Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ପରିବହନ କ୍ଷେତ୍ରରେ ଅସମତା ପ୍ରସଙ୍ଗ, ଭଦ୍ରକ ଜିଲା ଟିପର(ଡମ୍ପର) ମାଲିକ ସଂଘ ପକ୍ଷରୁ...

ଧାମରା ବନ୍ଦରରେ ପରିବହନ କ୍ଷେତ୍ରରେ ଅସମତା ପ୍ରସଙ୍ଗ, ଭଦ୍ରକ ଜିଲା ଟିପର(ଡମ୍ପର) ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

15

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କଂପାନୀ ଲିମିଟେଡ୍ ଭଳି ଏକ ବିଶାଳ କଂପାନୀ ପ୍ରକଳ୍ପ ପରିବହନ କ୍ଷେତ୍ରରେ ସ୍ଥାୟୀତ୍ୱର ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛି। ଫଳରେ ଧାମରା ବନ୍ଦରରେ ପରିବହନ ଜନିତ କର୍ମଯୋଗାଣ କ୍ଷେତ୍ରରେ ବିପର୍ଯ୍ୟସ୍ତ ଦେଖାଦେଇଛି ବୋଲି ଭଦ୍ରକ ଜିଲା ଟିପର /ଡମ୍ପର ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଛି। ବିଶେଷକରି ପରିବହନ ସାମଗ୍ରୀର ତୁରନ୍ତ ପୁନଃ ବଂଟନ ପାଇଁ ନିର୍ଦ୍ଦେଶ ଦେବାକୁ ଆଜି ଭଦ୍ରକ ଟିପର( ଡମ୍ପର) ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧାମରା ବନ୍ଦରର ଏଭଳି ନୀତି ଯୋଗୁଁ ଭଦ୍ରକର ଅଧିକାଂଶ ଟିପର ମାଲିକମାନେ ସମ୍ମୁଖୀନ ହେଉଥିବା ଗୁରୁତର ଆର୍ଥିକ ସଂକଟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯାହା ଜଣାଯାଏ ଧାମରା ବନ୍ଦର ନିର୍ମାଣ କ୍ଷେତ୍ରରେ ବନ୍ଦରର ପ୍ରତିଷ୍ଠା ସହିତ ମୁଖ୍ୟତଃ ପରିବହନକୁ ବୃଦ୍ଧି କରିବା ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରି ବେକାରୀ ସମସ୍ୟା ଦୂରୀକରଣ ପାଇଁ ଆଶା ପୋଷଣ କରାଯାଇଥିଲା। କିନ୍ତୁ ତାହା ଏବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଜିଲାପାଳଙ୍କ ନିକଟରେ କରାଯାଇଥିବା ଅଭିଯୋଗ ମୂଳେ ୨୦୧୦ ରେ ଧାମରା ବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ ଭଦ୍ରକରେ ଟିପର/ଡମ୍ପର/ଟ୍ରକ୍ ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିଛି। ଫଳରେ ଆଶା କରାଯାଉଛି ଯେ ସେମାନେ କାର୍ଗୋ ପରିଚାଳନାରେ ମାଲ୍ ପରିବହନ କ୍ଷେତ୍ରରେ ନିୟୋଜିତ ହେବେ। ଗତ କିଛିବର୍ଷ ମଧ୍ୟରେ ପରିବହନ କାର୍ଯ୍ୟର ୬୦ ପ୍ରତିଶତରୁ ଅଧିକ ୨ଟି ସ୍ଥାନୀୟ ସଂଘକୁ ବଂଟନ କରାଯାଇଥିବାବେଳେ ଅବଶିଷ୍ଟ ଅଂଶ ଦୁଇଟି ସ୍ଥାନୀୟ ସଂଘକୁ ଦିଆଯାଇଛି। ଯେତେବେଳେକି ବଳକା ଅଂଶ ହାତେଇ ନେଇଥିବା କିଛି ମୁଷ୍ଟିମେୟ ଅନ୍ୟ ସଂଘ ତାହାକୁ ଅକ୍ତିଆର କରିନେଇଛନ୍ତି। ଏହି ଏକପାଖିଆ ବ୍ୟବସ୍ଥା ଜିଲାର ଆଶାୟୀ ଓ ଆକାଂକ୍ଷୀ ଟିପର ମାଲିକଙ୍କ ମଧ୍ୟରେ ଘୋର ନିରାଶ ସୃଷ୍ଟି କରିଛି। ଯାହା