Home ଜିଲ୍ଲା ପରିକ୍ରମା ନବକୃଷ୍ଣ ଚୌଧୁରୀ ଥିଲେ ମୂଲ୍ୟବୋଧ-ରାଜନୀତିର ଅନନ୍ୟ ସନ୍ତକ

ନବକୃଷ୍ଣ ଚୌଧୁରୀ ଥିଲେ ମୂଲ୍ୟବୋଧ-ରାଜନୀତିର ଅନନ୍ୟ ସନ୍ତକ

38

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବକୃଷ୍ଣ ଚୌଧୁରୀ ସରଳ ଜୀବନଚର୍ଯ୍ୟା ଓ ସ୍ୱଚ୍ଛ ଶାସନବ୍ୟବସ୍ଥା ଓଡିଶା ରାଜନୈତିକ ଇତିହାସର ସୁବର୍ଣ୍ଣଯୁଗ ଭାବେ ଅଭିହିତ । ୧୯୪୬ରୁ ୧୯୪୮ ମସିହା ପର୍ଯ୍ୟନ୍ତ ରାଜସ୍ୱ ମନ୍ତ୍ରୀ ଏବଂ ୧୨ ମଇ ୧୯୫୦ ମସିହାରୁ ୧୯ ଅକ୍ଟୋବର ୧୯୫୬ ମସିହା ପର୍ଯ୍ୟନ୍ତ ୬ ବର୍ଷ ୬ ମାସର ମୁଖ୍ୟମନ୍ତ୍ରୀ ଭାବେ , ନବକୃଷ୍ଣ ଚୌଧୁରୀ ଏପରି କିଛି ଆଇନ ପ୍ରଣୟନ କରିଥିଲେ ଏବଂ ଏପରି କିଛି ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ସେହି ସମୟରେ ସମଗ୍ର ଭାରତ ବର୍ଷରେ ଯୁଗାନ୍ତକାରୀ ଭାବେ ଗ୍ରହଣ କରାଯାଇଥିଲା । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ବିଧାନସଭାରେ ଓଡିଆ ଭାଷାରେ ବଜେଟ ଭାଷଣ ପ୍ରଦାନ କରିଥିଲେ । ୧୯୫୨ ମସିହାରେ ଓଡିଆ ଭାଷା ଆଇନ ପ୍ରଣୟନ କରି ସମସ୍ତ ସରକାରୀ ଦପ୍ତରରେ ଓଡିଆ ଭାଷା ପ୍ରଚଳିତ ହେବ ବୋଲି ଘୋଷଣା କରିଥିଲେ । ଗ୍ରାମ ପଞ୍ଚାୟତ ଆଇନ ପ୍ରଣୟନ କରିବା ଫଳରେ ରାଜ୍ୟରେ ୧୯୫୦-୫୧ ମସିହାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୫୫ ମସିହାରେ ‘ଅଞ୍ଚଳ ଶାସନ ଆଇନ ପ୍ରଣୟନ ହେବା ଫଳରେ ବାସ୍ତବ କ୍ଷେତ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ଆରମ୍ଭ ହୋଇଥିଲା । ତାଙ୍କରି ଶାସନକାଳରେ ଜମିଦାରୀ ଉଚ୍ଛେଦ ଆଇନ ପ୍ରଣୟନ ହେବା ପରେ ଜମିଦାରୀ ବ୍ୟବସ୍ଥାର ଲୋପ ଘଟିଲା ଏବଂ ଭୂସଂସ୍କାର ଆଇନ ବଳରେ ଭାଗଚାଷୀ ଦୁଇ ତୃତୀୟାଂଶ ଫସଲ ପାଇ ପାରିବେ ବୋଲି ଆଇନରେ ଉଲ୍ଲେଖ ରହିଲା ।

