ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳକୁ ଆସୁଥିବା ବିଦେଶୀ କଇଁଛ ଅଲିଭ ରିଡଲେଙ୍କ ସଙ୍ଗମ ପର୍ବ ଶେଷ ହୋଇଥିବା ବେଳେ ଚଳିତ ମାସ ଏହି ବିଦେଶାଗତ ଙ୍କର ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଆଶା କରାଯାଉଥିବା ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ବାଧକ ସାଜିଛି ଜଳବାୟୁ ପରିବର୍ତନ। ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡଲେ ଜଳବାୟୁକୁ ଅନେଇ ବସିଛନ୍ତି କେବେ ଅଣ୍ଡାଦାନ ସାରି ନିଜ ଘରକୁ ଫେରିବେ। ବନବିଭାଗ ସୂତ୍ର ଅନୁଯାଇ ୨୦୨୦ ମସିହାରେ ୪ଲକ୍ଷ ୭ହଜାର,୨୦୨୧ରେ ୩ଲକ୍ଷ ୫୦ହଜାର,୨୦୨୨ରେ ୫ଲକ୍ଷ ୧ହଜାର,୨୦୨୩ମସିହାରେ ୫ଲକ୍ଷ୧୨ହଜାର,୨୦୨୪ମସିହାରେ ୩ଲକ୍ଷ ୧୧ହଜାର ଏବଂ ୨୦୨୫ ମସିହାରେ ୬ଲକ୍ଷ ୭ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିବା ପରେ ଶ୍ରୀ ଲଙ୍କା ଉପକୂଳ ଅଂଚଳକୁ ଫେରି ଯାଇଥିଲେ। ମାତ୍ର ଚଳିତ ବର୍ଷ ଏହି ଅଣ୍ଡାଦାନ ପ୍ରକ୍ରିୟାରେ ବାଧକ ସୃଷ୍ଟି ହୋଇଥିବାରୁ ଗଣ ଅଣ୍ଡାଦାନ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ବେଳେ କାଁ ଭାଁ ବିକ୍ଷିପ୍ତ ଅଣ୍ଡାଦାନ ଚାଲିଛି। ବିଭାଗୀୟ ସୂତ୍ର ଅନୁଯାଇ ଧାମରା ଅଂଚଳର ବାବୁବାଲି ,ନାସୀ-୨ ଏବଂ ଏକକୂଳା ନାସୀ ଅଂଚଳରେ ଏହି ଗଣ ଅଣ୍ଡାଦାନ ଆରମ୍ଭ ହୋଇ ଥାଏ। ବାବୁବାଲି ଅଂଚଳ ୧୦୦ହେକ୍ଟର ପରିବ୍ୟାପ୍ତ ହୋଇଥିବା ବେଳେ ନାସୀ-୨ ଦ୍ୱୀପ ୮୦ ହେକ୍ଟର ଏବଂ ଏକକୂଳା ନାସୀ ର ଲମ୍ବ ୧୦କି.ମି ହୋଇଥିବା ବେଳେ ଏହାର ଓସାର ୨କି.ମିରୁ ଅଧିକ। ଏହି ୩ଟି ଦ୍ୱୀପ ସମୁହ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଅଂଚଳ। ମାତ୍ର ଚଳିତ ବର୍ଷ ଗଣ ଅଣ୍ଡାଦାନ ବିପର୍ଯ୍ୟସ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ଏହି ଅଣ୍ଡାଦାନ ଆରମ୍ଭ ହୋଇଯିବ ବୋଲି ବନବିଭାଗ ଆଶାବାଦୀ। ମାତ୍ର ଜଳବାୟୁ ପରିବର୍ତନ ଯୋଗୁ ଏହି ଅଣ୍ଡାଦାନ ପ୍ରକ୍ରିିୟାରେ ବାଧକ ସାଜିଛି। ବିଭାଗୀୟ ଅଧିକାରୀଙ୍କ କହିବାନୁଯାଇ ଏହି ଗଣ ଅଣ୍ଡାଦାନ ପାଇଁ ଦକ୍ଷିଣା ପବନ , ଅଂଚଳର କଳାବାଲି