Home ଜିଲ୍ଲା ପରିକ୍ରମା ନିଶା ମାଫିଆଙ୍କ କବ୍‌ଜାରେ ଭଦ୍ରକ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ

ନିଶା ମାଫିଆଙ୍କ କବ୍‌ଜାରେ ଭଦ୍ରକ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ

197

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଶା ମାଫିଆଙ୍କ କବ୍‌ଜାରେ ଏବେ ଅବକାରୀ ବିଭାଗ । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି ଜିଲା ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ଭଦ୍ରକ ସହର ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଏହି ବେଆଇନ୍ କାରବାର ଦ୍ୱାରା ଯୁବପିଢି ବିଶେଷ ଭାବେ ବିପଥଗାମୀ ହେଉଥିବାବେଳେ ସାମାଜିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବେଆଇନ୍ ଦେଶୀ ମଦ ବ୍ୟତୀତ ବ୍ରାଉନ୍‌ସୁଗାର କାରବାର ସହରରେ ବଢିବାରେ ଲାଗିଛି । ପୁଲିସ୍ ଓ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ଭଦ୍ରକ ସହର ଏବେ ବେଆଇନ୍ ନିଶା ବ୍ୟବସାୟୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ଭଦ୍ରକ ସହର ଏବେ ଚୋରା ଦେଶୀମଦ ଠାରୁ ଆରମ୍ଭ କରି ଗଂଜେଇ, ବ୍ରାଉନ୍‌ସୁଗାର ପରି ଉତ୍କଟ ନିଶା ଦ୍ରବ୍ୟର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଏହି ବେଆଇନ୍ ବ୍ୟବସାୟରେ କମ୍ ପରିଶ୍ରମରେ ବହୁ ଅଧିକ ଲାଭ ମିଳୁଥିବାରୁ ଏହି କାରବାର ପ୍ରତି ବହୁ ଯୁବ ସଂପ୍ରଦାୟ ଆକୃଷ୍ଠ ହୋଇ ପଡୁଛନ୍ତି । ସେମାନଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଉଛନ୍ତି ସହରର କେତେକ ନିଶା ମାଫିଆ । ଅବକାରୀ ବିଭାଗ ଓ ପୁଲିସ୍ ସହିତ ଏ ସମସ୍ତ ମାଫିଆଙ୍କ ଭଲ ସଂପର୍କ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । କାରଣ ଏତେ ସବୁ ବେଆଇନ୍ କାରବାର ଚାଲିଥିଲେ ମଧ୍ୟ ଉଭୟ ଅବକାରୀ ଓ ପୁଲିସ୍ ବିଭାଗ ନୀରବତା ଅବଲମ୍ବନ କରୁଥିବାରୁ ଏପରି ଅଭିଯୋଗ ଅମୂଳକ ନୁହେଁ ବୋଲି କୁହାଯାଉଛି । ସହର ମଧ୍ୟରେ ଥିବା ବନ୍ତଛକ, ଟେକ୍ସିଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ, ନୂଆବଜାର, ଚରମ୍ପା, ବଙ୍କସ୍କୁଲ, ପୁରୁଣା ବସ୍‌ଷ୍ଟାଣ୍ଡ, ରାନ୍ଦିଆ, ଅପର୍ତ୍ତିବିନ୍ଧା ଛକ ପରି ବିଭିନ୍ନ ସ୍ଥାନରେ ନିଶା ମାଫିଆମାନେ ବ୍ରାଉନ୍ ସୁଗାର କାରବର ଚଳାଇଛନ୍ତି । ପ୍ରତ୍ୟେକ ଦିନ ସେମାନେ ନୂତନ ଗ୍ରାହକଙ୍କ ସନ୍ଧାନରେ ରହୁଛନ୍ତି ।

