Home ଜିଲ୍ଲା ପରିକ୍ରମା ନାର୍କୋଟିକ୍ ଡ଼୍ରଗସ୍ ପ୍ରତିଷେଧ ପାଇଁ ଜିଲ୍ଲାସ୍ତରୀୟ ପ୍ରଥମ ବୈଠକ

ନାର୍କୋଟିକ୍ ଡ଼୍ରଗସ୍ ପ୍ରତିଷେଧ ପାଇଁ ଜିଲ୍ଲାସ୍ତରୀୟ ପ୍ରଥମ ବୈଠକ

28

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାଉନ୍‌ସୁଗାର, ହେରୋଇନ୍‌, ଚରସ୍‌, ଗଞ୍ଜା ଆଦିଭଳି ମାନବ ସମାଜ ପାଇଁ ଅତୀବ କ୍ଷତିକାରକ ମାଦକ ଦ୍ରବ୍ୟ ସହ ଅନ୍ୟ ନିଶା ଦ୍ରବ୍ୟ ସବୁର କାରବାର ଓ ସେବନକୁ ପ୍ରତିରୋଧ କରାଯିବା ପାଇଁ ସଚେତନତା, ଧରପଗଡ଼ ଭଳି କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ୟରେ ତା ୨୧-୧୧-୨୨ରିଖ ସୋମବାର ସନ୍ଧ୍ୟାରେ ସଦ୍‌ଭାବନା ସଭାଗୃହରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଦିନରେ ବିଶେଷକରି ୧୫ ରୁ ୧୮ବର୍ଷ ବୟସ୍କ ଯୁବ ବର୍ଗ ମଧ୍ୟରେ କେତେକ କୁସଙ୍ଗରେ ପଡ଼ି ହେଉ ବା ଅନ୍ୟ ଯେ କୌଣସି କାରଣ ଯୋଗୁଁ ହେଉ ଏହି ନାର୍କୋଟିକ୍ ଡ଼୍ରଗସ୍ ସେବନ ପ୍ରତି ଢ଼ଳିଯିବା ଆଉ ସେଥିରୁ ମୁକୁଳି ନପାରିବା ଘଟଣା ଆଗାମୀ ସମାଜ ପାଇଁ ଏକ ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଏସ୍‌.ପି. ବୈଠକରେ ପ୍ରକାଶ କରିଥିଲେ।

ଏ ଧାରାକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଥିଲେ ବି ଅଧିକ ରୁ ଅଧିକ ସଚେତନତା ଏବଂ ଆଡ଼ିକ୍‌ଟେଡ଼୍ ଲୋକଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତକୁ ଫେରାଇବା ନେଇ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି। ପୋଲିସ୍‌, ପ୍ରଶାସନ, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନିଶାନିବାରଣ କେନ୍ଦ୍ର ଏପରିକି ଜନସାଧାରଣ ନାର୍କୋଟିକ୍ ଡ଼୍ରଗସ୍ ମୁକ୍ତ ସମାଜ ପାଇଁ ଏ ସମସ୍ତଙ୍କର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଦିନରେ ଏ ଦିଗରେ ସ୍କୁଲ, କଲେଜ ର କିଶୋର ଓ ଯୁବ ବର୍ଗ ମଧ୍ୟରେ ଏହି ମାଦକ ଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରାଯିବା ନେଇ କାର୍ଯ୍ୟକ୍ରମ ଆୟୋଜିତ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ବିଶେଷ କରି ବାଲେଶ୍ୱର ପଟୁ ଭଦ୍ରକ ଜିଲ୍ଲାକୁ ବ୍ରାଉନ୍ ସୁଗାର ଯୋଗାଣ ହେବାର ଦେଖାଯାଇଛି। ଧାମରା ବନ୍ଦର ଦେଇ ଏହା ଆସିବାର ଦୃଷ୍ଟିକୁ ଆସିନଥିଲେ ବି ବାହାରୁ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ସତର୍କ ହେବାକୁ ପଡ଼ିବ ବୋଲି ଏସ୍‌.ପି. ବୈଠକରେ ପ୍ରକାଶ କରିଥିଲେ। ଜିଲ୍ଲାରେ ଥିବା +୨ କଲେଜ ଓ ଧନ୍ଧାମୂଳକ ସ୍କୁଲ କଲେଜମାନଙ୍କର ଅଧ୍ୟକ୍ଷମାନଙ୍କୁ ଯୋଗଯୋଗ କରାଯାଇ ପିଲାମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.