ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦୀର୍ଘ ଦିନର ବ୍ୟବଧାନ ପରେ ଚଳଚଂଚଳ ହୋଇ ଉଠିଥିଲା ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ। ଏକଦା ରାଜ୍ୟରେ ବିଜେଡିର ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ଭଦ୍ରକ ବିଜେପି ଶାସନ କାଳରେ କ୍ରମଶଃ ଖଣ୍ଡ ଖଣ୍ଡ ହୋଇ ଚାଲିଛି। ତେଣୁ ବିଜୁ ଜନତା ଦଳର ସୁପ୍ରିମୋ,ଶଙ୍ଖ ସଙ୍ଗଠନର ମୁଖିଆ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳକୁ ସଶକ୍ତ କରିବା ସହିତ ଶଙ୍ଖ ସଙ୍ଗଠନକୁ ମଜବୁତ କରିବା ପାଇଁ ଯୁବ ନେତୃତ୍ୱ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରି ଗୁରୁ ଦାୟିତ୍ୱ ଦେବାପରେ ଶ୍ରୀ ପଟ୍ଟନାୟକ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ତୃଣମୂଳ ସ୍ତରର କର୍ମକର୍ତା ଠାରୁ ଆରମ୍ଭ କରି ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳର ନେତୃମଣ୍ଡଳୀଙ୍କ ନିକଟରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଥିଲା ଆଜି ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟଠାରେ। ନୂତନ ଜିଲ୍ଲା ସଭାପତିଙ୍କୁ ଦଳୀୟ କର୍ମୀ ଓ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାରମ୍ଭରେ ଦଳ ପକ୍ଷରୁ ନୂତନ ଜିଲା ସଭାପତି ଡ. ରାୟଙ୍କୁ ଏକ ଶୋଭାଯାତ୍ରାରେ ଜିଲା କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ସମସ୍ତ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୌରାଧ୍ୟକ୍ଷା ଗୁଲମୁକ୍କୀ ହବିବ,ପ୍ରଫୁଲ୍ଲ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପ୍ରଦୀପ ମଲ୍ଲିକ, ବିକାଶ ଶ୍ରେଷ୍ଠା, ସେକ୍ ଜକାଉଲ୍ଲା, ଯୋଗେନ୍ଦ୍ର ଘଡେଇ, ଟିକି ବଳଙ୍କ ସମେତ ଜିଲ୍ଲା ର ବରିଷ୍ଠ ନେତୃମଣ୍ଡଳୀ ଓ ବିଜେଡ଼ି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ,ଅଧ୍ୟକ୍ଷା, ବିଜୁ ଯୁବ ଓ ଛାତ୍ର ସମେତ ମହିଳା ଜନତା ଦଳର ବରିଷ୍ଠ ନେତୃତ୍ୱ ଆଗଧାଡିର ସଙ୍ଗଠକ ଉପସ୍ଥିତ ରହି ଆଗାମୀ ଦିନରେ ଭଦ୍ରକ ଜିଲ୍ଲାର ସାଧାରଣ ଜନତାଙ୍କ ସମସ୍ୟା ଓ ସ୍ୱାର୍ଥର ସୁରକ୍ଷା, ସ୍ୱାଭିମାନ ପାଇଁ ଭଦ୍ରକ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲଢେଇ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଡ଼. ରାୟ ଦଳକୁ ଆହୁରି ସକ୍ରିୟ, ସୁଦୃଢ଼ ଓ ଲୋକାଭୀମୁଖୀ କରିବା ପାଇଁ ଦଳର ଆଗାମୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଭିଙ୍କୁ ଅବଗତ କରାଇଥିଲେ। ତାଙ୍କର ଦୃଢ଼ ନେତୃତ୍ୱ, ସ୍ପଷ୍ଟ ଦୃଷ୍ଟିକୋଣ ଓ ଏକତାର ଆହ୍ୱାନ ସଭାରେ ନୂତନ ଉତ୍ସାହ ସଂଚାର କରିଥିଲା।
Home ଜିଲ୍ଲା ପରିକ୍ରମା ନୂତନ ଭଦ୍ରକ ଜିଲା ବିଜେଡି ସଭାପତି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା








