ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକର ନାଲୁଗୁଣ୍ଡା ରେଭିନ୍ୟୁ ସର୍କଲରେ ସଂଘଟିତ ପାଉତି ଜାଲିଆତି ମାମଲାରେ ବହିଷ୍କୃତି ରାଜସ୍ୱ ନିରୀକ୍ଷକ (ଆର୍ଆଇ) ବିକାଶ ଦାସଙ୍କୁ ପୁନଃ ନିଯୁକ୍ତି ମିଳିଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ (ଆରଡିସି)ଙ୍କ ନିର୍ଦ୍ଦେଶ ମତେ ଶ୍ରୀ ଦାସ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପ୍ରକାଶଥାଉକି କି: ନାଲୁଗୁଣ୍ଡା ସର୍କଲର ଜଣେ ଇଟା ବେପାରୀଙ୍କ ଠାରୁ ୬୭୦୦ ଟଙ୍କା ଆଦାୟ ହୋଇଥିବା ବେଳେ ପାଉତିରେ ୬ ଟଙ୍କା ଦର୍ଶାଯାଇଥିବାର ଅଭିଯୋଗ ହୋଇଥିଲା । ପାଉତି/ରସିଦର ଉପର ଓ ତଳ କପିରେ ଏଭଳି ଜାଲିଆତି ହୋଇଥିଲା । ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ପ୍ରାଥମିକ ତଦନ୍ତ କରାଯାଇ ୨୦୧୭ ନଭେମ୍ବର ୧୮ ତାରିଖରେ ରାଜସ୍ୱ ନିରୀକ୍ଷକ ବିକାଶ ଦାସଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ଡେପୁଟି କଲେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଡେପୁଟି କଲେକ୍ଟର ତାଙ୍କର ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ଦେବା ପରେ ଜିଲାପାଳ ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ତେବେ ଜିଲାପାଳଙ୍କ ବହିଷ୍କାର ଆଦେଶ ବିରୋଧରେ ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସ କେନ୍ଦ୍ରାଞ୍ଚଳ ରାଜସ୍ୱ କିମଶନର (ଆରଡିସି)ଙ୍କ କୋର୍ଟରେ ଅପିଲ କରିଥିଲେ । ଗତ ଜୁଲାଇ ୨୯ ତାରିଖରେ ଆରଡିସିଙ୍କ କୋର୍ଟରୁ ଆରଆଇ ଶ୍ରୀ ଦାସଙ୍କୁ ଦଣ୍ଡରେ ରିହାତି ମିଳିଛି । ଆରଡିସି ତାଙ୍କ ରାୟରେ ଜିଲା ପ୍ରଶାସନର ବହିଷ୍କାର ଆଦେଶକୁ ଖାରଜ କରିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଆରଆଇଙ୍କୁ ବହିଷ୍କାର କରାଯିବା ସପକ୍ଷରେ ସଠିକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇନଥିବା ଆରଡିସିଙ୍କ ଆଦେଶନାମାରେ ଦର୍ଶାଯାଇଛି । ଅପରପକ୍ଷେ ଆରଆଇ ଶ୍ରୀ ଦାସ ଏଭଳି ଜାଲିଆତି ସେ ନୁହଂତି ବରଂ ଉକ୍ତ ଆରଆଇ ଅଫିସରେ କାର୍ଯ୍ୟ କରୁଥିବା ଅନ୍ୟ କେହି ଘରୋଇ ବ୍ୟକ୍ତି (ପ୍ରାଇଭେଟ ପର୍ସନ) କରିଥାଇ ପାରନ୍ତି ବୋଲି ଆରଡିସିଙ୍କ କୋର୍ଟକୁ ଅବଗତ କରାଇଥିଲେ । ଆରଆଇ ଶ୍ରୀ ଦାସଙ୍କ ସ୍ୱୀକାରୋକ୍ତି ଅନୁଯାୟୀ: ସେ ଏକାକୀ ନିଜ ଅଫିସରେ କାମ କରୁଥିଲେ ହେଁ କେତେକ ବାହାର ଲୋକଙ୍କ ସାହାଯ୍ୟ ନିଅନ୍ତି ।
ହୁଏତ ସେମାନଙ୍କ ମଧ୍ୟରୁ କିଏ ଏଭଳି ଜାଲିଆତି କରିଥାଇ ପାରନ୍ତି ବୋଲି ଆରଆଇ ଶ୍ରୀ ଦାସ ସଫେଇ ଦେଇଥିଲେ । ତେବେ ଆରଡିସିଙ୍କ କୋର୍ଟ ଆରଆଇ ଶ୍ରୀ ଦାସଙ୍କ ଏହି ସ୍ୱୀକାରୋକ୍ତିକୁ ଗ୍ରହଣ କରି ସରକାରୀ କାର୍ଯ୍ୟରେ ବେସରକାରୀ ଲୋକଙ୍କୁ ନିୟୋଜିତ କରିବା ଦୋଷାବହ ବୋଲି ଆରଡିସି ଦର୍ଶାଇଛନ୍ତି । ଏଥିଲାଗି ଆରଆଇ ଶ୍ରୀ ଦାସଙ୍କ ଦୁଇଟି ଇନକ୍ରିମେଂଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି । ଏଠାରେ ସୂଚନାଥାଉକି; ଉକ୍ତ ପାଉତି ଜାଲିଆତି ମାମଲା ସେତେବେଳେ ବେଶ ଚର୍ଚାର ବିଷୟ ହୋଇଥିଲା । ଜିଲା ପ୍ରଶାସନର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ପ୍ରଶଂସା ମିଳିଥିଲା । ମାତ୍ର ପରବର୍ତୀ ଅବସ୍ଥାରେ ପ୍ରଶାସନ ସଠିକ ଭାବେ ତଥ୍ୟ ପ୍ରମାଣ ଦେଇପାରିନଥିବା ନେଇ ଆରଡିସିଙ୍କ କୋର୍ଟର ମନ୍ତବ୍ୟ ଓ ବହିଷ୍କାର ଆଦେଶ ଖାରଜ ହେବା ଘଟଣା ଏବେ ସରକାରୀ କର୍ମଚାରୀ ମହଲରେ ମାମଲାକୁ ପୁନଃ ଚର୍ଚିତ କରିଛି ।