Home ଜିଲ୍ଲା ପରିକ୍ରମା କାଦୁଅ ପଚପଚ ପୂର୍ତ୍ତ ବିଭାଗ ରାସ୍ତା

କାଦୁଅ ପଚପଚ ପୂର୍ତ୍ତ ବିଭାଗ ରାସ୍ତା

29

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୌସୁମୀର ଲୁଚକାଳି ଖେଳ ଚାଷୀଙ୍କ ପାଇଁ କାଳ ହୋଇଥିବା ବେଳେ ଚାଷକୁ ଅମଳ କରିବାକୁ ଯାଇ ଚାଷୀ ବ୍ୟବହୃତ କରୁଥିବା ଧାନ କଟା ଗାଡ଼ି (ମେସିନ ସହ) ବର୍ତ୍ତମାନ ସାଧାରଣ ଲୋକଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି । ଯାହାକୁ ନେଇ ଅସନ୍ତୋଷ ଭାବ ଦେଖା ଦେଇଛି । ଡ଼ିସେମ୍ବର ମାସ ଆରମ୍ଭରେ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଜୱାଦ ଯୋଗୁଁ ଦୁଇ ଦିନ ଧରି ବର୍ଷା ଓ ପବନ ହୋଇଥିଲା । ପାଚିଲା,ଅଧାପାଚିଲା ଧାନଗଛ ଗୁଡ଼ିକ ପବନରେ ଶୋଇଯିବା ପରେ ବର୍ଷା ପାଣିରେ ବୁଡ଼ି ରହିଥିଲା । ବିଲରୁ ପାଣି କମିବାକୁ ଅପେକ୍ଷା କରିବା ପରେ କିଛି ଦିନ ହେବ ଚାଷୀ ବିଲ ଓଦା ଥିôଲେବି ଧାନକୁ ଖଳାକୁ ଆଣିବା ପାଇଁ ବା କିଛି ଚାଷୀ ବିଲରେ ଧାନ କଟା ପାଇଁ ବ୍ୟବହୃତ ବଡ଼ବଡ଼ ଗାଡ଼ି (ମେସିନ ସହ)ର ସାହାଯ୍ୟ ନେଉଛନ୍ତି । ଏହି ଗାଡ଼ି ଗୁଡ଼ିକ ଧାନ କାଟି ସାରିବା ପରେ ରାସ୍ତାକୁ ଆସିବା ମାତ୍ରେ ତା ଚକରୁ ବଡ଼ବଡ଼ କାଦୁଅ ଗୋଳା ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ି ଯାନବାହନ ସମେତ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଗତ ମଙ୍ଗଳବାର ରାତିରେ ଅଦିନିଆ ବର୍ଷା ହେବା ଫଳରେ ପୂର୍ତ୍ତ ବିଭାଗ ରାସ୍ତାଟି କାଦୁଅ ପଚପଚ ହୋଇ ମରଣଯନ୍ତା ପାଲଟିଛି । ସୂଚନା ଅନୁଯାୟୀ ଉକ୍ତ ରାସ୍ତାରେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖିନ ହୋଇ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ଏଠାରେ ପ୍ରକାଶ ଥାଉକି;ଗତ ଜୁନ ମାସରେ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧିନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରବର୍ତ୍ତୀ ମୁହୁର୍ତ୍ତରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । କିନ୍ତୁ ଇତି ମଧ୍ୟରେ ୭ମାସ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ତରଫରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି କୌଣସି ପଦକ୍ଷେପ ନିଆଯାଉନଥିବାରୁ ପୂର୍ତ୍ତବିଭାଗ ରାସ୍ତାଟି ବିଗିଡ଼ିବା ସହ ବର୍ତ୍ତମାନ ଉକ୍ତ ରାସ୍ତା ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କଲାଣି । ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । ନିର୍ମାଣ କାଯ୍ୟ ର୍ ନିମ୍ନମାନର ହୋଇଥିବା ଯୋଗୁଁ ଏବଂ ରକ୍ଷଣାବେକ୍ଷଣ ସ୍ଥାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରାଯାଉନଥିବାରୁ ରାସ୍ତା ମରାମତି ସରୁସରୁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସି ଗମନାଗମନରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା । ପରେ ଗତ ଏପ୍ରିଲ ମାସରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଏହା ନସରୁଣୁ ଜାମବଣି ଠାରୁ ବରପଦା ପର୍ଯ୍ୟନ୍ତ ମରାମତି ହୋଇଥିବା ରାସ୍ତା ପୁଣି ଫାଟି ଯିବା ସହ, ଉଭୟ ପାଶ୍ୱର୍ ଦବି ଯାଇ ଗମନାଗମନରେ ବିପଦ ସୃଷ୍ଟି କରିଥିଲା । ରାସ୍ତାର ମଝିରେ ମଝିରେ ଗାତ ମଧ୍ୟ ସୃଷ୍ଟି ହୋଇଥିଲା । ଉକ୍ତ ଗାତ ଗୁଡ଼ିକୁ ପୂରଣ କରିବାକୁ ଯାଇ ପିଚୁ ବଦଳରେ ମୋରମ ବ୍ୟବହୃତ ହୋଇଥିଲା । ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତାର ରକ୍ଷରାବେକ୍ଷଣ ଠିକ୍ ଭାବେ ହୋଇନଥିବାରୁ ବର୍ତ୍ତମାନ ରାସ୍ତା ମଝିରୁ ଦୁଇଫାଳ ହୋଇଯାଇଛି । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ଏଥି ସହିତ ରାସ୍ତା ବିଭିନ୍ନ ସ୍ଥାନରେ ପିଚୁ ସବୁ ଉଠି ଯାଇ ଖାଲଖମା ସୃଷ୍ଟି ହେଲାଣି ଓ ଉକ୍ତ ସ୍ଥାନରେ କାଦୁଅ ପଶି ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କଲାଣି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.