Home ଜିଲ୍ଲା ପରିକ୍ରମା ନୂଆ ସରକାରଙ୍କ ୧୦୦ ଦିନର ରିପୋର୍ଟ କାର୍ଡ଼ ହେଉଛି ବିକାଶ ମେଳା – ସଂସ୍କୃତି ମନ୍ତ୍ରୀ,...

ନୂଆ ସରକାରଙ୍କ ୧୦୦ ଦିନର ରିପୋର୍ଟ କାର୍ଡ଼ ହେଉଛି ବିକାଶ ମେଳା – ସଂସ୍କୃତି ମନ୍ତ୍ରୀ, ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଜନ ସମାବେଶ ଓ ବିକାଶ ମେଳା

10
????????????????????????????????????

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଆଧାରରେ ଭଦ୍ରକ ଜିଲ୍ଲା ସ୍ତରୀୟ ଜନ ସମାବେଶ ଓ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପିର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ସମାଜସେବୀ ଅଜୟ କୁମାର ନାୟକ, ସୁଧାଂଶୁ ଶେଖର ନାୟକ, ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଗତିର ନୂତନ ସୂର୍ଯ୍ୟୋଦୟ ନୂଆ ସରକାରଙ୍କ ସଫଳତାର ୧୦୦ ଦିନର ଗାରିମା ଆଧାରରେ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ନାରୀଶକ୍ତିକୁ ଶକ୍ତି ‘ସୁଭଦ୍ରା’, ଲୋକଙ୍କ ସରକାର ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି, ଓଡ଼ିଆ ଅସ୍ମିତା କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ ପାଇଁ କର୍ପସ ଫଣ୍ଡ, ଶ୍ରୀମନ୍ଦିରର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା, ପି.ଏମ୍‌. ଶ୍ରୀ ଯୋଜନା, ନିପୁଣ ଓଡ଼ିଶା, ଜନଜାତି ବିକାଶ, ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତଦ୍ୟୋୟ ଆବାସ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଲୋକଙ୍କ ଠାରେ ସରକାରଙ୍କ ଦାୟିତ୍ୱବୋଧତା ଆଧାରରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ ନେଇ ୧୦୦ ଦିନ ର କାର୍ଯ୍ୟକଳାପର ରିପୋର୍ଟ କାର୍ଡ଼ ଏହି ବିକାଶ ମେଳା ଜରିଆରେ ପ୍ରଦାନ କରାଯାଉଥିବା କଥା ମୁଖ୍ୟ ଅତିଥି କହିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇ ସମସ୍ତ ଅତିଥିକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେପ୍ଟେମ୍ବର ୧୭ ରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ଆରମ୍ଭ ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ଅତିଥିମାନଙ୍କ ସହ ସାଧାରଣ ସଭାରେ ଉପସ୍ଥିତ ୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ। ସୁଭଦ୍ରା ସହାୟତା ରାଶି ପ୍ରାପ୍ତ ହିତାଧିକାରୀ, କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କୃତି କ୍ରୀଡ଼ା ପ୍ରତିଭା, ଶ୍ରମ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ଯୋଜନାରେ ପ୍ରଦତ ପ୍ରୋତ୍ସାହନ ରାଶି ପ୍ରାପ୍ତ ହିତାଧିକାରୀ ମାନଙ୍କୁ ମଂଚରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଚଳଚିତ୍ର ତାରକା ପୁପିନ୍ଦରଙ୍କ ଆକର୍ଷଣୀୟ ଉଦ୍‌ଘୋଷଣା ଓ ମଂଚ ପରିଚାଳନା ଖୁବ୍ ଉଚ୍ଚକୋଟୀର ଥିଲା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଦୃଶ୍ୟ ଓ ଶ୍ରାବ୍ୟ ପ୍ରାମାଣିକ ଚିତ୍ର ଏଲ.ଇ.ଡ଼ି. ଜରିଆରେ ପ୍ରଦର୍ଶିତ କରାଯାଇଥିଲା। ସାଧାରଣ ସଭା ପରେ ପରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳଙ୍କ ପରିଚାଳନାରେ ଆଂଚଳିକ ସ୍କୁଲ ଓ କଲେଜ ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓରମାସ ଆନୁକୂଲ୍ୟରେ ଡି.ପି.ଏମ୍‌.ର ଓ.ଏଲ୍‌,ଏମ୍ ସଞ୍ଜୟ ବାରିକ୍‌, ଉପମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପରିଚାଳନାରେ ୩୦ ରୁ ଉର୍ଦ୍ଧ୍ୱ ପ୍ରଦର୍ଶନୀ ମଣ୍ଡପ ମେଳାରେ ସ୍ଥାନ ପାଇଛି। ଏହି ମେଳା ୩ ଦିନ ଧରି ଆୟୋଜନ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି। ଅଚାନକ ବର୍ଷା, ପବନ, ଘଡ଼ଘଡ଼ି ନେଇ ପାଗର ପ୍ରତିକୂଳ ପରିସ୍ଥିତିରେ ପୂର୍ବ ପ୍ରସ୍ତୁତି କଲେଜ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହୋଇନଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ବିହିତ ପଦକ୍ଷେପ ଗ୍ରହଣ କରାଯାଇ କଲେଜ ପରିସରରେ ଥିବା ସ୍ଥାୟୀ ଗେଲେରୀ ଅଡିଟାରିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ଜିଲ୍ଲା ବାହାରୁ ଆସିଥିବା ନାମୀଦାମୀ କଳାକାରଙ୍କ ଦ୍ୱାରା ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏସ.ପି. ବରୁନ୍ ଗୁଂଟୁପାଲି, ଏ.ଏସ୍‌.ପି. ବାମଦେବ, ସିଂ ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ଓ ଜନସମାବେଶ ନୟନ୍ତ୍ରଣ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲାର ସମସ୍ତ ବି.ଡ଼ି.ଓ. ତହସିଲଦାର ଓ ସଂପୃକ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.