ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନବ ନିର୍ମାଣ କୃଷକ ସଂଘ ଧାମନଗର ଶାଖା ପକ୍ଷରୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଏକ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ଅକ୍ଟୋବର ୨୪ ତାରିଖରେ ବାତ୍ୟା ‘ଦାନା’ ପ୍ରକୋପରେ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ‘ଦାନା’ ଚାଲିଯାଇଥିଲେ ମଧ୍ୟ ହଜାର ହଜାର ହେକ୍ଟର ଚାଷଜମି ପାଣି ଘେରରେ ଏବେବି ରହିଛି। ଯାହାଫଳରେ ଚାଷୀମାନଙ୍କ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିପଡିଛି। ଏହାର ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଏକର ପିଛା କ୍ଷତିପୂରଣ ୨୦ ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ ସହ ଋଣ ସଂପୂର୍ଣ୍ଣ ଛାଡ କରିବା, ରେବ, କପାଳୀ ଓ ସାଳନ୍ଦୀ ନଦୀରେ ବନ୍ୟାର ସ୍ଥାୟୀ ପ୍ରତିକାର, ଆଗାମୀ ରବି ଧାନର ଚାଷୀ ପଂଜିକରଣ କରିବା, ଭାଗଚାଷୀଙ୍କ ପାଇଁ ଭାଗଚାଷ ଆଇନ୍ ସରକାର ଆଣିବା, ମାଙ୍କଡ ଓ ଷଣ୍ଢ ଦାଉରୁ ସରକାର ସୁରକ୍ଷା ବ୍ୟବସ୍ଥା କରିବା, ରିଲିଫ୍ କୋଡ୍ ସଂଶୋଧନ କରିବା ଭଳି ଦାବି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧାମନଗର ତହସିଲଦାରଙ୍କୁ ଦିଆଯାଇଥିବା ଦାବିପତ୍ର କାଳରେ ନବନିର୍ମାଣ କୃଷକ ସଂଘ ଧାମନଗର ଶାଖାର ସଂଯୋଜକ ପିତବାସ ମହାନ୍ତି, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସତ୍ୟରଂଜନ ନାୟକ, ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଆଇନ୍ଜୀବୀ ରମେଶ ଚନ୍ଦ୍ର ବେହେରା, ଜଗବନ୍ଧୁ ସ୍ୱାଇଁ, ନିମାଇଁ ଚରଣ ସାହୁ, ମାନସ ରଂଜନ ସାହୁ, ଭାଗବତ ମଲ୍ଲିକ, ଗୋଲେଖ ନାୟକ, ବିଦ୍ୟାଧର ବସନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।