Home ଜିଲ୍ଲା ପରିକ୍ରମା ନୂଆ ସରକାର ଦୃଷ୍ଟି ଦେବେ କି! ବିପଦ ସଂକେତ ଅବସ୍ଥାରେ ଚାନ୍ଦବାଲି ବୈତରଣୀ ପୋଲ

ନୂଆ ସରକାର ଦୃଷ୍ଟି ଦେବେ କି! ବିପଦ ସଂକେତ ଅବସ୍ଥାରେ ଚାନ୍ଦବାଲି ବୈତରଣୀ ପୋଲ

15

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପୂର୍ତ ବିଭାଗ ଦ୍ୱାରା ୨୦୦୬ ମସିହାରେ ୨୫ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ । ପଡୋଶୀ କେନ୍ଦ୍ରାପଡା, ଯାଜପୁର, କଟକ ଓ ଭୁବନେଶ୍ୱରକୁ ମୁଖ୍ୟ ସଡକପଥରେ ସଂଯୋଗ କରୁଥିବା ଚାନ୍ଦବାଲିର ବୈତରଣୀ ପୋଲ ଏବେ ଦୁଇଫୁଟ୍ ତଳକୁ ଦବିଯାଇଛି । ଏଥିସହ ପୋଲ ଉପର ରାସ୍ତା ମଝିରେ ଅତୀତରେ ଏକ ଫାଟ ତଥା ଖାଲ ଦେଖିବାକୁ ମିଳିଥିବାବେଳେ ତରବରିଆ ଭାବେ ବିଭାଗ ପକ୍ଷରୁ ଏହାକୁ ମରାମତି କରିଦିଆଗଲା ସିନା, କିନ୍ତୁ ନବୀନ ସରକାରଙ୍କ ସମୟରେ ଯେଉଁ ଦୁଇଫୁଟ୍ ଦବିଛି, ସେ ବିଷୟରେ ଏକାଧିକବାର କ୍ଷେତ୍ରୀୟ ତଦନ୍ତ କରାଯାଇଛି, ହେଲେ ଫଳ ଶୂନ । ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ପକ୍ଷରୁ ବହୁବାର ସ୍ଥାୟୀ ମରାମତି ନିମନ୍ତେ ସ୍ୱର ଉତୋଳନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ମୋହନ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି । ଏହି ପୋଲ ଉପରେ ଯିବା ସମୟରେ ଯଦି କୌଣସି ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ତାର ମୃତ୍ୟୁ ନିଶ୍ଚିତ । ଅନ୍ୟପକ୍ଷରେ ଦୈନିକ ଶହ ଶହ ଭାରିଯାନ ଯାତାୟତ ସମୟରେ ପୋଲଟି ଭୟଙ୍କର ଭାବେ ଥରୁଥିବାର ଲକ୍ଷ୍ୟ କରାଯାଉଛି । ଯଦ ଏହା ଭୁଶୁଡି ପଡେ ତେବେ, ବହୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ଦୀର୍ଘଦିନ ପୂର୍ବରୁ ଏହି ପୋଲର ମରାମତି ହେବାର ଆବଶ୍ୟକ ଥିବା ନେଇ ବିଭାଗୀୟ କ୍ଷେତ୍ରୀୟ ତଦନ୍ତ ହୋଇଥିଲେ ମଧ୍ୟ ତାହାର ଫଳାଫଳ କିଛି ହୋଇନାହିଁ । ବିଭାଗୀୟ ଉଦାସୀନତା ହିଁ ଏହାର ଏକମାତ୍ର କାରଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିବାବେଳେ ଯଦି ଏଥିଯୋଗୁଁ କୌଣସି ଧନଜୀବନର ହାନି ହୁଏ, ତେବେ ସରକାର ଦାୟୀ ରହିବେ ବୋଲି କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.