Home Top News ନୂଆଗାଁ-ନୟାଗଡ଼ ଟାଉନରୁ ପୁରୀକୁ ନିୟମିତ ଚାଲିଲା ରେଳ

ନୂଆଗାଁ-ନୟାଗଡ଼ ଟାଉନରୁ ପୁରୀକୁ ନିୟମିତ ଚାଲିଲା ରେଳ

20

ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଦୀର୍ଘ ଦୁଇବର୍ଷ ପରେ ନୟାଗଡ଼ ଟାଉନରୁ ପୁରୀକୁ ନିୟମିତ ରେଳ ଚଳାଚଳ ଆରମ୍ଭ ହୋଇଛି। ତେବେ ନୟାଗଡ଼ ଟାଉନରୁ ମହିପୁର- ନୂଆଗାଁ ପର୍ଯ୍ୟନ୍ତ ରେଳ ଲାଇନ୍ ସମ୍ପ୍ରସାରଣ ହେବା ପରେ ନୂଆଗାଁରୁ ପୁରୀକୁ ଗୁରବାର ଠାରୁ ନିୟମିତ ରେଳ ଚଳାଚଳ କରିଛି। ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା ନୂଆଗାଁରୁ ପୁରୀକୁ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଠାରୁ ସୁନାବେଶ ପର୍ଯ୍ୟନ୍ତ ସାମୟିକ ଭାବେ ଚାଲିଥିବାବେଳେ ଏହା ବନ୍ଦ ରହିଥିଲା। ନୂଆଗାଁରୁ ରେଳ ଚଳାଚଳ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଜୁନମାସ ୩୦ ତାରିଖରେ ଉଦ୍‌ଘାଟନ କରିଥିଲେ ଏବଂ ଜୁଲାଇ ୧ ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ରେଳ ନୂଆଗାଁରୁ ପୁରୀକୁ ଚାଲିଥିଲା। ତେବେ ବିଧିବଦ୍ଧ ଭାବେ ଆଜିଠାରୁ ନୂଆଗାଁ ଠାରୁ ପୁରୀକୁ ରେଳ ଚଳାଚଳ କରିଛି। ପୂର୍ବରୁ ନୟାଗଡ଼ ଟାଉନ୍‌ରୁ ଭୋର ୫ଟାରୁ ରେଳ ବାହାରି ପୁରୀରେ ୯ଟାରେ ପହଁଚୁଥିଲା ଏବଂ ସେଠାରୁ ଅପରାହ୍ନ ୫ଟାରେ ବାହାରି ନୟାଗଡ଼ରେ ରାତି ୯ଟା ଭିତରେ ପହଁଚୁଥିଲା। ଏବେ ରେଳ ଚଳାଚଳ ସମୟ ସାରଣୀ ପରିବର୍ତ୍ତନ ହୋଇଥିବାରୁ ନୂଆଗାଁରୁ ସକାଳ ୮ଟା ୧୦ ଓ ନୟାଗଡ଼ ଟାଉନରୁ ସକାଳ ୮ଟା ୪୭ରେ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ମିନିଟ୍‌ରେ ପହଂଚୁଥିବାବେଳେ ଭକ୍ତମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ ଦେଖିସାରି ପୁରୀରୁ ୭ଟା ୫୦ରେ ଟ୍ରେନରେ ବସି ନୟାଗଡ଼ରେ ରାତି ୧୧ଟା ସୁଦ୍ଧା ଓ ନୂଆଗାଁରେ ରାତି ସାଢେ ୧୧ଟା ଭିତରେ ପହଁଚିବେ। ତେବେ ରେଳ ଚଳାଚଳର ଏହି ସମୟ ସାରଣୀକୁ ନେଇ ଭିନ୍ନମତ ଦେଖାଦେଇଛି। ପରିବର୍ତ୍ତନ ସମୟ ସାରଣୀକୁ ନେଇ ଏହି ସମୟ ସନ୍ଧ୍ୟା ଦର୍ଶନ ପାଇଁ ଠିକ୍ ବୋଲି କହିବା ସହିତ ଯାତ୍ରୀମାନେ ସୁବିଧାରେ ଆସିପାରିବେ ବୋଲି କହିଥିଲାବେଳେ ଆଉ କେତେକ ପୂର୍ବରୁ ଥିବା ସମୟ ସାରଣୀ ଭଲ ଥିଲା ବୋଲି କହିଥିଲେ। କାରଣ ଏବେ ଯେଉଁ ସମୟ ସାରଣୀ ହୋଇଛି ବିଳମ୍ବିତ ରାତିରେ ପହଂଚିଲେ କିଛି ଅଘଟଣ ଘଟିପାରେ। ତେଣୁ ଏହି ସମୟ ସାରଣୀ ପରିବର୍ତ୍ତନ ହେଲେ ଯାତ୍ରୀମାନଙ୍କୁ ସୁହାଇବ ବୋଲି କହିଛନ୍ତି। ତେବେ ଦୀର୍ଘ ୨ବର୍ଷ ପରେ ପୁରୀରୁ ନୟାଗଡ଼କୁ ରେଳ ଚଳାଚଳ କରୁଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର -ନୂଆଗାଁ ସ୍ପେଶାଲ ପାସେଞ୍ଜର ଟ୍ରେନ ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱରରୁ ସକାଳ ୯ଟା ୨୫ ପରିବର୍ତ୍ତେନ ୯ଟା ୪୦ରେ ଛାଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.