Home ଜିଲ୍ଲା ପରିକ୍ରମା ନୂଆ ସଂରକ୍ଷଣ ପରେ, ସବୁ ଅଙ୍କ ଭୂଲ ହୋଇଗଲା – ନେତାଙ୍କ ମୁଣ୍ଡ ବିଗିଡ଼ିଗଲା

ନୂଆ ସଂରକ୍ଷଣ ପରେ, ସବୁ ଅଙ୍କ ଭୂଲ ହୋଇଗଲା – ନେତାଙ୍କ ମୁଣ୍ଡ ବିଗିଡ଼ିଗଲା

45

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ଭଣ୍ଡାରିପୋଖରୀ ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀ ଦୁଇଟି ବ୍ଲକ ଓ ୪୮ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବିଧାନସଭା ଆସନ ନିର୍ବାଚନରେ ବନ୍ତ ବ୍ଲକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଉକ୍ତ ବ୍ଳକ ୨୦୧୭ ପଂଚାୟତ ନିର୍ବାଚନରେ ୨୨ଗୋଟି ପଂଚାୟତରୁ ୨୫ଗୋଟି ପଂଚାୟତରେ ପରିଣତ ହୋଇଥିଲା । ଆସନ୍ତା ଫେବୃଆରୀ ମାସରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । କେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ? କିଏ ପଂଚାୟତ ସମିତିକୁ ଦଖଲ କରିବ? ଏହାକୁ ନେଇ ଏବେଠୁ ଚାରିଆଡ଼େ ଚର୍ଚ୍ଚା । ଆଉ ଦିନ କେଇଟା ପରେ ବିଭିନ୍ନ ଦଳ ପ୍ରତି ପଂଚାୟତରୁ ତାର ଆଶାୟୀ ପ୍ରାର୍ôଥଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଧାୟକ ପ୍ରତିନିଧି ତଥା ବିଜେଡ଼ି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ(ଲୁଲୁ)ଦଳୀୟ ମଙ୍ଗ ଧରି ପଂଚାୟତ ସମିତିକୁ ଦଖଲ କରିବା ପାଇଁ ନିଜର ଗୋଟି ଚାଳନା ଜୋରଦାର କରୁଛନ୍ତି । ବନ୍ତ ବ୍ଲକକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୯ଗୋଟି ପଂଚାୟତକୁ ନେଇ ଗଠିତ ୧୪ନଂ ଜୋନରେ ବିଜେଡ଼ି ପକ୍ଷରୁ ଲୁଲୁଙ୍କ ନେତୃତ୍ୱରେ ଚଳିତ ବର୍ଷ ପାଖାପାଖି ସବୁ ପଂଚାୟତରେ ସରପଂଚ ଓ ସମିତି ସଭ୍ୟଙ୍କ ନୂଆ ମୁହଁ ଚୟନ କରାଯାଇ ନୂଆ ସମୀକରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଘୋଷିତ ପ୍ରାର୍ଥୀ ତାଲିକାରୁ ଜଣାପଡ଼ିିଥିଲା । କିନ୍ତୁ ଗତ ୨୭ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ନୂତନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସବୁ ଓଲଟ ପାଲଟ ହୋଇଯାଇଛି ।

