Home ଜିଲ୍ଲା ପରିକ୍ରମା ନେହେରୁ ଷ୍ଟାଡିୟମ୍ ନିର୍ମାଣ ପ୍ରସଙ୍ଗ, ୩ କୋଟି ସରକାରୀ ଅର୍ଥ ପାଣିରେ ଧୋଇଗଲା

ନେହେରୁ ଷ୍ଟାଡିୟମ୍ ନିର୍ମାଣ ପ୍ରସଙ୍ଗ, ୩ କୋଟି ସରକାରୀ ଅର୍ଥ ପାଣିରେ ଧୋଇଗଲା

10

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ ପାଇଁ ବ୍ୟୟ କରାଯାଇଥିବା ୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଣିରେ ଧୋଇଗଲା। ୨୦୨୨ ମସିହାରେ ନେହେରୁ ଷ୍ଟାଡିୟମ୍‌ର ପରିସରରେ କ୍ରିକେଟ୍‌, ଭଲିବଲ୍‌, ବାସ୍କେଟବଲ୍ ଓ ଜିମ୍ ପ୍ରତିଷ୍ଠା ସହ ଗ୍ୟାଲେରୀର ସେଡ୍ ନିର୍ମାଣ ପାଇଁ ୩ କୋଟି ଟଙ୍କା ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା। ପୂର୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ଖେଳ ପଡିଆର ଉନ୍ନତିକରଣ ବାବଦରେ ୧ କୋଟି ୬୦ ଲକ୍ଷ ଟଙ୍କାର ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଭଣ୍ଡାରିପୋଖରୀ ଅଂଚଳର ଏକ ଠିକାଦାରୀ ସଂସ୍ଥା ଏହାର ଉନ୍ନତିକରଣ ଦାୟିତ୍ୱ ନେଇଥିଲେ। ତେବେ ନିର୍ମାଣ କାର୍ଯ୍ୟର ଦୁଇବର୍ଷ ପରେ ଆଜି ଷ୍ଟାଡିୟମ୍ କେବଳ ଯଥା ପୂର୍ବଂ ତଥା ପରଂ ହୋଇନାହିଁ। ବରଂ ଜଳାର୍ଣ୍ଣବ ହୋଇପଡିଛି। ଷ୍ଟାଡିୟମ୍‌ର ଜଳ ନିଷ୍କାସନ ପାଇଁ ପରିକଳ୍ପିତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳରେ ସଂପୂର୍ଣ୍ଣ ଷ୍ଟାଡିୟମ୍‌ଟି ଏକ ପୋଖରୀର ଭ୍ରମ ସୃଷ୍ଟି କରିଛି। ନିର୍ମାଣ ଦାୟିତ୍ୱ ନେଇଥିବା ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ୩ କୋଟି ଟଙ୍କାରେ କରାଯାଇଥିବା ପଡିଆର ଉନ୍ନତିକରଣ କେବଳ ଠିକାଦାରଙ୍କୁ ପୋଷିବା ସାର ହୋଇଛି। ଏ ନେଇ କ୍ରୀଡାବିତ୍ ମାନଙ୍କୁ ଏହା କ୍ଷୁବ୍ଧ କରିଛି। ରାଜ୍ୟ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରୀ ଜିଲାପାଳଙ୍କ ସହ ଷ୍ଟାଡିୟମ୍ ପରିଦର୍ଶନରେ ଆସି ସବୁ ଦେଖିଥିଲେ ହେଁ ଷ୍ଟାଡିୟମ୍‌ଟିର ସମସ୍ତ ପ୍ରକାର ଉନ୍ନତିକରଣ ଖୁବଶୀଘ୍ର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଆଜି ତାଙ୍କ ଆଶ୍ୱାସନା ପାଣିର ଗାର ହୋଇଛି। କ୍ରିକେଟ୍‌, ବାସ୍କେଟବଲ୍‌, ଭଲିବଲ୍‌ର ଫିଲଡ୍ ହେଲାନାହିଁ, ସେ ଜାଗାରେ ବର୍ଷାଜଳ ଲହଡି ମାରୁଛି। ପଡିଆର ଉନ୍ନତିକରଣ ପାଇଁ ମୁଖ୍ୟତଃ କ୍ରିକେଟ୍ ଗ୍ରାଉଣ୍ଡ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ବାହାର ଜିଲାରୁ ଓ ଅନ୍ୟ ରାଜ୍ୟରୁ ନିମ୍ନମାନର ଘାସ ଓ ମାଟି ମଗାଯାଇ ପିଚ୍ ନିର୍ମାଣ କରାଯାଇଥିଲା। ଯାହାକି ଏବେ ତାହାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ବାସ୍କେଟବଲ୍ ଓ ଭଲିବଲ୍ ଗ୍ରାଉଣ୍ଡ ଅଦ୍ୟାବଧି ନିର୍ମାଣ ହୋଇନାହିଁ। କେବଳ ଜିମ୍‌ର ବିଲ୍‌ଡିଂ ଟି ପୂର୍ତ ବିଭାଗ ନିର୍ମାଣ କରି ଛିଡା କରିଦେଇଛି। ଅପରପକ୍ଷରେ ଗ୍ୟାଲେରୀରେ ସେଡ୍ ନିର୍ମାଣ ପାଇଁ ଅବଶିଷ୍ଟ ଅର୍ଥ କୋଟେସନ ଜରିଆରେ ଏକ ଠିକାଦାରୀ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏହି ସେଡ୍ ଗୁଡିକ ବାତ୍ୟାରେ ଉଡି ଧରାଶାୟୀ ହୋଇପଡିଲା। ଏହି ସେଡ୍ ବାବଦରେ ବ୍ୟୟ କରାଯାଇଥିବା ୧ କୋଟି ୩୦ ଲକ୍ଷର ହିସାବ କିତାବ ଅଦ୍ୟାବଧି ପୂର୍ତ ବିଭାଗ ଅନ୍ଧାରରେ ରଖିଛି। ପୂର୍ତ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଏବେ ଷ୍ଟାଡିୟମ୍‌ଟିର ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ତ ବିଭାଗର ଏହି ଉନ୍ନତିକରଣ କାର୍ଯ୍ୟକୁ ‘ସରକାରୀ କା ମାଲ, ଦରିଆ ମେ ଡାଲ’ ବୋଲି ସାଧାରଣ ଲୋକ କହୁଛନ୍ତି। ବିଶେଷକରି ଷ୍ଟାଡିୟମ୍‌ଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବାରୁ ଷ୍ଟାଡିୟମ୍‌କୁ ସଂଯୋଗ କରୁଥିବା ଡ୍ରେନ୍‌ଗୁଡିକ ଆବଶ୍ୟକ ମରାମତି ଅଭାବରୁ ଏଭଳି ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ୍ ବ୍ୟବସ୍ଥା ସୁବ୍ୟବସ୍ଥିତ ନଥିବାବେଳେ ପୂର୍ତ ବିଭାଗ କିଭଳି ଖେଳପଡିଆର ଉନ୍ନତିକରଣ ସକାଶେ ଅଯଥା ସରକାରୀ ଅର୍ଥକୁ ଅପଚୟ କଲେ, ଏ ନେଇ ବିଭାଗର କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲକୁ ସନ୍ଦେହ ଘେରରେ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.