
ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ନୂଆନନ୍ଦ ଗ୍ରାମସ୍ଥିତ ମହାବିଦ୍ୟା ପୀଠରେ ମା’ ଦକ୍ଷିଣ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ସାଧକ ପିତାମ୍ବର ଦାସ ଓ ତାଙ୍କ ପତ୍ନୀ ଶୈଳ ବାଳା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେଉଛି।ଏଥିପାଇଁ ମଙ୍ଗଳବାର ପୂର୍ବାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ୧୨୭ଜଣ ମହିଳା ଓ ଶ୍ରଦ୍ଧାଳୁମାନେ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି କୁଣ୍ଡି ନଦୀ ନିକଟରେ ପହଂଚିଥିଲେ । ସେଠାରେ କଳସ ବୁଡ଼ାଇ ଫେରିବା ପରେ କଳସକୁ ମନ୍ଦିର ନିକଟ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବାପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞ ପୁରୋହିତ ଭାବେ ବସନ୍ତ ନନ୍ଦ, ରବିନାରାୟଣ ପଣ୍ଡା, ମାନସ ମିଶ୍ର, କାହ୍ନୁ ଚରଣ ପାଢ଼ୀ, ରବିନାରାୟଣ ନନ୍ଦ ଓ କର୍ତା ଭାବେ ଭବାନୀ ଶଙ୍କର ଦାସ, ସୁନିତା ଦାସ, ରାମାନୁଜ ଦାସ, ଚିନ୍ମୟୀ ଦାସ, ମନୋରଞ୍ଜନ ଦାସ, ଅପର୍ଣ୍ଣା ପାର୍ବତୀ ଦାସ, ଲୋକନାଥ ଦାସ ଓ ଶ୍ୟାମାରାଣୀ ଦାସ ପୂଜା କାର୍ଯ୍ୟ ତୁଲାଉଛନ୍ତି । ବୁଧବାର ନୂତନ ବିଗ୍ରହ, ଶିଖର କଳସ, ଧ୍ୱଜା ସ୍ଥାପନ, ଗୁରୁବାର ମାଙ୍କ ଉପଚାର ସହ ଗୀତା ପୁଟିତ ମହାଯଜ୍ଞ, ଶୁକ୍ରବାର ଅଷ୍ଟାଦଶ ମହାବିଦ୍ୟା ଆବାହନ ପୂଜା, ଚଣ୍ଡି ପୁଟିତ ମହାଯଜ୍ଞ ଏବଂ ଶନିବାର ମାଙ୍କ ସହସ୍ର ନାମ ମହାଯଜ୍ଞ ସହିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାଛଡ଼ା ମନ୍ଦିରରେ ଦଶ ଦିଗପାଳ, ଦଶ ମହାବିଦ୍ୟା, ଅଷ୍ଟମାତୃକା, ପାର୍ଶ୍ୱ ଦେବତା ସହ ଗଣେଶ ଓ କାର୍ତିକଙ୍କ ମୂର୍ତି ସ୍ଥାପନ କରାଯିବ । ତେବେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସରପଂଚ ନିହାରିକା ବିଶ୍ୱାଳ, ମନମୋହନ ସାହୁ,କୈଳାସ ପତି, ସଂଗ୍ରାମ କେଶରୀ ଦାସ , ଯଯାତି କେଶରୀ ଦାସଙ୍କ ସହିତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।






