Home ଜିଲ୍ଲା ପରିକ୍ରମା ନିର୍ମାଣଧୀନ ଦୋବଲ ବସ୍‌ଷ୍ଟାଣ୍ଡର କାମ ଅଧାରୁ ବନ୍ଦ, ଠିକାଦାର ଜିନିଷପତ୍ର ନେଇ ଛୁ …

ନିର୍ମାଣଧୀନ ଦୋବଲ ବସ୍‌ଷ୍ଟାଣ୍ଡର କାମ ଅଧାରୁ ବନ୍ଦ, ଠିକାଦାର ଜିନିଷପତ୍ର ନେଇ ଛୁ …

18

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର-ଦୋବଲ ରାସ୍ତାର ମୁସ୍ତଫାପୁର ପଂଚାୟତର ଘୋଡଗଣ୍ଡ ନାଳ ପାଖରେ ନିର୍ମାଣ ହେଉଥିବା ଆମ ବସ୍‌ଷ୍ଟାଣ୍ଡ ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି । ଏଥିସହ ପ୍ରକଳ୍ପ ସ୍ଥଳରେ ଜମା ହୋଇଥିବା ଲୁହାରଡ୍‌, ସିମେଂଟ ଓ ଚିପ୍ସକୁ ପ୍ରତ୍ୟେକଦିନ ଗାଡି ଲଗାଇ ଉଠାଇ ନେଉଛନ୍ତି ଠିକାଦାର । ଫଳରେ ବସଷ୍ଟାଣ୍ଡର ଭବିଷ୍ୟତ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଥିନେଇ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ବର୍ତମାନ ପାଇଁ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ଥଗିତ ରଖିବା ଲାଗି ପ୍ରଶାସନିକ ନିଷ୍ପତି ହୋଇଛି । ଏ ନେଇ ଆମକୁ ଉପରୁ ନିର୍ଦ୍ଦେଶ ଆସିବାରୁ ଆମେ ସଂପୃକ୍ତ ଠିକାଦାରଙ୍କୁ କାମ ବନ୍ଦ କରିବା ଲାଗି କହିବାରୁ ସେ ତାହା ବନ୍ଦ କରିଛନ୍ତି । ଅନ୍ୟପଟେ ପୂର୍ତ ବିଭାଗର ଆଉ ଜଣେ ଅଧିକାରୀ କହିଛନ୍ତି ବସ୍‌ଷ୍ଟାଣ୍ଡର ନିର୍ମାଣ ସ୍ଥାନ ବଦଳାଯିବ, ଏଥିଲାଗି ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଦୋବଲର ଷ୍ଟେଟ୍‌ବ୍ୟାଙ୍କ ପାଖରେ ଥିବା ବସ୍‌ଷ୍ଟାଣ୍ଡର ଜମିକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିଲା । ତେବେ ଏହାର ସମାଧାନ ପରେ ଦୋବଲରେ ଗୋଟିଏ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା । ଏଥିଲାଗି ବିଜେଡି ସରକାରଙ୍କ ଆମ୍ ବସ୍‌ଷ୍ଟାଣ୍ଡ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ୯୧ ଲକ୍ଷ ଟଙ୍କା ମଂଜୁର ହୋଇ ପରବର୍ତୀ ସମୟରେ ୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ୨୦୨୩ ଅଗଷ୍ଟ ୨୩ ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ଏହା ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ଗ୍ରାଉଣ୍ଡଫ୍ଲୋର ଓ ଫ୍ଲାଷ୍ଟ ଫ୍ଲୋର ରହିବ । ଦୁଇମହଲା ବିଶିଷ୍ଟ ଏହି କୋଠାଘରର ତଳ ମହଲାରେ ଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷ, ଟିକେଟ କାଉଂଟର, ଶୌଚାଳୟ, ଗାଡି ଧୋଇବା ରାମ୍ପ, ଭେଣ୍ଡିଂ ଜୋନ, ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍ ପାର୍କିଂ ସ୍ଥାନ ରହିଥିବାବେଳେ ଲୋକଙ୍କ ଯାତାୟତ ପାଇଁ ନିର୍ଦ୍ଧାରିତ ପଥ, ଭିନ୍ନକ୍ଷମ ପାଇଁ ସ୍ୱତନ୍ତ୍ର କରିଡର ଓ ଯାତ୍ରୀଙ୍କ ଲଗେଜ୍ ନେବାଆଣିବା ଲାଗି ରାମ୍ପ ଆଦି ରହିଥିଲା । ଏଥିସହ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ଲାଗି କାର୍‌, ଟ୍ୟାକ୍ସି ଓ ଅଟୋ ପାଇଁ ମଧ୍ୟ ସ୍ଥାନ ରହିଥିଲା । ପ୍ରଥମ ମହଲାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ ନିରୀକ୍ଷଣ କକ୍ଷ, ଅଫିସ୍‌, ରିକ୍ରେସନ ପଏଂଟ ଓ ଶୌଚାଳୟ ଆଦି ରହିଥିଲା । ଏହିସବୁ ନିର୍ମାଣ ହେଲେ ଦୋବଲ ଦେଇ ଯିବାଆସିବା କରୁଥିବା ଯାତ୍ରୀମାନେ ଉପକୃତ ହେବେ । ଏ ସମସ୍ତ ସୁବିଧା ଲାଗି ପ୍ରାୟ ୨ ଏକର ଜମିର ଆବଶ୍ୟକତା ଥିଲା । ହେଲେ ଦୋବଲ ଷ୍ଟେଟବ୍ୟାଙ୍କ ପାଖରେ ଏତେ ଜମି ନଥିବାରୁ ପ୍ରଶାସନ ପକ୍ଷରୁ ସେତେବେଳେ ଘୋଡାଗଣ୍ଡ ନାଳ ପାଖରେ ବସଷ୍ଟାଣ୍ଡ ନିର୍ମାଣର ନିଷ୍ପତି ନିଆଯାଇଥିଲା । ଏବେ ସରକାର ବଦଳିବା ପରେ ଉକ୍ତ କାମ ବନ୍ଦ ହୋଇଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏପର୍ଯ୍ୟନ୍ତ ବସଷ୍ଟାଣ୍ଡ ନିର୍ମାଣ ବାବଦ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ତାହା ବନ୍ଦ ହେଲେ ଉକ୍ତ ଅର୍ଥ ବେକାର ଯିବ । ଏତଦ୍‌ବ୍ୟତୀତ ଅପନ୍ତରା ଜାଗାକୁ ମାଟି ପକାଇ ସମତୁଲ କରାଯାଇଥିବାରୁ ଭବିଷ୍ୟତରେ ଜବରଦଖଲ ଆଶଙକ୍‌ା ରହିବ । ପାଖରେ ମଦ ଦୋକାନ ଥିବାରୁ ଏଠାରେ ବସଷ୍ଟାଣ୍ଡ ନହେଲେ ଏହା ଜବରଦଖଲକାରୀ ବିଭିନ୍ନ ଲୋକଙ୍କ କବଜାକୁ ଯାଇ ଦୋକାନ ବଜାର ଗଢିଉଠିବ । ଏ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏ ଦିଗରେ ବିଧିବଦ୍ଦ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବ୍ଲକ୍ କଂଗ୍ରେସ ସଭାପତି ରମେଶ ବେହେରା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.