Home ଜିଲ୍ଲା ପରିକ୍ରମା ନାରୀଶକ୍ତି ମିଶନ ମାଧ୍ୟମରେ ଜିଲାପାଳଙ୍କୁ ଭେଟିଲା ଲିପି, ଉନ୍ନତ ମାନର ଚିକିତ୍ସା ପାଇଁ ଏମସ୍‌କୁ ପଠାଇଲା...

ନାରୀଶକ୍ତି ମିଶନ ମାଧ୍ୟମରେ ଜିଲାପାଳଙ୍କୁ ଭେଟିଲା ଲିପି, ଉନ୍ନତ ମାନର ଚିକିତ୍ସା ପାଇଁ ଏମସ୍‌କୁ ପଠାଇଲା ଜିଲା ପ୍ରଶାସନ

33

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଢବର୍ଷ ପୂର୍ବେ ଚୂଲିରେ ପୋଡି ହୋଇ ପଙ୍ଗୁ ହୋଇଯାଇଥିବା ବହୁ ଚର୍ଚ୍ଚିତ ଭଦ୍ରକ ଜିଲାର ଚାନ୍ଦବାଲି ଅଂଚଳର ଲିପି ଭଳ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଆଜି ତାକୁ ନାରୀଶକ୍ତି ମିଶନ ପକ୍ଷରୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତାର ଉନ୍ନତ ଚିକିତ୍ସା ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ଶ୍ରୀ ବୋନ୍ଦର ନିଜେ ଲିପି ନିକଟରୁ ତାର ହୃଦୟସ୍ପର୍ଶୀ ଘଟଣା ଶୁଣିବା ପରେ ଆଶ୍ୱାସନା ଦେଇ ଜିଲା ରେଡ୍‌କ୍ରସ୍‌ରୁ ୧୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେବା ସହ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହାୟତାରେ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆଶୁ ପ୍ରତିକାର ସହ ତାକୁ ଚଳନକ୍ଷମ କରାଇବା ଦିଗରେ ଉନ୍ନତମାନର ଚିକିତ୍ସା ନିମନ୍ତେ ଏମ୍‌ସକୁ ସ୍ଥାନାନ୍ତର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବାଂଶଡା ପଞ୍ଚାୟତର ବିଜିପୁର ନିବାସୀ ସରୋଜ ଭଳ ଜଣେ ଦିନ ମଜୁରିଆ ହୋଇଥିବାବେଳେ ଗତ ୨୦୨୦ ଡିସେମ୍ବର ୨୨ ତାରିଖ ଦିନ ତାର ଗର୍ଭବତୀ ପତ୍ନୀ ଲିପି ରୋଷେଇ କରୁଥିବା ଅବସ୍ଥାରେ ନିଆଁ ଲାଗି ଶରୀରର ୭୫ ଭାଗ ପୋଡିଯାଇଥିଲା। ଲିପିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସରୋଜ ତାକୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍‌ପିଟାଲକୁ ନେଇ ଦୀର୍ଘଦିନର ଚିକିତ୍ସା ପରେ ଅପରେସନ ଜନିତ ଉନ୍ନତ ମାନର ଚିକିତ୍ସାରୁ ବଂଚିତ ହୋଇ ଘରକୁ ଫେରାଇ ଆଣିଥିଲା। ସେହି ସମୟରୁ ଲିପି ଆଜିପର୍ଯ୍ୟନ୍ତ ଶଯ୍ୟାଶାୟୀ ଥାଇ ଚଳନକ୍ଷମ ହୋଇପାରୁନାହିଁ। ତେବେ ତାର ସଂପୂର୍ଣ୍ଣ ସୁସ୍ଥତା ନେଇ ସ୍ୱାମୀ ସରୋଜ ସ୍ଥାନୀୟ ସରପଞ୍ଚ, ତତ୍‌କାଳୀନ ଚେୟାରମେନ୍ ଓ ବର୍ତ୍ତମାନର ଜିଲା ପରିଷଦ ସଭ୍ୟ ତାଙ୍କ ସ୍ୱାମୀ ରଂଜନ ସାହୁଙ୍କ ସମେତ ସ୍ଥାନୀୟ ବିଧାୟକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ସେମାନେ କେବଳ ପ୍ରତିଶ୍ରୁତି ଦେଇ କୌଣସି ସହଯୋଗର ହାତ ବଢାଇନଥିଲେ। ଇତିମଧ୍ୟରେ ସ୍ୱାମୀ ସରୋଜ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ସହରର ବାଙ୍କା ବଜାରରେ ଥିବା ନାରୀଶକ୍ତି ମିଶନର ନିର୍ଦ୍ଦେଶିକା ମାମୁନି ଘଡେଇଙ୍କ ନିକଟରେ ପହଞ୍ôଚବା ପରେ ସେ ତାକୁ ଆଜି ଜିଲାପାଳଙ୍କ ନିକଟକୁ ଆଣି ଉନ୍ନତ ଚିକିତ୍ସା ନିମନ୍ତେ ଅନୁରୋଧ କରିଥିଲେ। ଏହି ଘଟଣା ପରେ ଲିପି ଓ ତାର ସ୍ୱାମୀ ଜିଲାପାଳଙ୍କ ସମେତ ଶ୍ରୀମତୀ ଘଡେଇଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.