Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର(ଆଦାନୀ) ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା, ସମାଧାନ ନହେଲେ ୨୯ ତାରିଖରେ ମାଲବାହୀ ରେଳ...

ଧାମରା ବନ୍ଦର(ଆଦାନୀ) ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା, ସମାଧାନ ନହେଲେ ୨୯ ତାରିଖରେ ମାଲବାହୀ ରେଳ ଚଳାଚଳ ବନ୍ଦ

29

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ବନ୍ଦର କର୍ତୁପକ୍ଷଙ୍କ ମନମାନୀରେ ଭଦ୍ରକ ଜିଲ୍ଲା ଟ୍ରକ ଟିପ୍ପର ସଂଘ କ୍ଷୁବ୍ଧ ହୋଇ ପଡିଛି । ଫଳରେ ଆଗାମୀ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୭ଟି ସଂଘ ନିଷ୍ପତି ମଧ୍ୟ ନେଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବନ୍ଦର କର୍ତୁପକ୍ଷ ସଡକ ପଥରେ କୋଇଲା ଚାଲାଣ କରୁଥିବା ବେଳେ ଗତ ୧୭ ତାରିଖ ଦିନ କିଛି ନିମ୍ନ ମାନର କୋଇଲା ଧାମରା ବନ୍ଦରରୁ ଝାରଖଣ୍ଡର ଛାଲିୟାମା ପ୍ଲାଂଟ ସାଇଟ(ରୁଙ୍ଗଟା ମାଇନ୍ସ) କୁ ଚାଲାଣ କରାଯାଇଥିଲା। ଏହି ସମସ୍ତ ଟ୍ରକ ୧୯ତାରିଖ ଦିନ ଛାଲିୟାମା ପ୍ଲାଂଟ ରେ ପହଂଚିବା ପରେ ରୁଙ୍ଗଟା ମାଇନ୍ସ ଅଧିକାରୀ ୨୭ଟି ଟ୍ରକରେ ନିମ୍ନ ମାନର କୋଇଲା ଆସିଥିବା ଦର୍ଶାଇ ସଂପୃକ୍ତ ଟ୍ରକ ଗୁଡିକୁ ଛାଲିୟାମା ପ୍ଲାଂଟ ଥାନାରେ ସିଜ କରାଇ ଦେଇଥିଲେ। ଏଥିସହ ସଂପୃକ୍ତ ଟ୍ରକ ଚାଳକଙ୍କ ସହ ସେମାନଙ୍କ ମୋବାଇଲ ଏବଂ ଏହି ସମସ୍ତ ଟ୍ରକର ଡକୁମେଂଟ ମଧ୍ୟ ଜବତ କରି ନେଇଥିଲେ । ଏହାକୁ ନେଇ ଧାମରା, କଇଥଖୋଲା, ବାଲିମୁଣ୍ଡା, ବିଦେଇପୁର, ବାସୁଦେବପୁର, ଜାମୁଝାଡି, ଚରମ୍ପା ଏବଂ ଭଦ୍ରକ ଠାରେ ଥିବା ସମସ୍ତ ଟ୍ରକ, ଟିପ୍ପର ସଂଘର କର୍ମକର୍ତା ମାନେ ଏକ ହେବା ସହ ଧାମରା ବନ୍ଦର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଧାମରା ବନ୍ଦର କର୍ତୁପକ୍ଷ କୋଇଲା ଟ୍ରକରେ ଲୋଡିଂ କରୁଥିବା ବେଳେ ସଂପୃକ୍ତ ଟ୍ରକର ଚାଳକ ମାନଙ୍କୁ ସେଠାରେ ଅନୁପସ୍ଥିତ ରହିଥାନ୍ତି ଏଥିସହ କୋଇଲା ଲୋଡ ହେବା ପରେ ବନ୍ଦର କର୍ତୁପକ୍ଷ ସେହି ଗାଡି ଗୁଡିକୁ ସିଲ କରିଥାନ୍ତି। ମାତ୍ର କେଉଁ ପରିସ୍ଥିତିରେ ୨୭ଟି ଟ୍ରକରେ ନିମ୍ନ ମାନର କୋଇଲା ଯଥା (ଆରବି-୨) ଗ୍ରେଡର କୋଇଲା ଲୋଡ କରାଗଲା ଏବଂ ସେହି କୋଇଲାକୁ ରୁଙ୍ଗଟା ମାଇନ୍ସ କର୍ତୁପକ୍ଷ ନିମ୍ନ ମାନର ଦର୍ଶାଇ ୨୭ଟି ଟ୍ରକ ଚାଳକଙ୍କୁ ମାନସିକ ନିଯ୍ୟାତନା ଦେବା ସହ ସେମାନଙ୍କ ବିରୁଦ୍ଧରେ କ୍ରିମିନାଲ କେସ ଫାଇଲ କଲେ ତାହା କୁ ନେଇ ଭଦ୍ରକ ଜିଲ୍ଲାର ସମସ୍ତ ଟ୍ରକ ଟିପ୍ପର ସଂଘ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସମସ୍ତ ସଂଘ ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଭଦ୍ରକ ସାଂସଦ, ଚାନ୍ଦବାଲି ବିଧାୟକ, ବାସୁଦେବପୁର , ଭଦ୍ରକ ବିଧାୟକ ମାନଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ଆଦାନୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ତୁରନ୍ତ ଗିରଫ ହୋଇଥିବା ୨୭ଜଣ ଚାଳକଙ୍କୁ ଯଦି ରୁଙ୍ଗଟା ମାଇନ୍ସ କର୍ତୁପକ୍ଷ ନ ଛାଡନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ କ୍ରିମିନାଲ କେସ ନ ଉଠାନ୍ତି ତାହା ହେଲେ ଭଦ୍ରକ ଜିଲ୍ଲାର ସମସ୍ତ ସଂଘ ଆସନ୍ତା ୨୯ ତାରିଖ ଦିନ ଧାମରା ବନ୍ଦର ରୁ ରେଳପଥରେ ପରିବହନ କରୁଥିବା ସମସ୍ତ ମାଲବାହୀ ରେଳକୁ ଅନିର୍ଦିଷ୍ଟ ସମୟ ପାଇଁ ରୋକିବାକୁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.