Home ଓଡ଼ିଶା ନବୀନ ସରକାରକୁ ଉପାଡ଼ି ଫିଙ୍ଗ…କିଏ ଏବଂ କେବେ ପ୍ରଥମେ କହିଥିଲା?

ନବୀନ ସରକାରକୁ ଉପାଡ଼ି ଫିଙ୍ଗ…କିଏ ଏବଂ କେବେ ପ୍ରଥମେ କହିଥିଲା?

378

ଭୁବନେଶ୍ୱର;୧୪,ଅକ୍ଟୋବର:ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା କିଛି ଦିନ ତଳେ ଓଡ଼ିଶା ଆସିଥିବା ସମୟରେ କହିଥିଲେ ଯେ ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର।ଏହାକୁ ଉପାଡ଼ି ଫିଙ୍ଗ।ଶାହାଙ୍କର ଏହି ପଦଟିଏ କଥା ସେ ସମୟରେ ସଭାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଶିହରଣ ସୃଷ୍ଟି କରିଥିଲା।କିନ୍ତୁ ପରେ ଯାହାକୁ ତାହା।ଶାହା ତାଙ୍କର ପରବର୍ତ୍ତୀ ଓଡ଼ିଶା ଗସ୍ତରେ ନବୀନଙ୍କୁ ଆକ୍ଷେପ କରି ସେପରି କିଛି କହିବାର ଶୁଣାଯାଇ ନଥିଲା।ଦେଖିବାକୁ ଗଲେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା ନବୀନଙ୍କୁ ସେପରି କେବେ ଆକ୍ଷେପ କରି କହିବାର ଖୁବ୍ କମ ଦେଖା ଯାଇଥାଏ।ଯେତେବେଳେ କି ଉଭୟ ମୋଦୀ ଏବଂ ଶାହା ଅନ୍ୟାନ୍ୟ ରାଜ୍ୟ ଗସ୍ତ ସମୟରେ ସେଠାକାର ବିରୋଧୀ ଦଳକୁ ଖୁବ୍ କଡ଼ା ସମାଲୋଚନା କରି ଥାଆନ୍ତି।ଏହାର କାରଣ ଯାହା ହେଉ ନାଁ କାହିଁକି କିନ୍ତୁ ଅନେକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରି ଓଲଟି ନବୀନଙ୍କୁ ପ୍ରଶଂସା କରି ଯାଇଛନ୍ତି।

କେବଳ ରାଜ୍ୟ ବିଜେପିର ନେତା ମାନେ ନବୀନଙ୍କ ଉପରେ ବର୍ଷୁଛନ୍ତି।ତାହା ପୁଣି ଦିନ ରାତି।ବଡ଼ ଠାରୁ ଛୋଟ ନେତା ଭାଷଣ ଦେଲା ମାନେ କେବଳ ନବୀନଙ୍କୁ ଗାଳି କରୁଛନ୍ତି।ମେଣ୍ଟ ଭାଙ୍ଗିବା ପରେ ରାଜ୍ୟ ବିଜେପି ନେତା ମାନେ ଏହିପରି ନବୀନଙ୍କୁ ଗାଳି କରୁଛନ୍ତି।ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଆଜି ନବୀନଙ୍କୁ ସବୁଠାରୁ ଅଧିକ ଆକ୍ଷେପ କରୁଛନ୍ତି,ମେଣ୍ଟ ସମୟରେ ସେ ନବୀନଙ୍କ ବିରୋଧରେ ପଦୁଟିଏ ବି କହିବାର ଶୁଣାଯାଉ ନଥିଲା।ବରଂ ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟ ବିଜେପିର ଅନେକ ନେତା ନବୀନଙ୍କ ସହ ଭଲ ସଂପର୍କ ପାଇଁ ବ୍ୟାକୁଳ ଥିଲା ପରି ରହୁଥିଲେ।କିନ୍ତୁ,ଜୁଏଲ ଓରାମ ମେଣ୍ଟ ସମୟରେ ମଧ୍ୟ ନବୀନଙ୍କୁ ଅଳ୍ପେ ବହୁତେ ସମାଲୋଚନା କରିଥିବାର ଜଣାପଡ଼େ।

