Home Top News ନୂଆଗାଁରୋଡ଼-ପୁରୀ ପାସେଞ୍ଜର ଟ୍ରେନ ସମୟ ସାରଣୀକୁ ନେଇ ଅସନ୍ତୋଷ

ନୂଆଗାଁରୋଡ଼-ପୁରୀ ପାସେଞ୍ଜର ଟ୍ରେନ ସମୟ ସାରଣୀକୁ ନେଇ ଅସନ୍ତୋଷ

44

ନୟାଗଡ଼, ୧୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପୂର୍ବତଟ ରେଳପଥ ପକ୍ଷରୁ ସଦ୍ୟ ପ୍ରକାଶିତ ନୂଆଗାଁରୋଡ଼-ପୁରୀ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନର ସମୟ ସାରଣୀକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶିତ ଏହି ସମୟ ସାରଣୀ ଦ୍ୱାରା ଯାତ୍ରୀମାନେ ବିଶେଷ ଉପକୃତ ହେବାର ସମ୍ଭାବନା ନଥିବା ବେଳେ ଏହି ସମୟରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶିତ ସମୟ ସାରଣୀ ଅନୁଯାୟୀ ନୂଆଗାଁରୋଡ଼ରୁ ସକାଳ ୮ଟା ୧୦ରେ ପୁରୀ ଅଭିମୁଖେ ଟ୍ରେନ ନଂ-୦୮୪୨୪ ଛାଡ଼ି ପୁରୀରେ ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିବ। ସେହିପରି ପୁରୀରୁ ଏହି ଟ୍ରେନ ନଂ-୦୮୪୨୩ ସଂଧ୍ୟା ୭ଟା ୫୦ରେ ବାହାରି ନୂଆଗାଁରେ ରାତ୍ର ୧୧ଟା ୪୫ରେ ପହଞ୍ଚିବ। ଏହି ସମୟ ସାରଣୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ଗୋଟିଏ ପରିବାର ପିଲାଛୁଆ ଧରି ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ସାରି ରାତ୍ର ୧୧ଟା ୪୫ରେ ନୁଆଗାଁରେ ପହଞ୍ଚିବା ପରେ ଏତେ ରାତିରେ ନିରାପଦରେ ଘରେ ପହଞ୍ଚିବା ନେଇ ଆଶା ଓ ଆଶଙ୍କା ମଧ୍ୟରେ ରହିବ। ସେହିପରି ଭୁବନେଶ୍ୱରରୁ ନୂଆଗାଁରୋଡ଼କୁ ଟ୍ରେନ ନଂ-୦୮୪୨୯ ପୂର୍ବାହ୍ନ ୧୦ଟା ୨୦ରେ ଭୁବନେଶ୍ୱର ଛାଡ଼ି ମଧ୍ୟାହ୍ନ ୧ଟାରେ ନୂଆଗାଁରୋଡ଼ରେ ପହଞ୍ଚିବ ଏବଂ ଏହି ଟ୍ରେନ ନଂ-୦୮୪୩୦ ଅପରାହ୍ନ ୩ଟା୧୫ରେ ନୂଆଗାଁରୋଡ଼ ଛାଡ଼ି ଭୁବନେଶ୍ୱରରେ ସଂଧ୍ୟା ୬ଟା ୧୫ରେ ପହଞ୍ଚିବ। ଯାତ୍ରୀଙ୍କ ପାଇଁ ଅନୁକୁଳ ହେଉନଥିବା ଏପରି ସମୟ ସାରଣୀକୁ ନେଇ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଟ୍ରେନରେ ଯାତ୍ରୀ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରେଳ ବିଭାଗ ଜାଣିଶୁଣି ଏପରି ସମୟ ସାରଣୀ କରିଥିବା ତଥା ଭବିଷ୍ୟତରେ ଯାତ୍ରୀ ନହେବା କାରଣକୁ ନେଇ ମଧ୍ୟ ଏହି ଟ୍ରେନ ଗୁଡ଼ିକୁ ବନ୍ଦ କରି ଦେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ପୂର୍ବରୁ ରେଳ ବିଭାଗ ନୟାଗଡ଼ ଟାଉନ-ଖଡ଼ଗପୁର ପାସେଞ୍ଜର ଟ୍ରେନ ନଂ-୫୮୦୦୫/୫୮୦୦୬କୁ ଯାତ୍ରୀ ନହେଉଥିବାର ଆଳ ଦେଖାଇ ବନ୍ଦ ରଖିଛି। ଏହି ଟ୍ରେନକୁ ପୁନର୍ବାର ଚଲାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତ ୩୦ ତାରିଖରେ ନୂଆଗାଁଠାରେ ଷ୍ଟେସନ ଉଦଘାଟନ ଅବସରରେ ପ୍ରଦାନ କରିଛି। ତେବେ ଗତକାଲି ପ୍ରକାଶିତ ସମୟ ସାରଣୀ ବିଜ୍ଞପ୍ତିକୁ ପରିବର୍ତ୍ତନ କରି ପୂର୍ବରୁ ଯେପରି ପୁରୀ ପାସେଞ୍ଜର ଟ୍ରେନ ସକାଳ ୫ଟାରେ ଯାତ୍ରା ଆରମ୍ଭ କରୁଥିଲା ସେହିପରି ଯାତ୍ରୀ ଅନୁକୁଳ ସମୟ ସାରଣୀ ପ୍ରସ୍ତୁତ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦୃଢ଼ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.