ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ବଜାର ଅନତି ଦୂରରେ ଏକ ସଡକ ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ଆଜି ସକାଳ ୧୨ଟା ସମୟରେ ସାବିତ୍ରି ସରାଇ ଗ୍ରାମର ରାକେଶ ଓଝା (୧୪)ଦୋସିଙ୍ଗା ବଜାରରୁ ଟ୍ୟୁସନ ହୋଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଚନ୍ଦନୀପାଳ ରୁ ଜୟ ମା ଦୁର୍ଗା (ଓଡି-୨୨ଜି ୨୪୮୭)ନାମକ ବସ ଟି ଆଦାନୀ କମ୍ପାନୀର ଷ୍ଟାଫ ମାନଙ୍କୁ ନେଇ ଦୋସିଙ୍ଗା ଅଭିମୂଖେ ଯାତ୍ରା କରୁଥିଲା । ପ୍ରଦ୍ୟୁତ ନଗର ନିକଟରେ ବସଟି ରାକେଶ ଉପରକୁ ମାଡି ଯାଇଥିଲା ଏବଂ ଘଟଣା ସ୍ଥଳରେ ରାକେଶର ମୃତ୍ୟୁ ଘଟିଥିଲା । ପରେ ରାକେଶର ପରିବାର ରାକେଶକୁ ନେଇ ଧାମରା ମେଡିକାଲ କୁ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ପରେ ରାକେଶ ର ଶବକୁ ପୋଷ୍ଟ ମର୍ଟମ ପାଇ ଭଦ୍ରକ ମେଡିକାଲକୁ ପଠାଯାଇଥିଲା । ଦୁର୍ଘଟଣା ଘଟାଇ ସଂପୃକ୍ତ ବସର ଚାଳକ ବସକୁ ନେଇ ଧାମରା ଥାନାରେ ଆତ୍ମ ସମର୍ପଣ କରିଥିଲା । ଏହି ଦୁର୍ଘଟଣା ପରେ ରାକେଶର ପରିବାର ଏବଂ ଉତ୍ୟକ୍ତ ଗ୍ରାମବାସୀ ଯାଇ ଧାମରା ଥାନାରେ ପହଂଚିଥିଲେ ଏବଂ ରାକେଶ ର ପରିବାରକୁ ନ୍ୟାୟ ମିଳିବା ସହ ମୃତକଙ୍କ ପରିବାରର ଜଣକୁ ଧାମରା ବନ୍ଦରରେ ନିଯୁକ୍ତି ପାଇଁ ଦାବୀ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଥାନାରେ ଅପେକ୍ଷା କରିଥିବା ଜଣାଯାଇଛି । ଏ ନେଇ ଧାମରା ଥାନାଧିକାରି ୨୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ରାକେଶଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଅଂଚଳବାସୀ ଦାବୀ କରିଥିବା ବେଳେ ଧାମରା ଗ୍ରାମାଚଂଳରେ ଯାତାୟତ କରୁଥିବା ଚାରିଚକିଆ ଗାଡି ଗୁଡିକ ନିଜର ବେଗ ନିୟନ୍ତ୍ରଣ କରିବା ଜରୁରୀ ହୋଇ ପଡିଛି ଏଥିପ୍ରତି ପ୍ରଶାସନ ସଜାଗ ରହିଲେ ଆଗାମୀ ଦିନରେ ଦୁର୍ଘଟଣାକୁ ଏଡାଯାଇ ପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।