ତେବେ ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗ…ବୋଲି ଯଦି କେହି ପ୍ରଥମେ କହିଥଲେ,ସେ ହେଲେ ତତ୍କାଳୀନ ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମହାସଚିବ ଡଃ: ପ୍ରବୀଣ ଭାଇ ତୋଗାଡ଼ିଆ।୨୦୦୬ ମସିହା ପ୍ରେବୃୟାରୀ ୧୮,୧୯ରେ ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ପୁରୀରେ ଆୟୋଜିତ ହେଉଥାଏ ଧର୍ମ ସଂସଦ।ଯେଉଁଠାରେ କି ୩୦୦୦ରୁ ଉର୍ଦ୍ଦ୍ଵ ସାଧୁ ସନ୍ଥଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସଭାପତିତ୍ୱରେ ଆୟୋଜିତ ହେଉଥାଏ ସମ୍ମିଳନୀ।ମୁଖ୍ୟ ଅତିଥି ଭାବରେ ଭିଏଚପିର ତତ୍କାଳୀନ ଅଧ୍ୟକ୍ଷ ଅଶୋକ ସିଂଘଲଙ୍କ ସମେତ,ଡଃ: ପ୍ରବୀଣ ତୋଗାଡ଼ିଆ,ମହନ୍ତ ଡଃ: ରାମ ବିଳାସ ବେଦାନ୍ତି,ଆଚାର୍ଯ୍ୟ ଧର୍ମେନ୍ଦ୍ର,ରାଜ୍ୟରୁ ଗୌରୀ ପ୍ରସାଦ ରଥ ଆଦି ହିନ୍ଦୁତ୍ୱର ଫାୟାରବ୍ରାଣ୍ଡ ପ୍ରମୁଖ ନେତାମାନେ ମଞ୍ଚାସିନ ଥାଆନ୍ତି।ସେହି ସଭାରେ ହିଁ ତୋଗାଡ଼ିଆ ପ୍ରଥମ ଥର କହିଥିଲେ ନବୀନ ସରକାରକୁ ଉପାଡ଼ି ଫିଙ୍ଗ।ବାଙ୍ଗଲାଦେଶୀ ଅନୁ ପ୍ରବେଶକାରୀଙ୍କୁ ନବୀନ ସରକାର ସଂରକ୍ଷଣ ଦେଉଛନ୍ତି କହି ନବୀନ ସରକାରକୁ ଉପାଡ଼ି ବଙ୍ଗୋପସାଗରରେ ଫିଙ୍ଗି ଦିଅ ବୋଲି କହିଥିଲେ ତୋଗାଡ଼ିଆ।ଏହା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।କାରଣ ଭିଏଚପି,ବିଜେପି ସଂପର୍କ ସମସ୍ତଙ୍କୁ ଜଣା,ଏବଂ ସେତେବେଳେ ବିଜେପି,ବିଜେଡି ମେଣ୍ଟ ଥିଲା।ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀବିତ ଥିଲେ।ଆଜି କିନ୍ତୁ ଲକ୍ଷ୍ମଣାନନ୍ଦ ସରସ୍ୱତୀ ନାହାଁନ୍ତି କି ବିଜେପି/ବିଜେଡି ମେଣ୍ଟ ନାହିଁ,କି ତୋଗାଡ଼ିଆ ମଧ୍ୟ ଆଜି ଭିଏଚପିରେ ନାହାଁନ୍ତି।ଆଉ ବାଂଲାଦେଶୀ ଅନୁପ୍ରବେଶ ଯଥେଷ୍ଟ ବୃଦ୍ଧି ପାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.