Home ଜିଲ୍ଲା ପରିକ୍ରମା ନୂଆଁଖାଇକୁ ଆଖିଆଗରେ ରଖି ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା ନ କରିବା ନେଇ ସଂଖ୍ୟା ବୃଦ୍ଧି...

ନୂଆଁଖାଇକୁ ଆଖିଆଗରେ ରଖି ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା ନ କରିବା ନେଇ ସଂଖ୍ୟା ବୃଦ୍ଧି ପାଇବା ସନ୍ଦେହ ସୃଷ୍ଟି

98

ବଲାଙ୍ଗୀର,୧୬-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଂଗୀର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ତେବେ ଆଗାମୀ ନୂଆଖାଇଁ ପର୍ବକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଅଂଚଳକୁ କଣ୍ଟେନମେଣ୍ଟ ଅଥବା ବଫର ଜୋନ ଭାବେ ଘୋଷଣା କରାଯାଇ ନ ଥିବାରୁ ଆଗାମୀ ଦିନରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସାଧାରଣରେ ଆଲୋଚନା ହେଉଛି। ଗତ କିଛି ଦିନ ତଳେ ଲୋଇସିଂହା ନୂଆପଡା ବାସିନ୍ଦା ଜନୈକା ୬୦ ବର୍ଷୀୟା ମହିଳା ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ଘରକୁ ପଠାଇ ଦିଆଯାଇଥିଲା। ଗତ ୧୧ ତାରିଖ ମଙ୍ଗଳବାର ଦିନ ସମ୍ପୃକ୍ତ ମହିଳା ଜଣକର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ତାଙ୍କ ସଂସ୍ପର୍ଶରେ ପଡ଼ାର କିଛି ବ୍ୟକ୍ତି ଆସି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେହିପରି ନିକଟସ୍ଥ ବୁର୍ଡା ଗ୍ରାମର ଜନୈକା ପ୍ରସୂତୀଙ୍କୁ ବୁଧବାର ବଲାଂଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହିତ ସହାୟିକା ଭାବେ ଗ୍ରାମର ଦୁଇଜଣ ମହିଳା ମଧ୍ୟ ଯାଇଥିଲେ। ଆଜି ସେହି ଉଭୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ମିଳିବା ପରେ ଗ୍ରାମରେ ଚାଂଚଲ୍ୟ ଖେଳି ଯାଇଛି। ଉଭୟ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରିବା ପାଇଁ ଆଜି ଅପରାହ୍ନରେ ଏକ ଟିମ ଗ୍ରାମକୁ ଯାଇଥିଲେ। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା(୩୦) କ୍ଷେତକୁ ଲଟା ବାଛିବା ପାଇଁ ଯାଇଥିବା ବେଳେ ଆଉ ଜଣେ ମହିଳା ନିଜ ଚାକିରୀ ଜାଗାକୁ ଯାଇ ଫେରି ନ ଥିବାରୁ ଦୀର୍ଘ ସମୟ ଧରି ମେଡିକାଲ ଟିମ ଗାଁରେ ଅପେକ୍ଷା କରିଥିଲେ। ପରେ ବୁର୍ଡାରୁ ୧୮ ଓ ଲୋଇସିଂହରୁ ୩୭ ଜଣକର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ସ୍ଥାନୀୟ ମେଡିକାଲ ସୂତ୍ରରୁ ଜଣାଯାଇଛି। ସେହିପରି ବ୍ଲକର ଆଭ୍ୟନ୍ତରୀଣ ବୁରୋମୁଣ୍ଡା ଗ୍ରାମରେ ମଧ୍ୟ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.