ନୟାଗଡ/୨୪/୧୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲାରେ ସାରା ରାଜ୍ୟ ଅପେକ୍ଷା ଅଧିକ କନ୍ୟା ଭୃଣ ହତ୍ୟା ଯୋଗୁଁ ଜିଲ୍ଲା ପ୍ରଶାସନର ଉଦ୍ବେଗ ବଢିଯାଇଛି। କେବଳ ସେତିକି ନୁହେଁ ବାଲ୍ୟ ବିବାହ ମଧ୍ୟ ବଢିବାରେ ଲାଗିଛି। ତେଣୁ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ରଣପୁର ବ୍ଲକ୍ ଅଂଚଳରେ କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସ୍ୱରୁପ ଡିସେମ୍ବର ୨୪ ତାରିଖରେ ଏକ ମାନବ ଶୃଙ୍ଖଳ ହୋଇଥିବା ଜଣା ପଡିଛି। ଏହି ମାନବ ଶୃଙ୍ଖଳ ରଣପୁର ଜଗନ୍ନାଥ ମନ୍ଦିର ଓ ବଜାର ଉପରେ କରାଯାଇଥିଲା। ଏଥିରେ ୧ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଦିନ ୧୧ ଘଟିକାଠାରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ କରାଯାଇଥିଲା। ରଣପୁର ର ଅତିରିକ୍ତ ବିଡିଓଙ୍କ ସହ ବ୍ଲକ୍ କର୍ମଚାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନାବାଡୀ କର୍ମୀମାନେ ଯୋଗ ଦେଇଥିଲେ। ବିଶେଷତଃ ନୟାଗଡ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ବଢୁଥିବା ଘଟଣାକୁ ଉପଲବ୍ଧ କରି ମହିଳା ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା। କିନ୍ତୁ ଏହି ମାନବ ଶୃଙ୍ଖଳ ଚାଲିଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥାରେ ବିଶୃଙ୍ଖଳା ଦେଖା ଦେଇଥିଲା। ମାନବ ଶୃଙ୍ଖଳ ସମୟରେ ଗାଡି ମୋଟର ଯାତାୟତ ବିଶେଷ ଅସୁବିଧା ପରିଲକ୍ଷିତ ହୋଇଥିଲା।