Home ଜିଲ୍ଲା ପରିକ୍ରମା ନାରୀ ନଦୀ-ନକ୍ଷତ୍ର ପରି ପ୍ରବହମାନ ଓ ଚିରନ୍ତନ, ସାଳନ୍ଦୀ ବହିମେଳାର ଚତୁର୍ଥ ସଂଧ୍ୟା

ନାରୀ ନଦୀ-ନକ୍ଷତ୍ର ପରି ପ୍ରବହମାନ ଓ ଚିରନ୍ତନ, ସାଳନ୍ଦୀ ବହିମେଳାର ଚତୁର୍ଥ ସଂଧ୍ୟା

41

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ନଦୀ-ନକ୍ଷତ୍ରର ବେଭାର ଏକାପରି। ନାରୀ ହିଁ ନଦୀ, ଯାହା ଦୂର ଆକାଶର ନକ୍ଷତ୍ର ସମ ଚିର ଉଜ୍ୱଳ। ନଦୀ ପରି ନାରୀ ଚିର ପ୍ରବାହମାନ ଓ ନକ୍ଷତ୍ର ପରି ଚିରନ୍ତନ, ଜାଜୁଲ୍ୟମାନ। ନଦୀ କେତେବେଳେ ଶାନ୍ତ ତ କେବେ ଉଚ୍ଛଳ, ନକ୍ଷତ୍ର କେବେ ସ୍ପଷ୍ଟ ପୁଣି କେବେ ଅସ୍ପଷ୍ଟ। ନାରୀ ସେମିତି ସର୍ଜନଶୀଳ ଓ ରହସ୍ୟମୟୀ। ସମସ୍ତ ପ୍ରତିକୂଳତା ସତ୍ତ୍ୱେ ଲେଖିକା ମାନେ ସେମାନଙ୍କ ସୃଷ୍ଟିର ମହକରେ ସଭିଙ୍କୁ ମହକିତ ଓ ଆଲୋଡ଼ିତ କରିବା ସହ ସ୍ୱପ୍ନ ଓ ସଂଭାବନାର ସ୍ୱର ତୋଳିଥାନ୍ତି ବୋଲି ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ତର ଓଡ଼ିଶାର ସର୍ବଶ୍ରେଷ୍ଠ ପୁସ୍ତକମେଳା ସପ୍ତମ ସାଳନ୍ଦୀ ବହିମେଳା ଓ ସାହିତ୍ୟ ମହୋତ୍ସବର ଚତୁର୍ଥ ସୃଜନ ସଂଧ୍ୟାରେ ମତ ପ୍ରକାଶ ପାଇଛି। ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ସଂଚାଳିତ ‘ନାରୀ-ନଦୀ-ନକ୍ଷତ୍ର’ ସାହିତ୍ୟ ଚର୍ଚ୍ଚାରେ ଅତିଥି ଭାବେ ଭୁବନେଶ୍ୱରରୁ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ମାନୀ ଦାଶ, ଭଦ୍ରକରୁ ପ୍ରଭାତ ନଳିନୀ ମହାପାତ୍ର, ସୁଚିତ୍ରା ପାଣିଗ୍ରାହୀ, ଭାନୁମତୀ ମାଟିଆ, ମମତା ସାହୁ, ଚୈତାଳୀ ଖିଲାର, ସୁକାନ୍ତି ମହାପାତ୍ର, ଉଷାରାଣୀ ଜେନା, ବାଲେଶ୍ୱରରୁ ପ୍ରୀତିଲେଖା ଦାସ ଏବଂ ଯାଜପୁରରୁ ମିରିନା ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜନିଜ ଅର୍ଥପୂର୍ଣ୍ଣ ବକ୍ତବ୍ୟରେ ସଂପାନକୁ ରସସିକ୍ତ କରିଥିଲେ। ପ୍ରାରମ୍ଭରେ ଗୀତାରାଣୀ ଆଇଚ ପ୍ରାକ୍‌ଭାଷ ପ୍ରଦାନ କରିଥିଲେ, ଶେଷରେ ଉତ୍ପଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନଙ୍କୁ ବହିମେଳା- ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଅପରାହ୍ନରେ ରଜତ କୁମାର ନାୟକଙ୍କ ସଂଯୋଜନାରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯାଇଥିଲା। ପବିତ୍ର ପାଣିଗ୍ରାହୀ, ଅଭିଜିତ୍ ନାୟକ, ସରୋଜ ବଳ, କୈଳାଶ ଚନ୍ଦ୍ର ପଣ୍ଡା, ହରମୋହନ କୁଅଁର, ବାଦଲ ମହାପାତ୍ର, ପ୍ରଫୁଲ୍ଲ ନାୟକ, ନାସିର ବକ୍ସ, କିଶୋର ପାଣିଗ୍ରାହୀ, ବସୁମିତ୍ରା ସାହୁ, ଓ ଡା. ବିକାଶ ନନ୍ଦ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ବହିମେଳାରେ ଓଡ଼ିଶାର ପ୍ରମୁଖ ପ୍ରକାଶକମାନେ ଯୋଗ ଦେଇଛନ୍ତି ଏବଂ ଆଗାମୀ ସାତ ତାରିଖ ଯାଏ ପ୍ରତିଦିନ ଅପରାହ୍ନ ୨ ଘଟିକାରୁ ରାତି ୯ଟା ଯାଏ ଏହା ଚାଲିବବୋଲି ସଂପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.