Home Top News ନିଦ୍ରାରେ ମୋଦି ଓ ନବୀନ ସରକାର : ବେରୋଜଗାର ହାର ସୀମାପାର : ଯୁବ କଂଗ୍ରେସ

ନିଦ୍ରାରେ ମୋଦି ଓ ନବୀନ ସରକାର : ବେରୋଜଗାର ହାର ସୀମାପାର : ଯୁବ କଂଗ୍ରେସ

56

– ବେରୋଜଗାରକୁ ଅସ୍ତ୍ର କରି ଉଭୟ ସରକାରକୁ ଘେରିବ ଯୁବ କଂଗ୍ରେସ
ଭୁବନେଶ୍ୱର ୨୦.୯ (ଓଡ଼ିଆ ପୁଅ) – ସମଗ୍ର ଦେଶ ଓ ରାଜ୍ୟରେ ଉତ୍କଟ ହେଉଥିବା ବେରୋଜଗାର ସମସ୍ୟାକୁ ପାଥେୟ କରି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖପାତ୍ର ନଳିନୀକାନ୍ତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ନାୟକ କହିଛନ୍ତି ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ୨ କୋଟି ନିଯୁକ୍ତି ସ୍ୱପ୍ନ ଏବେ ସେହି ସ୍ୱପ୍ନ ହୋଇ ରହିଯାଇଛି। ରୋଜଗାର ଦେବା ଦୂରର କଥା ରୋଜଗାର ହରାଉଛନ୍ତି ଲକ୍ଷ ଲକ୍ଷ ଯୁବକ ଯୁବତୀ। ସିଏମଆଇର ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୧୫ ଲକ୍ଷ, ଜୁଲାଇରେ ୩୨ ଲକ୍ଷ, ଏପ୍ରିଲ ଓ ମେ ମାସରେ ୨.୨୭ ଲକ୍ଷ ନିଯୁକ୍ତି ହରାଇଛନ୍ତି ଭାରତ ବର୍ଷର ଯୁବ ପୀଢ଼ି। ଜୁଲାଇ ମାସ (୬.୯%) ତୁଳନାରେ ଅଗଷ୍ଟମାସରେ ବେରୋଜଗାର ୮.୩୨% ବଢ଼ିଛି। ସହରରେ ୯.୭୮% ଏବଂ ଗ୍ରାମୀଣ ଅଂଚଳରେ ୭.୬୪% ବେକାରୀ ରହିଛି। ସ୍ୱାଧୀନତା ପରଠାରୁ ଦେଶ ଆଜି ସବୁଠୁ ବଡ଼ ବେରୋଜଗାର ସମସ୍ୟା ଦେଇ ଗତି କରୁଛି। କେନ୍ଦ୍ରରେ ଥିବା ମୋଦି ସରକାର ଖାଲି ପଡ଼ିଥିବା ସରକାରୀ ପଦବୀକୁ ପୂରଣ କରିବାରେ ଅସମର୍ଥ ଏବଂ ନୂଆ ନିଯୁକ୍ତି ସୃଷ୍ଟିକରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଛନ୍ତି ଶ୍ରୀ ନାୟକ। ୪୫ ବର୍ଷରେ ଦେଶରେ ସର୍ବାଧିକ ବେରୋଜଗାର କିନ୍ତୁ ମୋଦି ସରକାର ନିଜର ଅସ୍ତିତ୍ୱକୁ ବଂଚାଇବା ପାଇଁ ପ୍ରଚାରର ସାହାରା ନେଉଛନ୍ତି। ବର୍ତମାନ ଭାରତରେ ଗତ ୭ ବର୍ଷରେ ପିଏସୟୁରେ ୬ଲକ୍ଷ ବ୍ୟାଙ୍କ କ୍ଷେତ୍ରରେ ୪.୫ ଲକ୍ଷ ନିଯୁକ୍ତି ହରାଇଲାଣି। ୮୦ଲକ୍ଷ ପଦବୀ ପୂରଣ ହୋଇପାରି ନାହିଁ। ଏଥିରୁ ସ୍ପଷ୍ଟ ଯେ ସରକାର ରୋଜଗାର ଦେବାରେ ସଂପୂର୍ଣ୍ଣ ଅସମର୍ଥ ଅଣସଂଗଠିତ କ୍ଷେତ୍ରରେ ୬୭% କର୍ମଚାରୀ ମାନେ କାମରୁ ମୁକ୍ତି ପାଇଛନ୍ତି ଏବେ ସେମାନଙ୍କ ପାଖରେ କାମ ନାହିଁ। କେନ୍ଦ୍ରର ମୋଦି ସରକାର ପ୍ରଶାସନ ସମ୍ବଦ୍ଧୀୟ ନିଯୁକ୍ତି ଖାଲି ପଡ଼ିଛି। ଅନୁସୂଚୀତ ଜାତିରେ ୧୪୩୬୧, ଅନୁସୁଚୀତ ଜାତି ଓ ଜନଜାତି ୧୨୬୧୨, ଓବିସିରେ ୧୫ ହଜାର ପଦବୀ ଖାଲିପଡ଼ିଛି। ଦେଶରେ ୮କୋଟି ୫୦ଲକ୍ଷ ୟୁପିଏସସି