Home ଜିଲ୍ଲା ପରିକ୍ରମା ନୃତ୍ୟ ଚନ୍ଦ୍ରିକା ମହୋତ୍ସବ ଉଦ୍‌ଘାଟିତ

ନୃତ୍ୟ ଚନ୍ଦ୍ରିକା ମହୋତ୍ସବ ଉଦ୍‌ଘାଟିତ

64

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶୀକୁ ନେଇ ଓଡ଼ିଶା ସମଗ୍ର ବିଶ୍ୱରେ ପରିଚିତ । ଗାନ୍ଧର୍ବ ବିଦ୍ୟାରେ ନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଦେବାଧିଦେବ ମହାଦେବଙ୍କ ନଟରାଜ ରୂପ ହିଁ ନୃତ୍ୟର ଅୟମାରମ୍ଭ । ମହେଞ୍ଜୋଦାର ଓ ହରପ୍‌ପା ସଭ୍ୟତାରୁ ନୃତ୍ୟର ପରିପ୍ରକାଶ ବୋଲି ଇତିହାସମାନେ କହୁଥିବାବେଳେ ବୈଦିକ ଯୁଗରୁ ନୃତ୍ୟର ସୃଷ୍ଟି ବୋଲି ଗବେଷକମାନେ ମତ ଦେଇଥାନ୍ତି । ସେ ଯାହା ହେଉନା କାହିଁକି ଓଡ଼ିଶାର ବଡଠାକୁର ବିଶ୍ୱ ଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ସମସ୍ତ ପର୍ବପର୍ବାଣୀ ପାଳିତ ହେଉଥିବାବେଳେ ଓଡ଼ିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶୀକୁ ନେଇ ସମଗ୍ର ବିଶ୍ୱ ଦରବାରରେ ପରିଚିତ । ସେଥିପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମାହାରୀ ଓ ଦେବଦାସୀ ପ୍ରଥା ଏବେବି ପ୍ରଚଳିତ ବୋଲି ଆଜି ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ନୃତ୍ୟ ଚନ୍ଦ୍ରିକା ମହୋତ୍ସବର ବକ୍ତାମାନେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନର ସଭାପତିଙ୍କ ଅଧ୍ୟକ୍ଷତାରେ ଇଂ ଅଭୟ ସୂତାର ଉଦ୍‌ଘାଟକ ଓ ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକ ହରମୋହନ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସଂସ୍କୃତିକୁ ନୃତ୍ୟର ଅବଦାନ ସଂପର୍କରେ ଆଲୋଚନା କରିଥିଲେ ।

ଫାଉଣ୍ଡେସନର ସାଧାରଣ ସଂପାଦକ ପ୍ରଭାତ ମଲ୍ଲିକ ସ୍ୱାଗତ ଭାଷଣ ଅବସରରେ ଅନୁଷ୍ଠାନର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଫାଉଣ୍ଡେସନର ସାଂସ୍କୃତିକ ସଂପାଦିକା ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାସ, ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ ମହାଳିକ, ସମାଜସେବୀ ଗୀତାରାଣୀ ଜେନା, କବି ସତ୍ୟପ୍ରକାଶ ସେଠୀ ପ୍ରମୁକ ଯୋଗଦେଇ ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନର ଇତିହାସ ଓ ସାଂସ୍କୃତିକ ଜଗତକୁ ନୃତ୍ୟର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ୱେତପଦ୍ମା ଦାସ ବେହେରା, ପୁଷ୍ପମିତ୍ରା ବେହେରା, ପ୍ରଦୀପ କୁମାର ବେହେରା, ଗୁରୁ ଶ୍ରୀ ଶଶିଭୂଷଣ ଦାସ, ଦେବୀଦିପ୍ତା ହୋତାଙ୍କୁ ନୃତ୍ୟ ଗୁରୁ ଭାବେ ସମ୍ମାନିତ କରାଯାଇଥିଲାବେଳେ ୩୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମହୋତ୍ସବରେ ଭଦ୍ରକ ତଥା ଭଦ୍ରକ ବାହାରର ବହୁ କୁନି କୁନି କଳିକାମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ଭଦ୍ରକ ଉପକଣ୍ଠରେ ଅନୁଷ୍ଠିତ ଏହିଭଳି ସ୍ୱତନ୍ତ୍ର ମହୋତ୍ସବକୁ ବହୁ ବୁଦ୍ଧିଜୀବୀମାନେ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନର କର୍ମକର୍ତ୍ତା ପରିଚାଳନା କରିଥିବାବେଳେ ନୃତ୍ୟ ଶିଳ୍ପୀ ଶ୍ୱେତପଦ୍ମା ଦାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.