Home ଜିଲ୍ଲା ପରିକ୍ରମା ନିଖୋଜର ୧୪ ଦିନ ପରେ ବି ନାବାଳିକାକୁ ପାଉନି ପୁଲିସ୍‌!, ପୁଲିସ୍ କହୁଛି ଆସିନି ସିଡିଆର...

ନିଖୋଜର ୧୪ ଦିନ ପରେ ବି ନାବାଳିକାକୁ ପାଉନି ପୁଲିସ୍‌!, ପୁଲିସ୍ କହୁଛି ଆସିନି ସିଡିଆର ରିପୋର୍ଟ

25

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରିଲେନି ନାବାଳିକା । ଘଟଣାର ୧୪ ଦିନ ବିତିଗଲାଣି । ହେଲେ ପୁଲିସ୍ ନିଧଡ଼କ । ସତେ ଯେମିତି କିଛି ନଘଟିବା ଭଳି ନାହିରେ ତେଲ ଦେଇ ଶୋଇଛି । ଆଉ ସବୁଠାରୁ ବଡ଼ କଥାଟି ହେଉଛି, ଏନେଇ ପୁଲିସ କହୁଛି, ସିଡ଼ିଆର ରିପୋର୍ଟ ଆସିନି । ରିପୋର୍ଟ ପରେ ଯାହା କିଛି ପଦକ୍ଷେପ ନିଆଯିବ । ଏଭଳି ସ୍ଥିତିରେ ପରିବାର ଲୋକଙ୍କ ମନରେ କ’ଣ ବିତୁଥିବ ତାହା ସହଜେ ଅନୁମେୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଥିଲେ ବି ପୁଲିସ ବାବୁମାନେ ଫୁ’ କରିଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ନାବାଳିକା ନିଖୋଜ ଅଭିଯୋଗର ୧୪ ଦିନ ପରେବି ଅଧିକାରୀ କହୁଛନ୍ତି ଆସିନି ସିଡିଆର ରିପୋର୍ଟ, ଆସିଲେ ତଦନ୍ତ କରିବୁ । ପୋଲିସ ଅଧିକାରୀଙ୍କ ଏଭଳି ଅଜବ ଯୁକ୍ତି ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିବା ସ୍ୱାଭାବିକ । ଗତ ୧୫ ତାରିଖ ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ସାହାପୁର ପଂଚାୟତର କାନିସାହି ଗ୍ରାମର ଶାନ୍ତିଲତା ବଳଙ୍କ ୧୪ ବର୍ଷର ଝିଅ ଟ୍ୟୁସନ୍ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ଝିଅକୁ ପାଇନଥିଲେ । ପରେ ଝିଅକୁ ଅପହରଣ କରାଯାଇଥିବା ନେଇ ପୀରହାଟ ପୋଲିସ ଅଧିକାରିଣୀ ରୋଜାଲିନ ବେହେରାଙ୍କୁ ଅଭିଯୋଗ କରିଥିଲେ । ସେ ସନ୍ଦେହ କରୁଥିବା କିଛି ବ୍ୟକ୍ତିଙ୍କ ନାଁ ମଧ୍ୟ ସେହି ଅଭିଯୋଗ ପତ୍ରରେ ଲେଖିଥିଲେ । ହେଲେ ପରିତାପର ବିଷୟ ପୋଲିସ ଅଭିଯୋଗକୁ ସେହିଦିନ ଅପରାହ୍ନ ୪.୧୬ରେ ଗ୍ରହଣ କରି ଏସଆଇ ତାପସ କୁମାର ମହାନ୍ତିଙ୍କୁ ତଦନ୍ତ ଭାର ଦେଇଥିଲେ । କିନ୍ତୁ ଅଭିଯୋଗକାରିଣୀଙ୍କୁ ଏଫଆର କପି ଦେଇନଥିଲେ । ତିନିଦିନ ଥାନାକୁ ଦୌଡ଼ିବା ପରେ ଅର୍ଥାତ୍ ୧୮ ତାରିଖରେ ଏତଲା କପି ମିଳିଥିଲା । ଏପଟେ ନାବାଳିକା ଝିଅକୁ ନପାଇ ପୁରା ପରିବାର ମାନସିକ ଦୁଃସ୍ଥିତିରେ ରହି ଖବର ବୁଝିବାକୁ ପ୍ରତ୍ୟେକ ଦିନ ଥାନାକୁ ଦୌଡୁଥିବା ବେଳେ ଥାନା ଅଧିକାରୀ କିନ୍ତୁ ନିଶ୍ଚିନ୍ତରେ ଦିନପରେ ଦିନ ଗଡ଼ାଇ ଚାଲୁଛନ୍ତି । ଶେଷରେ ୨୫ ତାରିଖରେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଏଯାଏଁ ଆସିନି ସିଡିଆର ରିପୋର୍ଟ, ଆହୁରି ଦୁଇଦିନ ଲାଗିବ । ଆସିଲେ ଆମେ ତଦନ୍ତ ଆଗକୁ ବଢେଇବୁ । ପ୍ରଶ୍ନ ଉଠୁଛି ଯେତେବେଳେ ସାଧାରଣ ଲୋକଙ୍କୁ ବିନା ଭୟ ଓ ପକ୍ଷପାତିତାରେ ତୁରନ୍ତ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ କହି ଆସୁଛନ୍ତି। ସେତିକିବେଳେ ପୀରହାଟ ପୋଲିସର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.