Home ଜିଲ୍ଲା ପରିକ୍ରମା ନାରୀନେତ୍ରୀ ସରଳା ଦେବୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

ନାରୀନେତ୍ରୀ ସରଳା ଦେବୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

51

ଭୁବନେଶ୍ୱର, ୯ା୮ (ଓଡ଼ିଆ ପୁଅ) : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ମହିଳା ରାଜବନ୍ଦୀ ତଥା ସୁସାହିତ୍ୟିକା ସରଳା ଦେବୀଙ୍କ ୧୧୯ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ୟୁନିଟ୍୯ସ୍ଥିତ ରୋଟାରୀ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କର ବହୁମୁଖୀ ପ୍ରତିଭା ଓ ଜନସେବାର ସ୍ମୃତି ଚାରଣ କରିଛନ୍ତି।

ରାଜ୍ୟସ୍ତରୀୟ ସରଳା ଦେବୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦ୍ଘାଟକ, ପୂର୍ବତନ ମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନ୍ଗୋ ମୁଖ୍ୟ ଅତିଥି, ବିଶିଷ୍ଟ ଲେଖିକା ଡଃ ସଂଘମିତ୍ରା ମିଶ୍ର, ଡଃ ସୋମା ଚାନ୍ଦ, ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ସ୍ମୃତି ପରିଷଦର ଆବାହକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରି ରାଜଧାନୀରେ ସଂଗ୍ରାମୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଥିଲେ। ବିଶିଷ୍ଟ ଅତିଥି ଓ ବକ୍ତାମାନେ ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସରଳାଙ୍କ କାରାବରଣ ଓ ତାଙ୍କ ପରିବାରର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ସରଳା ପ୍ରଥମ ବିଧାନସଭାକୁ ନିର୍ବାଚିତ ହୋଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହିପରି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ସଦସ୍ୟା ହୋଇ ଜଣେ ଉଚ୍ଚକୋଟୀର ଲେଖିକା ହୋଇପାରିଥିଲେ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଗାଳ୍ପିକା ସଂଯୁକ୍ତା ମହାନ୍ତିଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ ‘ବିସର୍ଜନ’ ବିଶିଷ୍ଟ ଲେଖିକା ବନଜ ଦେବୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ନାଇଜରର କୁଳ ସଚିବ ଅଭୟ ନାୟକ, କ୍ୟାଟର ପୂର୍ବତନ ଉପାଧ୍ୟକ୍ଷ ଚିତ୍ତରଂଜନ ମହାପାତ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଲକ୍ଷ୍ମୀଧର ବେହେରା, କସ୍ତୁରିକା ପଟ୍ଟନାୟକ ଓ ଅସୀତ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଯୋଗ ଦେଇଥିଲେ। ଡଃ ଚିତ୍ତରଂଜନ ସାହାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.