ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜବାହର ନବୋଦୟ ବିଦ୍ୟାଳୟ ଭଦ୍ରକର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଡ଼ିଆ ସଂସ୍କୃତି ଓ ପରମ୍ପରା ତଥା ଭାଷା ଭିତିକ, ସାମାଜିକ, ଐତିହାସିକ, ଗାଣିତିକ ତଥା ବିଜ୍ଞାନ ଭିତିକ ପ୍ରକଳ୍ପ ଗୁଡ଼ିକର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ, ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ ରାଉତରାୟ ,ସ୍ୱତନ୍ତ୍ର ତଥା ବିଶେଷ ଅତିଥି ଭାବେ ଶ୍ରୀମତୀ ବିଳାସିନୀ ଖିଲାର ଏବଂ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ କୁମାର ଦାସ , ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାବତୀ ଦ୍ୱିବେଦୀ, କ୍ରିଷ୍ଣା ପ୍ରିୟା ଷଡ଼ଙ୍ଗୀ (ପ୍ରିନ୍ସିପାଲ ଡି.ଏ.ଭି ଆଦାନି, ଧାମରା) ଯୋଗଦାନ କରିଥିଲେ । ବିଦ୍ୟାଳୟର ବ୍ୟାଣ୍ଡ ଟିମ୍ ସମସ୍ତଙ୍କୁ ସମ୍ମାନର ସହିତ ମଂଚକୁ ପାଛୋଟି ଆଣିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଡଃ ବିଶ୍ୱନାଥ ଖିଲାର ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ତାଙ୍କର ଅଭିଭାଷଣ ରଖିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରି ସମସ୍ତ ପ୍ରକଳ୍ପକୁ ବୁଲି ଦେଖିଥିଲେ ଏବଂ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।ପରେ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ହାତରୁ ପୁରସ୍କୃତ କରାଇଥିଲେ। ବିଦ୍ୟାଳୟରେ ଭାରତ ସରକାରଙ୍କ ନ୍ୟାସନାଲ ସ୍କିଲ ଡେଭଲପମେଂଟ କାଉନସିଲ ଦ୍ୱାରା ପରିଚାଳିତ ଡୋମେଷ୍ଟିକ ଡାଟା ଏଂଟ୍ରି ସ୍କିଲ୍ ଟ୍ରେନିଙ୍ଗ ରେ ସାଫଲ୍ୟ ଅର୍ଜନ କରିଥିବା ପିଲାଙ୍କୁ ମାନନୀୟ ଜିଲ୍ଲାପାଳ ଓ ମାନନୀୟ ବିଧାୟକଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଗେଇ ଯାଇଥିଲା ।ସ୍କୁଲର ପିଲାମାନଙ୍କ ଦ୍ୱାରା ମଂଚ ପରିଚାଳନା କରାଯାଇଥିଲା । ଡଃ କଳ୍ପନା ଦାସ ଓ ସୌରଭ ବାନାର୍ଜୀ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ଆୟୋଜିତ ହୋଇଥିଲା । ଶେଷରେ ବିଦ୍ୟାଳୟର ଉପ ଅଧ୍ୟକ୍ଷ ନୃସିଂହ ଚରଣ ଚକ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସମାପନ କରିଥିଲେ ।