେଳେ ଛାତ୍ର ଶୃଙ୍ଖଳା ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାହିଁ ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଂଚାଇ ଥାଏ ବୋଲି କହିଥିଲେ। ଏପରି ଏକ ମେଧା ସମ୍ମାନ ନୟାଗଡ଼ ଜିଲାରେ ପ୍ରଥମ। ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବାରେ ଉତ୍ସାହିତ କରିବା ପାଇଁ ଏପରି ମେଧା ସମ୍ମାନ ଭଳି ଏକ ଅଭିନବ ପ୍ରୟାସକୁ ଅନ୍ୟ ଜିଲାବାସୀ ଅନୁକରଣ ସହ ଅନୁଶରଣ କରିବେ ବୋଲି ଡ. ସାହୁ କହିଥିଲେ। ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ସବୁରି ମୂଳରେ ନିଷ୍ଠା ହିଁ ସଫଳତାର ଚାବିକାଠି କହିବା ସହିତ ପରିଶ୍ରମ ଓ ସାଧାନା ଠିକ ରହିଲେ ଲକ୍ଷ୍ୟ ସ୍ଥଳରେ ପହଂଚିବା ସୁଗମ ହୋଇଥାଏ ବୋଲି କହିଥିଲେ। ସେ କହିଥିଲେଯେ ପାଠ ଗ୍ରହଣ କରିବାର ଲକ୍ଷ୍ୟ ରହିଲେ ଜଣେ ଆଗକୁ ବଢି ପାରିବ। ଭଲ ଶିଖିବାର ପ୍ରବୃତ୍ତି ଓ ଜୀବନ ପାଠରେ ଉତ୍ତୀର୍ଣ୍ଣ ପାଇଁ କଠିନ ସାଧନା ଏବଂ ପାଠର ମୂଲ୍ୟ ସହିତ ଜୀବନର ଅନ୍ୟଗୁଣ ସବୁ ବିକଶିତ ହେବା ଦରକାର। ଯାହାକି ଜୀବନ ଜିଜ୍ଞାସାର ମୂଲ୍ୟବୋଧ ଉଦ୍‌ଭାସିତ ହେବା ସହିତ ସଫଳତା ନିଜ ପଛରେ ଗୋଡ଼ାଇବ। ସେ ଆହୁରି କହିଲେଯେ, ଆମେ ଯେତେ ଉପରକୁ ଗଲେ ମଧ୍ୟ ମା’ମାଟି ଓ ମମତାକୁ ଭୁଲିବାର ନୁହେଁ। ମା’ମାଟି ଓ ମମତାକୁ ଭଲପାଇବା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ରହିଲେ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ସୁଗମ ହୋଇଥାଏ ବୋଲି ତାଙ୍କ ୍‌ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୪ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲାବେଳେ ମେଧା ସମ୍ମାନ ପାଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଥିଲା। ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ମଂଚ ସଂଯୋଜନା କରିଥିଲାବେଳେ ସୌଦାମିନୀ ସ୍ୱାଇଁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.