ନୂତନ ତାଲିକା ଅନୁଯାୟୀ ସରପଂଚ ଓ ସମିତିସଭ୍ୟ ଭାବେ ବିଟିପୁର,ଗୋପିନାଥପୁର ଓ ଅଣିଜୋରେ ମହିଳା,ଅଣସଂରକ୍ଷିତ,ବଡ଼ମହିଁଷଗୋଠ ଓ ପୁରୁଷଣ୍ଢରେ ଅଣସଂରକ୍ଷିତ,ମହିଳା,ମହାନ୍ତିପଡ଼ାରେ ଅଣସଂରକ୍ଷିତ, ଅଣସଂରକ୍ଷିତ,ଆଡ଼ିଆରେ ମହିଳା,ମହିଳା,ଚାରିଗାଁରେ ମହିଳା,ଅଣସଂରକ୍ଷିତ,ରାମଚନ୍ଦ୍ରପୁରରେ ଅନୁସୂଚିତ ଜାତି ମହିଳା, ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ପ୍ରକାଶ ଥାଉକି; ଗତ ୨୦୧୭ ରେ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ ସମୀକରଣ ଅନୁଯାୟୀ ୧୪ ନଂ ଜୋନରେ ପୁରୁଷଣ୍ଢ ପଂଚାୟତରୁ ସରପଂଚ କଂଗ୍ରେସ ଓ ସମିତି ସଭ୍ୟ ବିଜେଡ଼ି ପ୍ରାର୍ଥୀ, ବଡ଼ମହିଁଷଗୋଠ, ଅଣିଜୋ ଓ ଆଡ଼ିଆରୁ ସରପଂଚ ଓ ସମିତି ସଭ୍ୟ କଂଗ୍ରେସ ପ୍ରାର୍ଥୀ, ଗୋପିନାଥପୁର ଓ ମହାନ୍ତିପଡ଼ାରୁ ସରପଂଚ ଓ ସମିତି ସଭ୍ୟ ବିଜେଡ଼ି ପ୍ରାର୍ଥୀ, ରାମଚନ୍ଦ୍ରପୁର ପଂଚାୟତରୁ ସରପଂଚ ବିଜେଡ଼ି ଓ ସମିତି ସଭ୍ୟ ଭାବେ ସ୍ୱାଧିନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ନୂତନ ଭାବେ ଗଠିତ ଚାରିଗାଁ ପଂଚାୟତରୁ ସରପଂଚ ଭାବେ ସ୍ୱାଧିନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜେପିରୁ ସମିତି ସଭ୍ୟ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ଓ ନୂତନ ବିଟିପୁର ପଂଚାୟତରୁ ସରପଂଚ କଂଗ୍ରେସ ପ୍ରାର୍ଥୀ ଓ ସମିତି ସଭ୍ୟ ଭାବେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ଫଳାଫଳ ଅନୁଯାୟୀ ଉକ୍ତ ଜୋନରେ କଂଗ୍ରେସରୁ ସରପଂଚ ପ୍ରାର୍ଥୀ ଭାବେ ୫ଜଣ ବିଜୟ ଲାଭ କରିଥିବା ବେଳେ ସ୍ୱାଧିନ ଭାବେ ଜଣେ ଓ ବିଜେଡ଼ିରୁ ୩ଜଣ ବିଜୟ ଲାଭ କରିଥିଲେ । ସେହିପରି ସମିତି ସଭ୍ୟ ଭାବେ କଂଗ୍ରେସରୁ ୩, ବିଜେଡ଼ିରୁ ୪, ବିଜେପିରୁ ୧ ଓ ସ୍ୱାଧିନରୁ ୧ଜଣ ବିଜୟ ଲାଭ କରିଥିଲେ । ଏହି ଫଳାଫଳରେ ପରିବର୍ତ୍ତନ ଆଣିବାକୁ ଯାଇ ବନ୍ତ ବ୍ଲକରେ ଗତ କିଛି ବର୍ଷ ଧରି ବିଜେଡ଼ି ସଂଗଠନକୁ ସୁଦୃଢ କରିବାକୁ ଲୁଲୁ ନିଜର ପ୍ରଚେଷ୍ଠା ଜାରି ରଖିଥିବାର ଦେଖିବାକୁ ମିଳିଛି । ନୂତନ ତାଲିକା ପ୍ରକାଶପରେ ବିଭିନ୍ନ ଦଳରୁ ବହୁ ଆଶାୟୀ ପ୍ରତିଦ୍ୱନ୍ଦିତା କରିବାରେ ଅସଫଳ ହୋଇଛନ୍ତି । ଅପରପକ୍ଷରେ ବିଜେଡ଼ିରୁ ବର୍ତ୍ତମାନ ଲୁଲୁ ଅଧିକ କ୍ରିୟାଶୀଳ ହୋଇ ନୂତନ ପ୍ରାର୍ଥି ଚୟନ କରିବା ସହ ନୂଆ ସମୀକରଣ ଖୋଜିବାର ପ୍ରୟାସ କେତେ ଦୂର ସଫଳ ହେବ ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ତାଙ୍କର ସଫଳତା ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.