Home ଜିଲ୍ଲା ପରିକ୍ରମା ନାରୀ ସମାଜର କେବଳ ଅବିଚ୍ଛେଦ୍ୟ ନୁହେଁ ବରଂ ପ୍ରମୁଖ ଅଙ୍ଗ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ...

ନାରୀ ସମାଜର କେବଳ ଅବିଚ୍ଛେଦ୍ୟ ନୁହେଁ ବରଂ ପ୍ରମୁଖ ଅଙ୍ଗ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ, ଜିଲ୍ଲାର ୩ ଲକ୍ଷ ୮୦ ହଜାର ୮୩୪ ଜଣ ପାଇଲେ ସୁଭଦ୍ରାର ୨ୟ କିସ୍ତି

10

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱର ମହିଳାମାନଙ୍କ ଅଧିକାର, ଅସ୍ମିତା ଓ ସ୍ୱାଭିମାନ ପ୍ରତିଷ୍ଠା ପାଇଁ ଚିନ୍ତା କରିବାର ଦିନଟିଏ , ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ । ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆର୍‌.ଏମ୍‌.ସି. ପରିସରରେ ମହା ଆଡ଼ମ୍ବରରେ ଜିଲ୍ଲାସ୍ତରୀୟ ଏହି ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରକାଶ କରିଥିଲେ କି ସମାଜ ଗଠନରେ ନାରୀର ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ । ଏକ ପରିପୂର୍ଣ୍ଣ, ସୁନ୍ଦର, ସୁସ୍ଥ ସମାଜ ନାରୀ ବିନା ସମ୍ଭବ ନୁହେଁ । ନାରୀ ସମାଜର, କେବଳ ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ପ୍ରମୁଖ ଅଙ୍ଗ ବୋଲି ସେ କହିଥିଲେ । ପରିଣତ ବୟସରେ ପୁରୁଷ ନାରୀ ଉପରେ ଯେତେ ଅଧିକ ନିର୍ଭରଶୀଳ ହୋଇଥାଏ, ନାରୀ ପୁରୁଷ ଉପରେ ସେତେ ନିର୍ଭରଶୀଳ ହୋଇ ନଥାଏ । ବେଟି ବଚାଓ ବେଟି ପଢ଼ାଓର ୧୦ମ ପୂର୍ତି ଉତ୍ସବ ପାଳନ ଅବସରରେ ସେ ଲିଙ୍ଗଗତ ଭେଦଭାବ ଗ୍ରହଣୀୟ ନୁହେଁ, କି ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଥିଲେ । ବ୍ରହ୍ମପୁରରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁଭଦ୍ରା ଯୋଜନା ନାରୀ ଶକ୍ତିକୁ କିପରି ସ୍ୱାବଲମ୍ବୀ କରିବାରେ ସହାୟକ ହୋଇପାରିବ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦର ମୁଖ୍ୟ ବିକାଶ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜଣାଇଥିଲେ କି ଭଗବାନଙ୍କ ସୃଷ୍ଟିରେ ନାରୀ ଏକ ଅନବଦ୍ୟ ସୃଷ୍ଟି। ତା’ର ସ୍ଥିତି, ପରିଚିତି ଓ ଜୀବନ ପ୍ରବାହ ହିଁ ସାମଗ୍ରୀକ ଭାବେ ଏକ ସମାଜର ପରିଚୟ। ଅନାଦି କାଳରୁ ନାରୀର ଭୂମିକା ବେଶ୍ ସୁସ୍ପଷ୍ଟ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଡ଼୍‌ୱାର ସମ୍ପାଦିକା ସୁରଜିତା ନାୟକ ନିଜ ବକ୍ତବ୍ୟ ରଖିବାକୁ ଯାଇ କହିଥିଲେ ଯେ ନାରୀ ସର୍ବଦା ପୂଜନୀୟା। ତଥାପି ପ୍ରତି ମୁହୂର୍ତରେ ନାରୀକୁ ନୂଆ ନୂଆ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ୁଛି। ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ସମାନତା ଦେବା ସହ ନାରୀ ହିଂସାରୁ ମୁକ୍ତ କରିବା ଆଜି ବି ସମାଜ ପାଇଁ ଆହ୍ୱାନ ହୋଇରହିଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର ଦିବସ ପାଳନର ଆଭିମୁଖ୍ୟ ଜଣାଇଥିଲେ। ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ପ୍ରଦ୍ୟୁତ ରଞ୍ଜନ ରାଉତଙ୍କ ସଂଯୋଜନାରେ ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ବଂଟନ କରାଯାଇଥିଲା। ସର୍ବୋତମ ଅଙ୍ଗନବାଡ଼ି, ସର୍ବୋତମ ମହିଳା ପୁଲିସ୍‌, ମହିଳା ସ୍ୱାସ୍ଥ୍ୟ କର୍ମୀ, ମହିଳା ପ୍ରଶାସକ, ସି.ଡ଼ି.ପି.ଓଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ୧୦ମ ପୂର୍ତି ଉପଲକ୍ଷେ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ସୂଚନା ଯୋଗ୍ୟକି ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରାର ୨ କିସ୍ତି ପ୍ରଦାନରେ ଭଦ୍ରକ ଜିଲ୍ଲାର ୧ମ କିସ୍ତି ପାଇଥିବା ୩ ଲକ୍ଷ ୮୦ ହଜାର ୮୩୪ ଜଣଙ୍କୁ ଦ୍ୱିତୀୟ କିସ୍ତିର ଟଙ୍କା ପ୍ରଦାନ କରାଗଲା। ଓରମାସ୍‌ର ଜିଲ୍ଲା ଉପମୁଖ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଅଭିକ୍ ନାରାୟିନ୍‌, ଜିଲ୍ଲା ପୋଷଣ ସଂଯୋଜକ ସେକ୍ ସିରାଜ ଅଖ୍‌ତାର, ଜିଲ୍ଲ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ପ୍ରୋବେସନର ସୁବ୍ରତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.