ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଅବିଶ୍ରାନ୍ତ ବର୍ଷାରେ ଧାମରା ଅଂଚଳ ବର୍ଷାଜଳରେ ଉବୁଟୁବୁ । ଏହି ବର୍ଷା ରେ ଧାମରା ଅଂଚଳରେ ଏକ ଅଭାବନୀୟ ପରିସ୍ଥିତିରେ ସ୍ୱାମୀ ମାଟି କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ନିଜର ଭାଗ୍ୟ ବଶତଃ ବଂଚି ମୃତ୍ୟୁ ସହ ସଂଘର୍ଷ କରି ଚାଲିଛାନ୍ତି ତାହା ପୁଣି ଭଦ୍ରକ ଜିଲ୍ଲା ମେଡିକାଲରେ । କରଞ୍ଜମାଳ ଫାଣ୍ଡି ଅଧିକାରୀ ବି ଏନ ହେମ୍ବ୍ରମଙ୍କ ଠାରୁ ପ୍ରକାଶ ଆଜିର ଏହି ଅବିଶ୍ରାନ୍ତ ବର୍ଷା ସମୟରେ କରଣପଲ୍ଲୀ ପଂଚାୟତରେ ଏକ ମାଟି(କଚ୍ଚା) ଘରେ ବସବାସ କରୁଥିବା କୁମୁଦ ମଣ୍ଡଳ(୮୧) ଙ୍କ ଘରେ ବର୍ଷା ପାଣି ଜମି ଯାଇଥିଲା । ଏହି ସମୟରେ କୁମୁଦ ଏବଂ ତାଙ୍କ ସ୍ତ୍ରୀ ନିହାରିକା ମଣ୍ଡଳ ନିଜ ଘରେ ଜମି ଥିବା ବର୍ଷା ପାଣିକୁ ଘରୁ ନିଷ୍କାସନ କରୁଥିଲେ । ଏହି ସମୟରେ ସଂପୂର୍ଣ ଓଦା ହୋଇଥିବା ମାଟି କାନ୍ଥ ଭୁସୁଡି ପଡିବାରୁ କାନ୍ଥ ତଳେ ଚାପି ହୋଇଯାଇଥିଲେ । କୁମୁଦଙ୍କ ସ୍ତ୍ରୀ ନିହାରିକାଙ୍କ ଉପରେ ମାଟି କାନ୍ଥ ପଡିଥିବା ବେଳେ ସ୍ୱଭାଗ୍ୟବଶତଃ ତାଙ୍କୁ ପଡୋଶୀ ମାନେ ଦେଖି ଉଦ୍ଧାର କରିବା ସହ କୁମୁଦଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ପ୍ରଥମେ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ର ପରେ ବାସୁଦେବୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ସେଠାରେ ଡାକ୍ତର କୁମୁଦଙ୍କ ର ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ହୋଇଥିବା ନିହାରକାଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ବର୍ତମାନ ନିହାରିକାଙ୍କ ଅବସ୍ଥା ଠିକ ନଥିବା ଜଣାଯାଇଛି ।