Home ଜିଲ୍ଲା ପରିକ୍ରମା ନକଲି ଜର୍ଦ୍ଦା ସହ ଅଟୋ, କାର ଜବତ, ୨ ଗିରଫ

ନକଲି ଜର୍ଦ୍ଦା ସହ ଅଟୋ, କାର ଜବତ, ୨ ଗିରଫ

17

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ପୁରୁଣାବଜାର ଥାନା ଅଧୀନସ୍ଥ କେତେକ ଅଂଚଳ ନକଲି ଜର୍ଦ୍ଦା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଚଳିତବର୍ଷ ପୁରୁଣାବଜାର ଓ ସହରାଞ୍ଚଳ ପୁଲିସ୍ ପକ୍ଷରୁ ପ୍ରାୟ ୧୦ ଥର ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା ଜବତ କରାଯାଇଥିଲା । କିନ୍ତୁ ଏହା ସତ୍ୱେ ନକଲି ଜର୍ଦ୍ଦା କାରବାର ଥମିବାର ନା ଧରୁନାହିଁ । କାରଣ ପୁଲିସ୍ ଚଢଉ ବେଳେ ସଂପୃକ୍ତ ନକଲି କାରଖାନାରେ କାର୍ଯ୍ୟରତ କେତେକ ଦିନ ମଜୁରିଆଙ୍କୁ ଗିରଫ କରୁଥିବାବେଳେ ନକଲି ଜର୍ଦ୍ଦା କାରବାରର ମାଷ୍ଟରମାଇଣ୍ଡ ସଂପର୍କରେ ଆଦୌ ତଦନ୍ତ କରୁନାହିଁ । ଏ ସମସ୍ତ ଜର୍ଦ୍ଦା ମାଫିଆଙ୍କ ସହିତ ପୁଲିସ୍ ବିଭାଗର କେତେକ କର୍ମଚାରୀଙ୍କ ମଧୁର ସଂପର୍କ ରହିଛି ବୋଲି ଅଭିଯୋଗ ହୋଇଆସୁଛି । ଆଜି ନୂତନ ଏସ୍‌ପି ଭାବେ ଚରଣ ସିଂ ମିନା ଯୋଗଦେବା ସମୟରେ ସହରାଞ୍ଚଳ ପୁଲିସ୍ ବାହାର ଜିଲାକୁ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଚଢଉ କରି ଜବତ କରିଛି ବୋଲି ସୂଚନା ମିଳିଛି । ପୁଲିସ୍ ତଥ୍ୟ ଅନୁଯାୟୀ, ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ସହ ପୁଲିସ୍ ଏକ ଅଟୋ ଓ କାର୍‌କୁ ଜବତ କରିଛି । ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଭଦ୍ରକ ପୌରାଞ୍ଚଳର ସେକ୍ ଅଲ୍ଲୀ ଖାନ୍ ଓ ସେକ୍ ଗୋରା । ଏମାନଙ୍କ ନାମରେ ପୂର୍ବରୁ ଭଦ୍ରକ ଓ ବନ୍ତ ଥାନାରେ ବେଆଇନ୍ କାରବାରର ମାମଲା ରହିଛି ବୋଲି ପୁଲିସ୍ ସୂଚନା ଦେଇଛି । ପୁଲିସ୍ ସୂଚନା ଅନୁଯାୟୀ ୧୬ ନଂ ଜାତୀୟ ରାଜପଥରେ ଏକ ଅଟୋ ଯୋଗେ ପୁରୁଣା ବଜାର ପାଟନାସାହିରୁ ନକଲି ଜର୍ଦ୍ଦା ଅନ୍ୟ ଜିଲାକୁ ଚାଲାଣ ହେଉଥିବା ସୂଚନା ପୁଲିସ୍ ନିକଟରେ ପହଞ୍ôଚଥିଲା । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସହରାଞ୍ଚଳ ପୁଲିସ୍‌ର ଏକ ଟିମ୍ ସହର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଉକ୍ତ ଅଟୋକୁ ଅଟକାଇଥିଲେ । ନକଲି ଜର୍ଦ୍ଦା ଭର୍ତ୍ତି ଉକ୍ତ ଅଟୋକୁ ଏସକର୍ଟ ଦେଉଥିବା ଏକ କାର୍‌କୁ ମଧ୍ୟ ପୁଲିସ୍ ଅଟକାଇଥିଲା । ପୁଲିସ୍ ଉଭୟ ଅଟୋ (ଓଡ଼ି୨୨ଡି-୦୫୪୪) ଓ କାର୍ (ଓଡି-୦୧ଏଚ-୫୦୨୯) କୁ ଜବତ କରି ଥାନାକୁ ଆଣିଥିଲେ । ଯାଞ୍ଚ ପରେ ଉକ୍ତ ଅଟୋରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଥିବା ଜଣାପଡିଥିଲା । ଏହି ଘଟଣାରେ ଉପରୋକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ବାହାର ଜିଲାକୁ ଚାଲାଣ ହେଉଥିବାବେଳେ ସୂଚନା ଥାଇ ମଧ୍ୟ ପୁଲିସ୍ ନୀରବ ରହି ଆସିଥିବାବେଳେ, ନୂତନ ଏସ୍‌ପିଙ୍କ ଯୋଗଦାନ ବେଳେ ହଠାତ୍ ପୁଲିସ୍‌ର ଏହି ତତ୍ପରତା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.