Home ଜିଲ୍ଲା ପରିକ୍ରମା ନିଳୋକ-ଛତାବର ନିର୍ମାଣାଧିନ ରାସ୍ତାରେ ଦୁର୍ଘଟଣା, ୪ ଆହତ, ଜଣେ ଗୁରୁତର

ନିଳୋକ-ଛତାବର ନିର୍ମାଣାଧିନ ରାସ୍ତାରେ ଦୁର୍ଘଟଣା, ୪ ଆହତ, ଜଣେ ଗୁରୁତର

16

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ-ଛତାବର ନିର୍ମାଣାଧିନ ରାସ୍ତାର ପଳାସଗଢିଆସ୍ଥିତ ଆଦର୍ଶ ବିଦ୍ୟାଳୟ ଛକ ଠାରେ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି । ପ୍ରକାଶ ଯେ, ଉକ୍ତ ରାସ୍ତାର ଗୋବିନ୍ଦପୁର ମାଇନର କେନାଲ ଛକ ଠାରୁ ବେଗନା ଛକ ପର୍ଯ୍ୟନ୍ତ ଗତ କିଛି ଦିନ ତଳେ ପ୍ରଥମ ସ୍ତର ପିଚୁ ପକା ଯାଇଥିଲା । ମାତ୍ର ଏବେ ତାହା ଉଠି ଯିବା ଫଳରେ ରାସ୍ତାରେ ଚିପ୍ସ ଗୁଡିକ ଖେଳାଇ ହୋଇପଡିଛି । ବିଶେଷ କରି ଆଦର୍ଶ ବିଦ୍ୟାଳୟ ଛକ ଓ ବୁଡଗଢିଆ ଛକ ଠାରେ ଏଭଳି ଅବସ୍ଥା ଦେଖାଯାଇଛି । ସେହିପରି ରାସ୍ତାର ଗୋଟିଏ ପାଶ୍ୱର୍ ପିଚୁ ହୋଇଥିବା ବେଳେ ଅନ୍ୟ ପାଶ୍ୱର୍ଟି ନିଚ୍ଚା ରହିଛି । ଫଳରେ ରାସ୍ତାରେ ବାଇକ ଆରୋହୀ ଓ ଅନ୍ୟ ଯାନ ଗୁଡିକ ଯାତାୟତ କରିବା ବେଳେ ଦୁର୍ଘଟଣାର ଶୀକାର ହେଉଛନ୍ତି । ମଙ୍ଗଳବାର ରାତିରେ ବାଇପୁର ଗ୍ରାମର କାଳନ୍ଦି ସାହୁ(୩୫) ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଦୁର୍ଘଟଣାର ଶୀକାର ହୋଇଥିଲେ । ପ୍ରଥମେ ଭଦ୍ରକ ଓ ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେହିପରି ସାହାଡାପଲ୍ଲୀ, ନାଆଁମୀ ଆଦି ଗ୍ରାମର ୪ ଜଣ ଯୁବକ ଦୁର୍ଘଟଣାରେ ଶୀକାର ହୋଇ ଆହତ ହୋଇଛନ୍ତି । ପ୍ରକାଶ ଥାଉକି, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ୨୦୨୨ ମସିହା ଡିସେମ୍ବର ମାସ ଠାରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକ ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ରାସ୍ତାରେ ନୂଆ ମେଟାଲ ପକା ନଯାଇ ପୁରୁଣା ରାସ୍ତାକୁ ଖୋଳି କ୍ରସର ଗୁଣ୍ଡ ପକାଇ ସମତଳ କରା ଯାଇଛି । ରାସ୍ତା ମଧ୍ୟରେ ନୂଆ ପୋଲ ତିଆରି କରାନଯାଇ ପୁରୁଣା ପୋଲକୁ ମରାମତି କରାଯାଇଛି । କମ୍ ପରିମାଣରେ ପିଚୁ ଦେବା ଫଳରେ ଚିପ୍ସ ଗୁଡିକ ଉଠି ଯାଉଛି । ଏଭଳି ନିମ୍ନମାନର କାର୍ଯ୍ୟକୁ ବେଗନା ଛକ ଠାରେ ସ୍ଥାନୀୟ ଲୋକ ମାନେ ମଙ୍ଗଳବାର ଦିନ ବିରୋଧ କରିବା ସହ କିଛି ସମୟ ଧରି କାମ ବନ୍ଦ କରି ଦେଇଥିଲେ । ସେହିପରି ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ସଂପୃକ୍ତ ଠିକାଦାର ମନଇଛା କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.