Home ଜିଲ୍ଲା ପରିକ୍ରମା ନବଘନ ସାହୁ ଥିଲେ ଭଦ୍ରକ ମାଟିର ମହକ, ‘ସ୍ମୃତିରେ ନବଘନ’ ସ୍ମରଣିକା ଉନ୍ମୋଚିତ

ନବଘନ ସାହୁ ଥିଲେ ଭଦ୍ରକ ମାଟିର ମହକ, ‘ସ୍ମୃତିରେ ନବଘନ’ ସ୍ମରଣିକା ଉନ୍ମୋଚିତ

7

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତଃ ନବଘନ ସାହୁ କେବଳ ଜଣେ ସଫଳ ସୁନା ବ୍ୟବସାୟୀ ନଥିଲେ, ସେ ଥିଲେ ଭଦ୍ରକ ମାଟିର ମହକ । ଜଣେ ବିଶିଷ୍ଟ ସମାଜସେବୀ, ଶିକ୍ଷାନୁଷ୍ଠାନ ପ୍ରେମୀ ତଥା ଅମାୟିକ ବ୍ୟକ୍ତି ଭାବେ ନିଜ ଅଂଚଳରେ ପରିଚିତ ଥିଲେ । ଚାନ୍ଦବାଲି ବ୍ଲକ୍‌ର ଏକ ନିପଟ ମଫସଲ ପଞ୍ଚୁଟିକ୍ରୀ ଗାଁରେ ଜନ୍ମ ନେଇଥିବା ନବଘନ ନିଜର ବ୍ୟବସାୟ ଜୀବନ ଭିତରେ ବାନ୍ଧି ନହୋଇ ନିଜ ଅଂଚଳରେ ଶିକ୍ଷା ବିକାଶ ପାଇଁ କରଞ୍ଜଆଡିରେ ନିଜ ଉଦ୍ୟମରେ ନବଘନ ମହାବିଦ୍ୟାଳୟ ଓ ଘଣ୍ଟେଶ୍ୱର ଠାରେ ଘଣ୍ଟେଶ୍ୱର ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରେ ମୁଖ୍ୟ ସାରଥୀ ସାଜିଥିଲେ । ତାଙ୍କର ଏହି ଶିକ୍ଷାନୁଷ୍ଠାନ ଗଢିବାର ନିଶା ତାଙ୍କୁ ସମାଜରେ ଏକ ନିଆରା ବ୍ୟକ୍ତି ସତ୍ତାର ପରିଚୟ ଦେଇଥିଲା ବୋଲି ଆଜି ତାଙ୍କର ଏକାଦଶାହ ସ୍ମୃତିଚାରଣ ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ସ୍ମୃତିରେ ନବଘନ’ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

ସ୍ମରଣିକା ଉନ୍ମୋଚନ ଅବସରରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲେଇ, ଭଦ୍ରକ ଜିଲା ପରିଷଦର ପୂର୍ବତନ ସଭାପତି ତଥା ଜିଲା ବିଜେଡିର ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା, ଭଦ୍ରକ ବ୍ଲକ୍‌ର ଉପାଧ୍ୟକ୍ଷ ତଥା ଜିଲା ଯୁବ ବିଜେଡିର ସଭାପତି ମୁକୁନ୍ଦଦେବ ସାମଲ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଡ. ହରିହର ନାୟକ, ଭୈରବ ବାବା, ଉମେଶ ଚରଣ ନାୟକ, ପ୍ରାଧ୍ୟାପକ ଭାଗୀରଥି ପଲେଇ, ସାମ୍ବାଦିକ ସ୍ମୃତିରଂଜନ ସାହୁ, ଗୌରହରି ନାୟକ, ତପନ ସ୍ୱାଇଁ, ଅସିତ ଓଝା, ପ୍ରାଧ୍ୟାପକ ପୀତାମ୍ବର ତ୍ରିପାଠୀ, ବିଜେପି ନେତା ଅମ୍ବିକା ଦାସ, ପଣ୍ଡିତ ଘନଶ୍ୟାମ ଲେଙ୍କା, ସ୍ମରଣିକାର ସଂପାଦକ ନାତି କ୍ରିର୍ଷ୍ଣାକାନ୍ତ ସାହୁ, ସାନ ପୁଅ ମୁନା, ଜ୍ୟୋସ୍ନାରାଣୀ ସାହୁ, ଶ୍ରୀଧର ସାହୁ, ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, ଅଧିବକ୍ତା ବିଷ୍ଣୁମୋହନ ମହାପାତ୍ର, ବିଜେଡି ନେତା ଆଶିଷ ରାଉତ, ଅଧିବକ୍ତା ରାଧା ଦାସ, କଂଗ୍ରେସ ନେତା ଅମୀୟ ମହାପାତ୍ର, ଅଧିବକ୍ତା ସନ୍ତୋଷ ଦାସ, ବିଜେଡି ନେତା ପ୍ରଣୟ ଦାସ, ବିଜେପି ନେତା ଶରତ ପଢିହାରୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତଃ ନବଘନ ସାହୁଙ୍କର ସ୍ମୃତିଚାରଣ କରିଥିଲେ । ନବଘନ ବାବୁଙ୍କ ଭଳି ଜଣେ ଅମାୟିକ ଓ ଶାନ୍ତ ସରଳ ମଣିଷ ଆଜିର ଦିନରେ ମିଳିବା ବିରଳ । କଥା କମ୍ କାମ ବେଶିରେ ନବଘନ ବିଶ୍ୱାସ ରଖୁଥିଲେ । ସବୁବେଳେ ନୀରବ ରହି ସମାଜ ପାଇଁ କିଛି ସେବା କରିବାର ଲକ୍ଷ୍ୟ ରଖିଥିଲେ । ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିଲେ । ସବୁବେଳେ ହସ ହସ ମୁହଁ ଆଉ ପରକୁ ଆପଣାର କରିବାର ଯାଦୁ ତାଙ୍କ ଭିତରେ ଥିଲା । ସେହି ସରଳ ଓ ନିଷ୍କପଟ ମଣିଷ ଆଜି ଆମ ଗହଣରେ ନାହାଁନ୍ତି । ନବଘନ ଆରପାରିରେ ଥିଲେ ମଧ୍ୟ ତାଙ୍କର କୀର୍ତ୍ତି ସବୁଦିନେ ଲୋକଙ୍କ ଭିତରେ ଛପା ହୋଇ ରହିଥିବ ବୋଲି ଆଜିର ସ୍ମୃତି ସଭାରେ ତାଙ୍କର ଶୁଭେଚ୍ଛୁମାନେ ମତବ୍ୟକ୍ତ କରିଥିଲେ । ଘଣ୍ଟେଶ୍ୱର ମହାବିଦ୍ୟାଳୟର ସଭାପତି ସାହିତ୍ୟିକ ଇଂ ଅଭୟ ସୂତାରଙ୍କ ସଂଯୋଜନାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ନବରତ୍ନ ଜୁଏଲର୍ସ ପରିବାର ଓ ପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁ (ବାଦଲ) ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.