ଯାହାକି ବାଲିତ ତପମାତ୍ରା କୁ ସଠିକ ଭାବେ ଧରି ରଖିବାରେ ସହାୟକ ହୋଇଥାଏ ଏଥିସହ ବାୟୁ ମଣ୍ଡଳର ଆଦ୍ରତା ଏବଂ ତାପମାତ୍ରା ର ଆବଶ୍ୟକତା ଅଛି। ମାତ୍ର ଦକ୍ଷିଣା ପବନର ସ୍ରୋତ ଠିକ ଥିବା ବେଳେ ବାୟୁ ମଣ୍ଡଳର ଆଦ୍ରତା ଏବଂ ତାପମାତ୍ରା ର ସନ୍ତୁଳନ ଠିକ ନାହିଁ । ଅତ୍ୟଧିକ ଆଦ୍ରତା ଏବଂ ତାପମାତ୍ର ସାଙ୍ଗକୁ ଏହି ଦ୍ୱୀପ ର କଳାବାଲି ଯାହାକି ଅଲିଭରିଡଲେଙ୍କ ଅଣ୍ଡାକୁ ଠିକ ଭାବେ ଉଷୁମାଇବା ସହ ଅଣ୍ଡାରୁ ଛୁଆ କରିବାରେ ସହାୟତା ହୋଇଥାଏ। ମାତ୍ର ଚଳିତ ବର୍ଷ ଜଳବାୟୁ ସନ୍ତୁଳିତ ହୋଇ ନଥିବାରୁ ଏହି ଗଣ ଅଣ୍ଡାଦାନ ଆଜି ପର୍ଯ୍ୟନ୍ତ ଆରମ୍ଭ ନ ହୋଇ ବିକ୍ଷିପ୍ତ ଅଣ୍ଢାଦାନ ଚାଲିଛି। ବିଭାଗୀୟ ସୂତ୍ର ଅନୂଯାଇ ଗୋଟିଏ କଇଁଛ ୬୦-୧୦୦ଟି ଅଣ୍ଡା ଦେଇଥାନ୍ତି। ଦ୍ୱୀପ ବାଲିରେ ଗାତ ଖୋଳି ଅଣ୍ଡାଦାନ କରିବା ପରେ ମା କଇଁଛ ମାନେ ଶ୍ରୀ ଲଙ୍କା ଉପକୂଳକୁ ଫେରି ଯାଉଥିବା ବେଳେ ଏହି ଅଣ୍ଡା ଗୁଡିକରୁ ଛୁଆ ହେବା ପାଇଁ ୪୫-୬୦ ଦିନ ସମୟ ଲାଗିଥାଏ। ଏହି ସମୟ ମଧ୍ୟରେ ବନବିଭାଗ ଏହି ଅଂଚଳକୁ ତୀକ୍ଷ୍ନ ଦୃଷ୍ଟି ରଖିବା ସହ ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ମଧ୍ୟକୁ ଜିବା ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ ହୋଇଥାଏ। ନଭେମ୍ବର ମାସରୁ ଏହି ଅଲିଭରିଡଲେଙ୍କ ଏହି ଅଂଚଳକୁ ଆଗମନ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ଏହି ପ୍ରଜନନ ରୂତୁ ଚାଲିଥାଏ।
ପ୍ରତିକ୍ରିୟା-ଏ.ସି.ଏଫ- ସୁମିତ ମହାନ୍ତି- ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭରିଡଲେ କଇଁଛ ଅଣ୍ଡାଦେବାକୁ ଧାମରା ଅଂଚଳକୁ ଆସି ଥିବା ବେଳେ ଜଳବାୟୁ ପରିବର୍ତନ ପାଇଁ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜଳବାୟୁ ପରିବର୍ତନ ରେ କେହି କିଛି କରିପାରିବେ ନାହିଁ ଏହା ପ୍ରକୃତି ଗତ, ତେଣୁ ବାୟୁମଣ୍ଡଳର ଆଦ୍ରତା ଏବଂ ତାପମାତ୍ର କଂଟ୍ରୋଲ ହୋଇଗଲେ ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ଚଳିତ ବର୍ଷ ଅଲିଭରିଡଲେଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।







