Home ଜିଲ୍ଲା ପରିକ୍ରମା ଧୁଷୁରୀ: ଆନନ୍ଦ ଉଲ୍ଲାସରେ ସରିଲା ବାହୁଡା଼ ଯାତ୍ରା, ଚତୁର୍ଦ୍ଧାମୂର୍ତି ବିରାଜିଲେ ନିଜ ରତ୍ନବେଦୀରେ

ଧୁଷୁରୀ: ଆନନ୍ଦ ଉଲ୍ଲାସରେ ସରିଲା ବାହୁଡା଼ ଯାତ୍ରା, ଚତୁର୍ଦ୍ଧାମୂର୍ତି ବିରାଜିଲେ ନିଜ ରତ୍ନବେଦୀରେ

6

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହାର ଠିକ୍ ନଅ ଦିନ ପରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ ।ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।ପୁରୀ ବ୍ୟତୀତ ବାହୁଡା଼ ଯାତ୍ରା ପ୍ରାୟ ଗାଁ ବଜାର ରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସ୍ଥାନ ରେ ମହା ଆଡମ୍ବର ଅନୁଷ୍ଠିତ ହୋଇ ଥିଲା।ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ମହା ଆଡମ୍ବର ସହିତବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ରାଜା ଭାବେ ଗ୍ରାମ ର ବରିଷ୍ଠ ନାଗରିକ ଫକୀର ମୋହନ ଜେନା ଛେରା ପହଁରା କରି ମାଉସୀ ମା ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତିଙ୍କୁ ରଥ ଉପରକୁ ଅଣାଯାଇଥିଲା। ପୁଷ୍ପ ସୁସଜ୍ଜିତ ରଥରେ ପ୍ରଭୁ ବିରାଜମାନ ହୋଇ ଥିଲେ ପରେ ହରିବୋଲ ହୁଳହୁଳି ରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଶହ ଶହ ଶ୍ରଦ୍ଧାଳୁ ଗଣ ରଥ କୁ ଟାଣି ଜଗନ୍ନାଥ ଙ୍କ ରତ୍ନ ବେଦୀ କୁ ନେଇ ଥିଲେ। ସମନୁରୂପ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୋରୁଆ ଗ୍ରାମ ରେ ଭକ୍ତ ସିଦ୍ଧାର୍ଥ ଶେଖର ନାଥ ଙ୍କ ଦ୍ୱାରା ବିଗତ ୧୨ ବର୍ଷ ଧରି ଚତୁର୍ଦ୍ଧାମୂର୍ତି ଙ୍କ ପୂଜା ସମ୍ପାଦିତ ହୋଇ ଆସୁଅଛି। ବାହୁଡ଼ାଯାତ୍ରା ପରିପ୍ରେକ୍ଷୀରେ ପ୍ରଭୁ ଙ୍କ ସ୍ୱତନ୍ତ୍ର ରୀତିନୀତି ସମ୍ପାଦିତ କରାଯାଇ ମାଉସୀ ମା ବାଡ଼ି ରୁ ବାହାରି ରତ୍ନ ବେଦୀ କୁ ଫେରିଥିଲେ। ପିତା ଶ୍ରୀଧର ନାଥ, ମାତା ସନ୍ଧ୍ୟାରାଣି ନାଥ, ଭଉଣୀ ଡ଼କ୍ଟର ସୌର କାନ୍ତି ନାଥ, ଶୁଭ ଶ୍ର୍‌ତୃତି ନାଥ ଓ ଜ୍ୱାଇଁ ସମୀର ବେହେରା ଉପସ୍ଥିତ ଥିଲେ। ଭକ୍ତ ସିଦ୍ଧାର୍ଥ ଙ୍କ ମତ ଅନୁଯାୟୀ ୧୨ ବର୍ଷ ଧରି ଶ୍ରୀ ଜଗନ୍ନାଥ ଙ୍କ ସମସ୍ତ ଦ୍ୱାଦଶ ଯାତ୍ରା ରୀତିନୀତି ଅନୁଯାୟୀ ସମ୍ପାଦନା ହୋଇଥାଏ।