ଏ ସଂପର୍କରେ ଅବକାରୀ ବିଭାଗ ପାଖରେ ସଠିକ୍ ସୂଚନା ରହିଛି । କେତେବେଳେ କେମିତି ଅଳ୍ପ ଦେଶୀ ମଦ କିମ୍ବା ଗଂଜେଇ ନେଇ ଯାଉଥିବା ଲୋକଙ୍କୁ ଗିରଫ କରି ଅବକାରୀ ବିଭାଗ ବାହାବା ନେବାକୁ ଉଦ୍ୟମ କରୁଛି । କେବଳ ବେଆଇନ୍ ନିଶା କାରବାର ସଂପର୍କିତ ମାମଲା ଟାର୍ଗେଟ୍ ପୂରଣ କରିବାକୁ ଯାଇ ଅବକାରୀ ବିଭାଗ ଔପଚାରିକତା ଦୃଷ୍ଟିରୁ ରୁଟିନ୍ ଚଢଉ କରୁଛି । କିନ୍ତୁ ବ୍ରାଉନ୍‌ସୁଗାର ପରି ଉତ୍କଟ ନିଶାଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ ଆଜିପର୍ଯ୍ୟନ୍ତ ଥରେ ମଧ୍ୟ ଧରିବାକୁ ଅବକାରୀ ବିଭାଗ ସକ୍ଷମ ହୋଇପାରିନାହିଁ । କେବଳ ପୁଲିସ୍ କିମ୍ବା ଅବକାରୀ ବିଭାଗ ନୁହେଁ ଜିଲାରେ କାର୍ଯ୍ୟରତ ଗୁଇନ୍ଦା ବିଭାଗ ମଧ୍ୟ ଏହାର ଟେର ପାଉନି । ଏହି ଉତ୍କଟ ନିଶା ସେବନ କରିବା ପାଇଁ କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବ ସଂପ୍ରଦାୟ ଏବେ ପାଗଳ ପ୍ରାୟ । ନିଶା ସେବନ କରିବାକୁ ଅର୍ଥର ଅଭାବ ହେଲେ ସେମାନେ ଅପରାଧିକ ଘଟଣା ଘଟାଇବାକୁ ପଛାଉ ନାହାଁନ୍ତି । ଜିଲାରେ ଉପରୋକ୍ତ ସମସ୍ତ ବିଭାଗ ନୀରବ ଥିବାବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ସଂସ୍ଥାକୁ କିନ୍ତୁ ମିଳୁଛି ସଫଳତା । ଏହି ସଂସ୍ଥାର ଅଧିକାରୀ ଓ କର୍ମଚାରୀ ନିୟମିତ ବ୍ୟବଧାନରେ ଆସି ବ୍ରାଉନ୍‌ସୁଗାର ଓ ଦେଶୀ ମଦ ବେପାରୀଙ୍କୁ ଜବତ କରୁଛି । କିନ୍ତୁ ଉକ୍ତ ବ୍ୟବସାୟ ଉତ୍ସ ଖୋଜି ପାଉନି । ଉଭୟ ଦେଶୀ ମଦ ଓ ବ୍ରାଉନ୍ ସୁଗାର ବାଲେଶ୍ୱର ଜିଲାର କେତେକ ଅଂଚଳରୁ ଭଦ୍ରକକୁ ପ୍ରବେଶ କରୁଥିବା ଜଣାପଡିଛି । ଯଦି କଟକରୁ ଆସି କେନ୍‌୍ରଦୀୟ ଅବକାରୀ ବିଭାଗ ବିନା ଗୁଇନ୍ଦା ତଥ୍ୟ ଆଧାରରେ ଭଦ୍ରକରେ ଉତ୍କଟ ନିଶା କାରବାର କରୁଥିବା ବ୍ୟବସାୟୀଙ୍କୁ ଧରିପାରୁଛି, ତେବେ ଜିଲା ଅବକାରୀ ବିଭାଗ ଭଦ୍ରକ ସଦର ମହକୁମାରେ ରହି ସେମାନଙ୍କ ଗତିବିଧି ଓ ଚୋରା କାରବାର ସଂପର୍କରେ ସୂଚନା ପାଉନାହିଁ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହା ଜିଲା ଗୁଇନ୍ଦା ବିଭାଗର ବିଫଳତା ନା ଅବକାରୀ ଓ ପୁଲିସ୍ ବିଭାଗର ନିଷ୍କ୍ରିୟତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.