Home ଜିଲ୍ଲା ପରିକ୍ରମା ନକଲି ପୁଲିସ୍‌କୁ ବାନ୍ଧିଲା ଅସଲି ପୁଲିସ୍

ନକଲି ପୁଲିସ୍‌କୁ ବାନ୍ଧିଲା ଅସଲି ପୁଲିସ୍

18

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେଉଁଠି ପୁଲିସ୍ ଏଏସ୍‌ପି, କେଉଁଠି ଆର୍ମି ଅଫିସର ଏବଂ କେଉଁଠି ରେଲ୍‌ୱେର ଆରପିଏଫ୍ ଅଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ରାଜ୍ୟରେ ଠକେଇ କରୁଥିବା ଏକ ନକଲି ପୁଲିସ୍‌କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ଥାନାର ଅସଲି ପୁଲିସ୍‌। ଏ ସଂପର୍କରେ ଆଜି ଭଦ୍ରକର ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ଅଂଚଳର ରାହୁଲ ସିଂ ରାଣାବତ ନାମକ ଯୁବକ ଦୀର୍ଘ ଏକ ବର୍ଷ ହେବ ନିଜ ଅଂଚଳ ସମେତ ପଶ୍ଚିମବଙ୍ଗ, ଆସାମ, ଓଡିଶାରେ ରେଲ୍‌ୱେ ଆରପିଏଫ, ଆର୍ମି ଓ ସାଧାରଣ ପୁଲିସ୍ ବିଭାଗର ଡିଏସ୍‌ପି ବୋଲି ପରିଚୟ ଦେଇ ଏସବୁ ରାଜ୍ୟରେ ଠକେଇ କରିଆସୁଥିଲା। ଏପରିକି ସେ କାର୍‌ରେ ପୁଲିସ୍‌ର ସାଇରନ୍ ଲୋଗୋ ଓ ଲାଇଟ୍ ଲଗାଇବା ସହ ରାହୁଲ ଏସ ରାଣାବତ ନାମର ନେମପ୍ଲେଟ୍ ବ୍ୟବହାର କରିଆସୁଥିଲା। ଏଭଳି ନକଲି ପରିଚୟରେ ସେ ବିଭିନ୍ନ ରାଜ୍ୟମାନଙ୍କରେ ଯାତାୟତ କରିଆସୁଥିବାବେଳେ ଗତକାଲି ରାତିରେ ଗ୍ରାମଂଚଳ ଥାନାଧିକାରୀ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ନଳାଙ୍ଗ ଛକ ନିକଟରେ ଥିବା ହାର୍ଦ୍ଦିକ ନାମକ ହୋଟେଲ ଉପରେ ଚଢାଉ କରିଥିଲା। ଚେକିଂ ସମୟରେ ରାଣାବତ ନିକଟରୁ ନକଲି ବନ୍ଧକୁ, ବିଭିନ୍ନ ରାଜ୍ୟ ପୁଲିସ୍‌, ରେଲ୍‌ୱେ ପୁଲିସ୍ ଓ ଆର୍ମିର ଡ୍ରେସ୍ ସହ ପୋଲିସ୍ ଲୋଗୋ ଥିବା ବାଡି, ହୁଇସିଲ୍‌, ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍‌, ଏଟିଏମ୍ ଭଳି ୩୮ ଟି ସାମଗ୍ରୀ ସହ ସେ ବ୍ୟବହାର କରୁଥିବା ଜେଏଚ-୧୦ଏଏସ-୪୯୫୬ ନମ୍ବର ହୋଣ୍ଡାଇ କାର୍ ଓ ସେଥିରେ ପୁଲିସ୍‌ର ସାଇରନ୍ ଲାଇଟ୍‌କୁ ଜବତ କରିଛି ଗ୍ରାମାଂଚଳ ଥାନା ପୁଲିସ୍‌। ଉକ୍ତ ହୋଟେଲ ନିକଟରେ ଝାଡଖଣ୍ଡ ରେଜିଷ୍ଟ୍ରେସନ ଥିବା ଏହି କାର୍‌ଟି ଦୀର୍ଘଦିନ ହେବ ରହୁଥିଲା। ପୁଲିସ୍‌ର ସନ୍ଦେହ ହେବାରୁ ସେ ହୋଟେଲରେ ତନଖି କରି ରାଣାବତ୍‌କୁ ଗିରଫ କରିଛି। ତେବେ ଏଭଳି ଜଣେ ଠକ ସଂପର୍କରେ ପ୍ରାଥମିକ ତଦନ୍ତରୁ ସେ ବିଭିନ୍ନ ରାଜ୍ୟରେ ବିଭିନ୍ନ ପରିଚୟ ଦେଇ ନକଲି ଅଧିକାରୀ ଭାବେ ଠକିଆସୁଥିବାର ଜଣାପଡିଛି। ଏ ସଂପର୍କରେ ଅଧିକ ତଦନ୍ତ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.