Home ଜିଲ୍ଲା ପରିକ୍ରମା ନଭେମ୍ବର ୮ ଓ ୯ରେ ଧାମନଗର ଉର୍ସ ପର୍ବ, କେନ୍ଦୁଆପଦାରେ ଅଟକିବ ୪ଯୋଡ଼ା ଦ୍ରୁତଗାମୀ ଟ୍ରେନ

ନଭେମ୍ବର ୮ ଓ ୯ରେ ଧାମନଗର ଉର୍ସ ପର୍ବ, କେନ୍ଦୁଆପଦାରେ ଅଟକିବ ୪ଯୋଡ଼ା ଦ୍ରୁତଗାମୀ ଟ୍ରେନ

8

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ନଭେମ୍ବର ମାସ ୮ ଓ ୯ ତାରିଖରେ ଧାମନଗର ବିଜ୍ଞାପିତ ଅଞ୍ଚଳରେ ଅବସ୍ଥିତ ଖାନକା ପରିସରରେ ଉର୍ସ ପର୍ବ ପାଳନ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି କେନ୍ଦୁଆପଦା ଷ୍ଟେସନ୍‌ରେ ଦ୍ରୁତଗାମୀ ରେଳଗାଡ଼ିର ରହଣି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରେଳ ବିଭାଗକୁ ଅବଗତ କରାଯାଇଥିଲା । ଏହି ପର୍ବ ପାଇଁ ଅନୁଷ୍ଠିତ ହୋଇଯାଇଥିବା ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦିଲୀପ୍ ରାଉତରାଏ ଏ ବିଷୟରେ ସୂଚନା ପ୍ରଦାନ କରିବା ସହିତ ସଂପୃକ୍ତ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କଥା ପ୍ରକାଶ କରିଥିଲେ । ଉକ୍ତ ପ୍ରସ୍ତାବକୁ ହୃଦ୍‌ବୋଧ କରି ରେଳବିଭାଗ ତରଫରୁ ୪ଟି ଦ୍ରୁତଗାମୀ ଅପ୍ ଏବଂ ଡ଼ାଉନ୍ ଟ୍ରେନ୍ ରହଣି ଓ ସେଠାରେ ଅଟକୁ ଥିବା ୫ଟି ଯାତ୍ରୀବାହୀ ଟ୍ରେନ୍‌ର ରହଣି ସମୟ ବୃଦ୍ଧି ପାଇଁ ରେଳ ବିଭାଗ ଦ୍ୱାରା ଅନୁମୋଦନ କରାଯାଇଛି । ନଭେମ୍ବର ୮ ଓ ୯ ତାରିଖ ଦିନ ସେଠାରେ ଅଟକିବାକୁ ଥିବା ଦ୍ରୁତଗାମୀ ଟ୍ରେନ୍ ଗୁଡ଼ିକ ହେଲା ଭୁବନେଶ୍ୱର – ବାଙ୍ଗିରିପୋଷି – ଭୁବନେଶ୍ୱର ସୁପର ଫାଷ୍ଟ ଏକସ୍‌ପ୍ରେସ୍‌, ସିକନ୍ଦରାବାଦ-ହାଉଡ଼ା-ସିକନ୍ଦରାବାଦ ଫଲକ୍‌ନାମା ଏକସ୍‌ପ୍ରେସ୍‌, ପୁରୀ-ଶାଲିମାର-ପୁରୀ, ଧଉଳି ଏକସ୍‌ପ୍ରେସ୍‌, ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟ୍‌କୋଷ୍ଟ ଏକସ୍‌ପ୍ରେସ୍ । ଏହି ସମସ୍ତ ଦ୍ରୁତଗାମୀ ଟ୍ରେନ୍ ଉଭୟ ଅପ୍ ଏବଂ ଡ଼ାଉନ୍ ସମୟରେ ୨ ମିନିଟ୍ କେନ୍ଦୁଆପଦା ଷ୍ଟେସନରେ ରହଣି କରିବେ । ଖୋର୍ଦ୍ଧା ରୋଡ଼-ଖଡ଼ଗପୁର-ଖୋର୍ଦ୍ଧାରୋଡ଼ ଏକସ୍‌ପ୍ରେସ୍‌, କେଉଁଝର ରୋଡ଼-ଖଡ଼ଗପୁର-ଯାଜପୁର-କେଉଁଝର ରୋଡ଼ ଏକସ୍‌ପ୍ରେସ୍‌, ନୟାଗଡ଼ ଟାଉନ୍‌-ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ପାସେଞ୍ଜର, ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ପାସେଞ୍ଜର, ପୁରୀ-ଜଳେଶ୍ୱର-ପୁରୀ ମେମୁ ପାସେଞ୍ଜର, କଟକ-ଭଦ୍ରକ-କଟକ ମେମୁ ପାସେଞ୍ଜର, କଟକ-ଭଦ୍ରକ-କଟକ ମେମୁ ପାସେଞ୍ଜର କେନ୍ଦୁଆପଦାରେ ୫ ମିନିଟ୍ ରହଣି କରିବ । ଯାତ୍ରୀମାନଙ୍କ ସୁବିଧା ପାଇଁ ରହଣି ସମୟ ରେଳ ବିଭାଗ ତରଫରୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟକି ନଭେମ୍ବର ୮ ତରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ମେଳା ଲାଗି ରହିବାକୁ ଥିବାରୁ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ନେଇ କେନ୍ଦୁଆପଦାରେ ଟ୍ରେନ୍ ଗୁଡ଼ିକର ରହଣି ବ୍ୟାବସ୍ଥା କରାଯାଇଥିବାରୁ ଲୋକ ସମାଗମ, ଟ୍ରାଫିକ୍ ନିୟନ୍ତ୍ରଣ ସୁବିଧା ଜନକ ହେବା ସହ ଉଭୟ ଉର୍ସ ଶ୍ରଦ୍ଧାଳୁ ଓ ମା’କାଳୀଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ଜନକ ହୋଇପାରିବ ବୋଲି ଆଶା କରାଯାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.