ତାଙ୍କରି ଶାସନକାଳରେ ନିଶା ନିବାରଣ ପ୍ରଣୟନ ହୋଇଥିଲା, ଯାହା ଆଜି ମଧ୍ୟ କେବଳ ନଥିରେ ସୀମିତ ରହିଛି । ଭଦ୍ରକର ‘ଭଦ୍ରାଣୀ’ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ‘ନବକୃଷ୍ଣ ଚୌଧୁରୀଙ୍କ ପୁଣ୍ୟତିଥି ଅବସରରେ ଆୟୋଜିତ ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖ୍ୟାତନାମା ପ୍ରଫେସର ବ୍ରଜମୋହନ ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପକ କୀର୍ତ୍ତନ ଦାସ ଯୋଗ ଦେଇ ଏହି ମତ ରଖିଛନ୍ତି । ଏହି ଆଲେଚନାଚକ୍ରରେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ଶ୍ରୀମତୀ ଝରଣା ପଟ୍ଟନାୟକ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିଗତ ଜୀବନର ଅନେକ ଦୃଷ୍ଟାନ୍ତ ଅବତାରଣା ଦେଇଥିଲେ । ନବକୃଷ୍ଣ ଚୌଧୁରୀ ରେଭେନ୍ସା କଲେଜରୁ ଶିକ୍ଷା ପରିତ୍ୟାଗ କରି ୧୯୨୨ ମସିହାରେ ୨୧ ବର୍ଷର ଯୁବକ ନବକୃଷ୍ଣ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ଉପଯୁକ୍ତ ତାଲିମ ନିମନ୍ତେ ମହାତ୍ମା ଗାନ୍ଧିଙ୍କ ସାବରମତୀ ଆଶ୍ରମ ଆସିଗଲେ । ତିନି ବର୍ଷର ସାଧନା-ତାଲିମ ପରେ ଗାନ୍ଧିଜୀଙ୍କ ପ୍ରେରଣାରେ ଉଚ୍ଚତର ଅଧ୍ୟୟନ ନିମନ୍ତେ ଶାନ୍ତିନିକେତନ ଆସିଲେ ଏବଂ ସେହିଠାରେ ମାଳତୀ ଦେବୀଙ୍କ ସହ ପରିଚୟ ପରେ ୧୯୨୭ ମସିହାରେ ବିବାହ ସଂପନ୍ନ ହେଲା । ଏହାପରେ ଦୁଇ ଜଣ ନିପଟ ମଫସଲ ତରିକୁନ୍ଦରେ ଗୋଟିଏ ଛାଟି ମାଟିର ଘର ତିଆରି କରି ଚାଷକାମ ଆରମ୍ଭ କଲେ ଏବଂ ଗାନ୍ଧିଜୀଙ୍କ ସ୍ୱାଧୀନତା ଓ ରଚନାତ୍ମକ କାର୍ଯ୍ୟର ବାର୍ତ୍ତା ପ୍ରସାର କଲେ । ନବକୃଷ୍ଣ ଥିଲେ ଜମିଦାରର ପୁଅ, ମାଳତୀ ଥିଲେ ବାରିଷ୍ଟରର ଝିଅ । ଗାଁ ଲୋକ କୁହାକୁହି ହେଉଥିଲେ – ଦେଖ, ବାରିଷ୍ଟରର ଝିଅ ଓ ଜମିଦାରର ପୁଅ କେମିତି ବିଲରେ ହଳ କରୁଛନ୍ତି, ଫସଲ କରୁଛନ୍ତି ଇତ୍ୟାଦି । ଏ ଥିଲା ତାଙ୍କ ଜୀବନର ଆଦ୍ୟ ସୋପାନ । ତରିକୁନ୍ଦ ଫାର୍ମରେ ଜୀବନଶୈଳୀ ଯାହା ଥିଲା, ମୁଖ୍ୟମନ୍ତ୍ରୀ ଆସନରେ ବସିଥିବାବେଳେ ମଧ୍ୟ ସେଥିରେ ସାମାନ୍ୟତମ ପରିବର୍ତ୍ତନ ଆସି ନଥିଲା । ତାହା ହିଁ ହେଉଛି ନବକୃଷ୍ଣ ଚୌଧୁରୀଙ୍କ ବିଶେଷତ୍ୱ । ଏହି ସମାରୋହରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବାବେଳେ ସାମାଜିକ କର୍ମୀ ବସନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ପରିଚାଳନା କରିଥିଲେ ଇଂ ଅଭୟ କୁମାର ପଣ୍ଡା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.