Home ଜିଲ୍ଲା ପରିକ୍ରମା ନଳକୂପରୁ ବାହାରୁଛି ହଳଦିଆ ଓ ଲୁଣା ପାଣି , ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି...

ନଳକୂପରୁ ବାହାରୁଛି ହଳଦିଆ ଓ ଲୁଣା ପାଣି , ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

21

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଚଣ୍ଡ ରୌଦ୍ରତାପରେ ଲୋକ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ଏଇ ଗ୍ରୀଷ୍ମ ଋତୁରେ ଗ୍ରାମାଂଚଳରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ମାତ୍ର ସେଥିରେ ଲୋକମାନେ କୌଣସି ସୁଫଳ ପାଇପାରୁନାହାନ୍ତି। ପାନୀୟଜଳ ଟିକେ ପାଇଁ ଲୋକ ଡହଳ ବିକଳ ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୌଲତପୁର ପଂଚାୟତ ଅଧୀନ ଚନ୍ଦ୍ରକାଟବିନ୍ଧା ଓ ଅର୍ଜୁନବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି। ଗାଁରେ ଥିବା ନଳକୂପରୁ ଲୁଣି ଓ ହଳଦିଆ ପାଣି ବାହାରୁଛି। ମେଗା କମ୍ପାନୀ ପକ୍ଷରୁ ଗାଁରେ ବସା ଯାଇଥିବା ପାନୀୟଜଳ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନାହିଁ। ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଏହି ଦୁଇଟି ଗ୍ରାମର ୮ଟି ୱାର୍ଡ଼ର ୨ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଏଥି ସହିତ ଗ୍ରାମର ୫ଟି ଅଙ୍ଗନୱାଡ଼ି କେନ୍ଦ୍ର ସହିତ ପିଏମଶ୍ରୀ ବିଦ୍ୟାଳୟ ରହିଛି। ପିଲାମାନଙ୍କ ସହିତ ଗ୍ରାମବାସୀମାନେ ପାନୀୟଜଳ ପାଇବାରୁ ବଂଚିତ ହୋଇଛନ୍ତି। ତୁରନ୍ତ ନଳକୂପ ମରାମତି କରାଯାଇ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏସମ୍ପର୍କରେ ଜଳ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଖବର ପାଇବା ପରେ କ୍ଷେତ୍ରିୟ ତଦନ୍ତ କରିଛି। ନଳକୂପ ବହୁ ପୁରୁଣା ହୋଇଥିବାରୁ ଭିତର ରଡ଼ କଳଙ୍କି ଲାଗି ସକାଳୁ କିଛି ପାଣି ହଳଦିଆ ବାହାରିବା ପରେ ସଫା ପାଣି ବାହାରୁଛି। କଳଙ୍କି ଲାଗିଥିବା ରଡ଼କୁ ପରିବର୍ତନ କରିବା ସହିତ ନଳକୂପକୁ ସଫା କରି ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.