ସେହିପରି ଅସୁରାଳି, କୋଠାର, ଝାରଡିଆ, ଭଟପୁର, କୋରୁଆ ଆଦି ବିଭିନ୍ନ ସ୍ଥାନ ରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ସେହିପରି ନରସିଂହପୁର ଧୂଷୁରୀ, ବେତାଳିଗାଁ, ନଦିଗାଁ, ରଇପୁର, ସାହୁସାହି, ନୁଆସାହି, ଅନଳ ଡିହ ଆଦି ଗ୍ରାମରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବାହୁଡା଼ ଯାତ୍ରା।ଏହି ଯାତ୍ରାରେ ଭକ୍ତମାନେ ଜଗନ୍ନାଥ ପ୍ରେମରେ ପାଗଳ ହୋଇ ଆଧ୍ୟାତ୍ମିକତାରେ ନିଜକୁ ହଜେଇ ଦିଅନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ବାହୁଡା଼ ଯାତ୍ରା ରେ ସୁସଜ୍ଜିତ ରଥକୁ ହଜାର ହଜାର ଶ୍ରଦ୍ଧାଳୁ ଟାଣି ଟାଣି ଆଣିଥିଲେ ମାଉସୀ ଘରକୁ । ଆଉ ରଥ ଅଟକିଥିଲା ଜଗନ୍ନାଥ ଙ୍କ ରତ୍ନ ବେଦୀ ମନ୍ଦିରରେ। ବାହୁଡା଼ ଯାତ୍ରା ଅବସରରେ ଗାଁ ହୋଇଥିଲା ଶ୍ରୀକ୍ଷେତ୍ର। ଆଉ ଗାଁ ଦାଣ୍ଡ ପାଲଟିଥିଲା ବଡ଼ ଦାଣ୍ଡ। ପିଲାଠାରୁ ବୃଦ୍ଧାବୃଦ୍ଧ ସମସ୍ତେ ଜଗନ୍ନାଥ ଚେତନାରେ ନିଜକୁ ସାମିଲ କରିଥିଲେ। ଗାଁରେ ବସବାସ କରୁଥିବା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ସମସ୍ତେ ଏକାକାର ହୋଇଥିଲେ ଏହି ଯାତ୍ରାରେ। ସକାଳ ଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଖପାଖ ଅଂଚଳ ରୁ ହଜାର ହଜାର ଭକ୍ତ ଏଠାକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥ ଟାଣିଥିଲେ । ରହିପୁର ଠାରେ ରାଜା ଭାବେ ହେମନ୍ତ କୁମାର ମିଶ୍ର, ରାଣୀ ମିନୋରା ତ୍ରିପାଠୀ ଛେରା ପହଁରା କରି ଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ତଥା ପଣ୍ଡିତ ପଂଚାନନ ମିଶ୍ର, ପୂର୍ବତନ ସରପଂଚ ସୁଶାନ୍ତ ନାୟକ, କଂଗ୍ରେସ ନେତା ରମେଶ ବେହେରା, ତ୍ରିଲୋଚନ ଦାସ ଓ ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ବର୍ଷ ଧରି ନରସିଂହପୁର (ଧୂଷୁରୀ), ନଦିଗାଁ ଆଦି ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଆସୁଛି ଏହି ବାହୁଡା଼ ଯାତ୍ରା । ଧୂଷୁରୀ ସ୍ଥିତ ବାହୁଡା଼ ଯାତ୍ରାରେ ନରସିଂହପୁର (ଧୂଷୁରୀ) ଜଗନ୍ନାଥ ମନ୍ଦିରର ସଭାପତି ନିଶିକାନ୍ତ ସ୍ୱାଇଁ, ସମ୍ପାଦକ ନିରୋଦ କୁମାର ବେହେରା ଏବଂ ଶ୍ରୀ ଜଗନ୍ନାଥ କମିଟି ସଦସ୍ୟ ମାନଙ୍କ ଦ୍ୱାରା ଧୂଷୁରୀ ବାହୁଡା଼ ଯାତ୍ରା ମହୋତ୍ସବ ପରିଚାଳନା କରାଯାଇଥିଲା। ଆୟୋଜିତ ବାହୁଡା଼ ଯାତ୍ରାରେ ପ୍ରଶାସନ ଦ୍ୱାରା ପୂର୍ଣ୍ଣ ସହଯୋଗ କରାଯାଇଥିଲା। ପ୍ରଶାସନ ଦ୍ୱାରା ଟ୍ରାଫିକ ବ୍ୟବସ୍ଥା ଏବଂ ପରିମଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.