Home ଜିଲ୍ଲା ପରିକ୍ରମା ନୂଆବର୍ଷରେ ହତ୍ୟାକାଣ୍ଡ, ପୁଲିସର ଭୂମିକାକୁ ପ୍ରଶ୍ନ, ରବିବାର ଶବସହ ଥାନାଘେରାଉ ଚେତାବନୀ

ନୂଆବର୍ଷରେ ହତ୍ୟାକାଣ୍ଡ, ପୁଲିସର ଭୂମିକାକୁ ପ୍ରଶ୍ନ, ରବିବାର ଶବସହ ଥାନାଘେରାଉ ଚେତାବନୀ

31

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ପୂର୍ବବର୍ଷ ଭଳି ନୂଆବର୍ଷରେ ହତ୍ୟାକାଣ୍ଡ ଘଟିଛି । ଗତ ୩୧ ତାରିଖ ୨ଟା ସମୟରେ ନାରାୟଣପୁର ଗ୍ରାମର ବଡଭାଇ କାହ୍ନୁଚରଣ ବାରିକଙ୍କ ପରିବାର ପକ୍ଷରୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ସାନଭାଇ ଚିତ୍ତରଞ୍ଜନ ବାରିକ ଓରଫ ଟୁନିଆ (୪୬) ଶନିବାର ଚିକିତ୍ସାଧିନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ପ୍ରାଣ ହରାଇଥିବା ଜଣାଯାଇଛି । ଏଥିନେଇ ମୃତକଙ୍କ ପୁତ୍ର ପବିତ୍ର ଏତାଲା ଆଧାରରେ ଥାନାରେ ୪ଜଣଙ୍କ ନାମରେ ୨/୨୪ନଂ ମାମଲା ଅପେକ୍ଷାକୃତ କୋହଳ ଦଫା ଲଗାଇ ଋଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ ବଡବାପା କାହ୍ନୁ ଦାଣ୍ଡ ଅଳିଆକୁ ଚିତ୍ତଙ୍କ ଘର ଆଡକୁ ପକାଉଥିଲା । ଚିତ୍ତ ଏହାର ପ୍ରତିବାଦ କରିବାରୁ କାହ୍ନୁ, ପତ୍ନୀ ସତ୍ୟଭାମା, ପୁତ୍ର ସିଲୁ, ଝିଅ ଚିନ୍ମୟୀ ମିଳିତ ଭାବେ ମାରଣାସ୍ତ୍ର ସହାୟତାରେ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ଚିତ୍ତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭଦ୍ରକ ଓ ଶେଷରେ କଟକ ବଡଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଶନିବାର ଦିନ ୨ଟା ବେଳେ ଚିତ୍ତରଞ୍ଜନ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ କାହ୍ନୁଙ୍କ ପତ୍ନୀ ସତ୍ୟଭାମାଙ୍କ ଅଭିଯୋଗ ଆଧାରରେ ୧/୨୪ନଂ ମାମଲା ଟାଣ ଦଫା ଲଗାଇ ପୁଲିସ ଚିତ୍ତ, ପତ୍ନୀ ପ୍ରମିଳା ଓ ପୁତ୍ର ଗୌରଙ୍କ ନାମରେ ଋଜୁ କରିଥିଲା । ଘଟଣାକୁ ୭ ଦିନ ବିତିଯାଇଥିଲେ ବି ପୁଲିସ ତୁନି ପଡିଥିଲା ଓ କାହାକୁ ଗିରଫ କରିନଥିଲା । କେବଳ ଅଭିଯୋଗର ଲେଖାକୁ ଆଳ କରି ପୁଲିସ ପକ୍ଷପାତ ଦଫା ଲଗାଇବା ଓ ଘଟଣାକୁ ବାସ୍ତବ ଅନୁଧ୍ୟାନ ନକରିବା ଫଳରେ ଆକ୍ରମଣକାରୀ ପୁଲିସ ସୁରକ୍ଷା ପାଇଥିବା ଅଭିଯୋଗ ହୋଇଛି । ଚିତ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ ବି ପୁଲିସ ହତ୍ୟାଉଦ୍ୟମ ଦଫା କାହିଁକି ଲଗାଇନଥିଲା ତାହାକୁ ନେଇ ପ୍ରଶ୍ନ ହୋଇଛି । ରବିବାର ଚିତ୍ତଙ୍କ ଶବ ବ୍ୟବଚ୍ଛେଦ ହେବ । ଶବ ଆସିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ ହତ୍ୟାମାମଲାରେ ଗିରଫ କରାଯାଇନଥିଲେ ଶବ ସହ ଥାନା ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଘଟଣାରେ ପୁଲିସର ଭୂମିକାକୁ ତୀବ୍ର ସମାଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.