ଜଣାଯାଏ ଜିଲା ପ୍ରଶାସନ କିମ୍ବା ବନ୍ଦର ପରିଚାଳନା କର୍ତୃପକ୍ଷଙ୍କ ହସ୍ତକ୍ଷେପ ଅଭାବରୁ କିଛି ସ୍ଥାନୀୟ ଅପରେଟର କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଯେତେବେଳେ ପ୍ରକୃତ ଟିପର ମାଲିକମାନେ ସେମାନଙ୍କ ନ୍ୟାର୍ଯ୍ୟ ଜୀବିକାରୁ ବଂଚିତ ହେଉଛନ୍ତି। ଭଦ୍ରକର ୭ଟି ବ୍ଲକ୍‌ରେ ସ୍ଥାନୀୟ ବାସିନ୍ଦାଙ୍କ ମାଲିକାନାରେ ଥିବା ପ୍ରାୟ ୬ ଶହ ଟିପର ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଧାମନଗର, ଭଣ୍ଡାରିପୋଖରୀ, ଭଦ୍ରକ, ବନ୍ତ, ତିହିଡି ଓ ବାସୁଦେବପୁର ଭଳି ଅଂଚଳର ଅଟେ। ଧାମରା ଏବଂ ତତ୍‌ସଂଲଗ୍ନ ୮ଟି ପଂଚାୟତର ଲୋକଙ୍କ ପାଖରେ କେବଳ ଅଳ୍ପ ସଂଖ୍ୟକ ଯାନବାହନ ରହିଛି। ଏହି ସଂଖ୍ୟାକୁ ଦୃଷ୍ଟିରେ ରଖି ଧାମରା ଭିତିକ ମାଲିକମାନଙ୍କୁ ୭୦ ପ୍ରତିଶ୍ରତରୁ ଉର୍ଦ୍ଧ୍ୱ କାର୍ଯ୍ୟ ନିୟନ୍ତ୍ରଣ କରିବାକୁ ଅନୁମତି ଦିଆଯାଇଛି। ଯାହା ପାତରଅନ୍ତର ନୀତିର ଏକ ଜ୍ୱଳନ୍ତ ଉଦାହରଣ। ଟିପର ଓ ଟ୍ରକ୍ ସମେତ ସବୁଠାରୁ ପୁରୁଣା ପରିବହନ ସଂସ୍ଥା ଭଦ୍ରକ ଜିଲା ଟିପର (ଡମ୍ପର) ମାଲିକ ସଂଘ ସହିତ ଜଡିତ ଲୋକଙ୍କ ମଧ୍ୟରେ ଏହା ବିଶ୍ୱାସ ଘାତକତାର ଏକ ଦୃଢ ଭାବନା ସୃଷ୍ଟି କରିଛି। ପ୍ରତିଯୋଗିତା ମୂଳକ ଆର୍ଥିକ ପରିସ୍ଥିତିରେ ସେମାନଙ୍କର ଜୀବିକା ନିର୍ବାହ ପାଇଁ ପ୍ରକୃତ ଟିପରମାଲିକମାନେ ଧାମରା ବନ୍ଦରରେ ଚାଲୁଥିବା କନସାଇନ୍‌ମେଂଟରେ ସେମାନଙ୍କର ବୈଧ ଅଂଶ ଖୋଜନ୍ତି। ତେଣୁ ଧାମରା ବନ୍ଦରରେ କନସାଇନମେଂଟ ଏବଂ ସୁଯୋଗ ଗୁଡିକର ସଂପୂର୍ଣ୍ଣ ପୁନଃ ବଂଟନ ଓ ବିଭିନ୍ନ ସଂଘ ମଧ୍ୟରେ ଲୋଡିଂ ପରିମାଣର ନ୍ୟାୟ ସଂଙ୍ଗତ ବଂଟନ ସୁନିଶ୍ଚିତ କରିବା ପାଇଁ ଏକ ସ୍ୱାଧୀନ ସଂସ୍ଥା ଗଠନ କରିବାକୁ ଏହି ସଂଘ ଜିଲାପାଳଙ୍କ ନିକଟରେ ଦାବି କରିଛି। ବିଶେଷକରି ଏଭଳି ସମାଧାନ ଜନିତ ପରିସ୍ଥିତିର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଗଲେ ଆଗାମୀ ଦିନରେ ଏକ ବଡ ଧରଣର ପ୍ରତିବାଦର ସ୍ୱର ଉଠିବା ପୂର୍ବରୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲାପାଳ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ହେମନ୍ତ ନାୟକ, ସୌମ୍ୟରଂଜନ ବାରିକ, ରଜତ ପତି, ନନ୍ଦିଘୋଷ ବେହେରା, ଓମ୍‌ପ୍ରକାଶ ନାୟକ, ତାଳଧ୍ୱଜ ବେହେରା, ବଳରାମ ପରିଡା, ଅଶୋକ କୁମାର ବାରିକ, ପ୍ରଫୁଲ୍ଲ ପୃଷ୍ଟି, ସୁନନ୍ଦ ଦାସ, ସାଜନ ସେନାପତି, ଅମ୍ଳାନ ଜ୍ୟୋତି ମହାନ୍ତି, ଲକ୍ଷ୍ମୀକାନ୍ତ ବାରିକ, ରାଜେଶ ଦାସ, ଚନ୍ଦନ ନାୟକ, ହରିତ ଦାସ, ନାରାୟଣ ମିଶ୍ର ପ୍ରମୁଖ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.