Home ଓଡ଼ିଶା ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ‘ଉମିଦ’ ଯୋଜନାର ଶୁଭାରମ୍ଭ

ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ‘ଉମିଦ’ ଯୋଜନାର ଶୁଭାରମ୍ଭ

199

– ପ୍ରଥମ ପର୍ଯ୍ୟାୟରେ ୭ ଆକାଂକ୍ଷୀ ଜିଲ୍ଲାରେ ୧୦ହଜାର ଗର୍ଭବତୀ ଓ ୫ ହଜାର ନବଜାତଙ୍କ ପରୀକ୍ଷା କରାଯିବ
– ଆନୁବଂଶିକ ରୋଗର ଚିକିତ୍ସା ଖର୍ଚ୍ଚ ବହନ କରିପାରୁନଥିବା ଲୋକମାନେ ଲାଭାନ୍ୱିତ ହେବେ : ଡ. ହର୍ଷ ବର୍ଦ୍ଧନ

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି, ଭୂ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଆଜି ‘ଉମିଦ’ (ଆନୁବଂଶିକ ରୋଗର ଚିକିତ୍ସା ଓ ଅଭିନବ ପରିଚାଳନା ପଦ୍ଧତି) ଯୋଜନାର ଶୁଭାରମ୍ଭ କରିବା ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ନିଦାନ (ଜାତୀୟ ଆନୁବଂଶିକ ରୋଗ ପରିଚାଳନା) କେନ୍ଦ୍ରର ଉଦଘାଟନ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜୈବପ୍ରଯୁକ୍ତି ବିଭାଗ ସହାୟତାରେ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି।
ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ସରକାରୀ ଡାକ୍ତରଖାନାଗୁଡ଼ିକରେ ଆରମ୍ଭ ହେଉଥିବାରୁ ଆନୁବଂଶିକ ରୋଗର ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ବହନ କରିପାରୁନଥିବା ଲୋକମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ। ଆନୁବଂଶିକ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଉପଯୁକ୍ତ ଚିକିତ୍ସା ତଥା ଜନସାଧାରଣଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଜୈବ ପ୍ରଯୁକ୍ତି ବିଭାଗକୁ ଡା. ହର୍ଷ ବର୍ଦ୍ଧନ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ପ୍ରସାର ସୁନିଶ୍ଚିତ ହୋଇପାରିବ।

ଜୈବ ପ୍ରଯୁକ୍ତି ବିଭାଗ ସଚିବ ଡ. ରେଣୁ ସ୍ୱରୂପ ‘ଉମିଦ’ ଯୋଜନାକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ଅଧିକରୁ ଅଧିକ ଆନୁବଂଶିକ ରୋଗାକ୍ରାନ୍ତ ଶିଶୁ ଚିକିତ୍ସିତ ହୋଇପାରିବେ। ସେ ଆହୁରି କହିଥିଲେ ଜନ୍ମଜାତ ଓ ଆନୁବଂଶିକ ରୋଗ ଭାରତ ପାଇଁ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। “ଚିକିତ୍ସା ଅପେକ୍ଷା ନିଦାନ ଜରୁରି” ନୀତି ଆଧାରରେ ଉମିଦ ଯୋଜନାର ଶୁଭାରମ୍ଭ କରାଯାଇଛି। ଭାରତର ସହରାଂଚଳରେ ନବଜାତ ଶିଶୁଙ୍କ ମୃତ୍ୟୁର ତୃତୀୟ ସର୍ବବୃହତ କାରଣ ହେଉଛି ଜନ୍ମଜାତ ଏବଂ ଆନୁବଂଶିକ ରୋଗ। ବିଶାଳ ଜନସଂଖ୍ୟା ଏବଂ ଉଚ୍ଚ ଜନ୍ମହାର, ଅଧିକାଂଶ ସମୁଦାୟ ମଧ୍ୟରେ ସଗୋତ୍ର ତଥା ଜ୍ଞାତିକୁଟୁମ୍ବ ବିବାହର ପ୍ରଚଳନ ଯୋଗୁ ଭାରତରେ ଆନୁବଂଶିକ ରୋଗର ହାର ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଉମିଦ ଯୋଜନାରେ ନିଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସରକାରୀ ଡାକ୍ତରଖାନାରେ ଖୋଲିବାକୁ ଥିବା ଏହି କେନ୍ଦ୍ରରେ ପରାମର୍ଶ, ଗର୍ଭସ୍ଥ ଶିଶୁର ପରୀକ୍ଷଣ, ନିଦାନ ଏବଂ ବହୁମୁଖୀ ଯତ୍ନ ସେବା ଯୋଗାଇ ଦିଆଯିବ। ଏହାଛଡ଼ା ମାନବ ଆନୁବଂଶିକୀ ରୋଗ ଚିକିତ୍ସା କ୍ଷେତ୍ରରେ ଦକ୍ଷ ଚିକିତ୍ସକଙ୍କୁ ପ୍ରଶିକ୍ଷଣ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଆନୁବଂଶିକ ରୋଗ ଆଶଙ୍କା ଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯାଂଚ ସୁବିଧା ଏହି କେନ୍ଦ୍ରରେ ଯୋଗାଇ ଦିଆଯିବ।

ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୫ଟି ନିଦାନ କେନ୍ଦ୍ର ଖୋଲାଯାଇ ବିସ୍ତୃତ ନିଦାନ ଚିକିତ୍ସା ଯୋଗାଇ ଦିଆଯିବ।

ଏହି ଯୋଜନା ପାଇଁ ଚେନ୍ନାଇସ୍ଥିତ ମାଡ୍ରାସ ମେଡିକାଲ ମିଶନ, ଏସଜିପିଜିଆଇଏମଏସ-ଲକ୍ଷେ୍ନø, ସିଡିଏଫଡି-ହାଇଦ୍ରାବାଦ, ଏମ୍ସ-ନୂଆଦିଲ୍ଲୀ, ଏମଏଏମସି-ନୂଆଦିଲ୍ଲୀ, ଏନଆଇଆଇଏଚ-ମୁମ୍ବାଇ ଏବଂ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜରେ ବାୟୋ କେମିକାଲ ଜେନେଟିକ୍ସ, ସାଇଟୋ ଜେନେଟିକ୍ସ, ମଲିକ୍ୟୁଲାର ଜେନେଟିକ୍ସ, ଏବଂ କ୍ଲିନିକାଲ ଜେନେଟିକ୍ସ ଚିକିତ୍ସା କ୍ଷେତ୍ରରେ ସରକାରୀ ଡାକ୍ତରଖାନାର ଚିକିତ୍ସକମାନଙ୍କୁ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଆକାଂକ୍ଷୀ ଜିଲ୍ଲାରେ ଆନୁବଂଶିକ ରୋଗ ପାଇଁ ୧୦ହଜାର ଗର୍ଭବତୀ ମହିଳା ଏବଂ ୫ ହଜାର ନବଜାତ ଶିଶୁଙ୍କର ପରୀକ୍ଷା କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟ ପ୍ରାନ୍ତରେ ଏହି ଯୋଜନାକୁ ପ୍ରସାରିତ କରିବା ଏବଂ ଅଧିକ ନିଦାନ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏଥିପାଇଁ ଅଧିକ ସଂଖ୍ୟକ ଚିକିତ୍ସକଙ୍କୁ ମଧ୍ୟ ତାଲିମ ଦିଆଯିବ। ୨୦୧୭ରେ ସରକାର ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରଣୟନ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଅସୁସ୍ଥଙ୍କ ଚିକିତ୍ସା ଅପେକ୍ଷା ନିଦାନ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ଉମିଦ ଯୋଜନା ଏହି ପ୍ରୟାସ ଦିଗରେ ଆଉ ଏକ ପଦକ୍ଷେପ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.