Home ଜିଲ୍ଲା ପରିକ୍ରମା ଧାମରା ବାସୁଦେବପୁର ଅଞ୍ଚଳରୁ ଦୂରହେଲା ଲୋଭୋଲ୍‌ଟେଜ୍ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ୍ ସବ୍‌ଷ୍ଟେସନର ଲୋକାର୍ପଣ

ଧାମରା ବାସୁଦେବପୁର ଅଞ୍ଚଳରୁ ଦୂରହେଲା ଲୋଭୋଲ୍‌ଟେଜ୍ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ୍ ସବ୍‌ଷ୍ଟେସନର ଲୋକାର୍ପଣ

27

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ ଲିଃ ଦ୍ୱାରା ନିର୍ମିତ ୨୨୦/୧୩୨/୩୩ କେଭି ବାଲିମୁଣ୍ଡା ଗ୍ରୀଡ୍ ସବ୍‌ଷ୍ଟେସନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଏଥିପାଇଁ ବାଲିମୁଣ୍ଡା ଗ୍ରୀଡ୍ ନିକଟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଯୋଜନାବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଓ.ପି.ଟି.ସି.ଏଲ୍ ର ନିର୍ଦ୍ଦେଶକ ଜୟରାମ ସାହୁ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଗ୍ରୀଡ୍ ସ୍ଥାପନ ପାଇଁ ସ୍ୱର୍ଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅବଦାନକୁ ସ୍ମରଣ କରିବା ସହିତ ସ୍ଥାନୀୟ ଲୋକଙ୍କର ବହୁଦିନର ଦାବୀକୁ ମୁଖ୍ୟମନ୍ତ୍ରୀ ପୂରଣ କରିଥିବା ଅତିଥିମାନେ ପ୍ରକାଶ କରିଥିଲେ । ନିକଟରେ ଧାମରା ବନ୍ଦର, ନିର୍ମାଣ ହେବାକୁ ଯାଉଥିବା ଏୟାର ଷ୍ଟ୍ରିପ୍‌, ଜାତୀୟ ରାଜପଥ ସହିତ ଉତ୍ତମ ସଡ଼କ ପଥର ଯୋଗାଯୋଗ ଏବଂ ଆଜି ଲୋକାର୍ପଣ ହୋଇଥିôବା ଏହି ଗ୍ରୀଡ଼୍ ଏ ଅଞ୍ଚଳର ବିକାଶ ପାଇଁ ପ୍ରମୁଖ ଭୂମିକା ନେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ଓପିଟିସିଏଲ୍ ଜି.ଏମ୍ ସୁବ୍ରତ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ସେ ଭଣ୍ଡାରିପୋଖରୀରେ ଏକ ନୂତନ ଗ୍ରୀଡ଼୍ ତିଆରି ହେବା ନେଇ ସୂଚନା ଦେଇଥିଲେ । ସୂଚନାଯୋଗ୍ୟକି ବାଲିମୁଣ୍ଡା, ଧାମରା ଠାରେ ୨୨୦/୧୩୨/୩୩ କେଭି ଗ୍ରୀଡ଼୍ ସବଷ୍ଟ୍ରେସନ ଓ ତତ୍ ସଂଲଗ୍ନ ଅତ୍ୟୁଚ୍ଚ ବିଦ୍ୟୁତ ସମ୍ପନ୍ନ ୩୫ କି.ମି. ୨୨୦ କେଭି ଲାଇନ୍ ନିର୍ମାଣ କାର୍ଯ୍ୟ ୩୦.୦୬.୨୦୧୮ ରୁ ଆରମ୍ଭ ହୋଇ ୧୩.୦୪.୨୦୨୩ ରେ ୨୨୦ କେ.ଭି. ଲାଇନ୍ ଚାର୍ଜ ହୋଇଥିଲା । ୨୪.୦୪.୨୦୨୩ ରେ ଗ୍ରାଡ଼୍ ସବ୍‌ଷ୍ଟେସନ ଚାର୍ଜ ହେଲା ଏବଂ ୧୬.୦୬.୨୦୨୩ ରେ ୨ ଗୋଟି ୩୩ କେ.ଭି. ଫିଡ଼ର ଚାର୍ଜ କରାଯାଇ ଟିପିଏନ୍‌ଓଡ଼ିଏ କୁ ୧୨ ମେଗାୱାଟ୍ ପାୱାର ଯୋଗାଇ ଦିଆଯାଇଅଛି । ବର୍ତ୍ତମାନ ବିଦେଇପୁର ଓ ଧାମରା ଅଞ୍ଚଳକୁ ଏହି ଗ୍ରିଡ଼୍‌ରୁ ଶକ୍ତି ଯୋଗାଇ ଦିଆଯାଉଅଛି । ଏହି ପ୍ରୋଜେକ୍ଟର ବ୍ୟୟ ଅଟକଳ ୮୯.୫୮ କୋଟି । ବାସୁଦେବପୁର, ଧାମରା ତଥା ଏହାର ଆଖ ପାଖ ଅଞ୍ଚଳରେ ଲୋ ଭୋଲଟେଜ୍ ଜନିତ ସମସ୍ୟାର ନିରାକରଣ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ସହିତ ୧୩୨/୩୩ କେ.ଭି. ଚାନ୍ଦବାଲି ଗ୍ରିଡ଼୍‌କୁ ଧାମରା ଗ୍ରୀଡ଼୍ ସହ ସଂଯୋଗୀକରଣ ଏବଂ ଧାମରା ଅଞ୍ଚଳରେ ଶିଳ୍ପାୟନ ତଥା ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଶକ୍ତି ଯୋଗାଣ ଲକ୍ଷ୍ୟ ରିହଛି । ଏହି ଗ୍ରୀଡ଼୍‌ର କ୍ଷମତା ସମ୍ବନ୍ଧରେ ପ୍ରାପ୍ତ ସୂଚନା ଅନୁଯାୟୀ ଏଥିରେ ଅଟୋ ଟ୍ରାନ୍ସଫରମର ୩୨୦ ଏମ୍‌.ଭି.ଲ, ପାୱାର ଟ୍ରାନ୍ସଫରମର ୮୦ ଏମ୍‌.ଭି.ଏ ୨୨୦ କେ.ଭି. ଫିଡ଼ର ୫ଟି, ୧୩୨ କେ.ଭି. ଫିଡ଼ର ୭ଟି, ୩୩ କେ.ଭି. ଫିଡ଼ର ୮ଟି ଅଛି । ଟିଫିଏମ୍‌ଓଡ଼ିଏଲ୍ ପକ୍ଷରୁ ୩୩ କେ.ଭି. ଲାଇନ୍‌ର ନିର୍ମାଣ କାର୍ଯ୍ୟ ସରିଲେ ବାକି ୩ଟି ଫିଡ଼ରରୁ ଦରକାର ଲୋଡ଼୍ ଯୋଗାଇ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଛି । ଅନ୍ୟତମ ଜି.ଏମ୍‌. ଶଶାଙ୍କକୁମାର ବେହେରା, ଡ଼ି.ଜି.ଏମ୍‌. ପ୍ରଶାନ୍ତ କୁମାର ସ୍ୱାଇଁ, ଏସ୍‌.ଡି.ଓ. ସୁବ୍ରତ କୁମାର ମହାନ୍ତି ଏବଂ ଟିପିଏନ୍‌ଓଡ଼ିଏଲ୍ ର ଏସ୍‌.ସି. ଶ୍ରୀକାନ୍ତ କୁମାର ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.