ପାଇଁ ଆବେଦନ କରିଥିବା ବେଳେ ନିଯୁକ୍ତି ମିଳିଛି ମାତ୍ର ୨୫୬୨୭। ଷ୍ଟାଫ ସିଲେକସନ କମିଟିରେ ୧୨ କୋଟି ଯୁବକ ଯୁବତୀ ଆବେଦନ କରିଥିବା ବେଳେ ନିଯୁକ୍ତି ପାଇଛନ୍ତି ମାତ୍ର ୨ କୋଟି ୧୪ ଲକ୍ଷ। ଦେଶରେ ୧୨ କୋଟି ଯୁବପୀଢ଼ି ବେରୋଜଗାର ଅଛନ୍ତି। ଦେଶରେ ଯୁବତୀମାନଙ୍କ ମଧ୍ୟରେ ୨କୋଟି ୨୨ଲକ୍ଷ ରୋଜଗାର ପାଇନାହାନ୍ତି। ଏହା ହେଉଛି ବେଟି ବଚାଓ ବେଟି ପଢ଼ାଓ ନାରାର ଅସଲ ମୁଖା। ଆମ ଦେଶରେ ଡିଗ୍ରୀଧାରୀ ବେରୋଜଗାରୀ ସଂଖ୍ୟ ୬୫.୯ ପ୍ରତିଶତ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ପ୍ରଚାରରେ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ସକରାରୀ ଯୋଜନା ପାଇଁ ମଧ୍ୟ ଶହ ଶହ କୋଟି ଖର୍ଚ୍ଚ ହେଉଛି। ଯଦି ସେହି ଟଙ୍କା ଦେଶର ପୁଞ୍ଜି ଯୁବପିଢୀଙ୍କ ନିଯୁକ୍ତି ପାଇଁ ଖର୍ଚ୍ଚ ହୋଇଥାନ୍ତା ପ୍ରାୟ ୮୦ଲକ୍ଷ ଯୁବକଯୁବତୀ ମାନେ ନିଯୁକ୍ତି ପାଇପାରନ୍ତେ ବୋଲି କହିଛନ୍ତି ଯୁବ କଂଗ୍ରେସ ମୁଖପାତ୍ର ଶ୍ରୀ ନାୟକ। ରାଜ୍ୟରେ ନିରନ୍ତର ଭାବେ ୨୧ବର୍ଷ ଶାସନ କରୁଥିବା ନବୀନ ସରକାର ମଧ୍ୟ ରାଜ୍ୟର ଯୁବପିଢ଼ୀଙ୍କୁ ପ୍ରତାରଣା କରିଛନ୍ତି। ରାଜ୍ୟରେ ପୁରୁଷ ବେକାରୀ ୩୯.୬ ପ୍ରତିଶତ ଥିବା ବେଳେ ମହିଳା ବେକାରୀ ହାର ୪୧ ପ୍ରତିଶତ। ରାଜ୍ୟରେ ଡିପ୍ଲୋମା ଛାତ୍ର ଛାତ୍ରୀ ୩୩୭୪୭, ଗ୍ରାଜୁଏଟ ୧ଲକ୍ଷ ୮୨ ହଜାର ୫୩୬, ପୋଷ୍ଟ ଗ୍ରାଜୁଏଟ ୧୧୩୫୮, ଟ୍ରେଣ୍ଡ ଟିଚର ୪୧୫୧୫ ବେରୋଜଗାର ଅଛନ୍ତି। ରାଜ୍ୟରେ ବେରୋଜଗାର ଦର ୨୩.୮ ପ୍ରତିଶତ ପ୍ରତି ୧୦୦ ଜଣରୁ ୪୬ ବେରୋଜଗାର। ରାଜ୍ୟରେ ଏପ୍ରିଲ ୨୦୨୧ ସୁଦ୍ଧା ୧୧ ଲକ୍ଷ ନିଯୁକ୍ତି ହରାଇଛନ୍ତି ଯୁବପିଢ଼ୀ। ଆମ ରାଜ୍ୟ ବେରୋଜଗାରୀରେ ମଧ୍ୟ ନମ୍ବର-୧ ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ଉତ୍କଟ ହେଉଥିବା ବେରୋଜଗାର ସମସ୍ୟା ପାଇଁ ଦାୟୀ। ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ପ୍ରକିୟାକୁ ତ୍ୱରାନ୍ୱିତ କରି ଅଧିକରୁ ଅଧିକ ନିଯୁକ୍ତି ନ ଦିଅନ୍ତି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବେରୋଜଗାର ସମସ୍ୟାକୁ ନେଇ ରାଜ୍ୟବ୍ୟାପି ରାଜରାସ୍ତାରେ ଲଢ଼ିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କୁ ରାଜରାସ୍ତାରେ ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲିମ, ରଂଜିତ ପାତ୍ର, ଜ୍ଞାନ ରଞ୍ଜନ ରାଉତ, ସର୍ବଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.