Home ଜିଲ୍ଲା ପରିକ୍ରମା ଧାମରାରେ ଜେଟୀ ନିର୍ମାଣକୁ ନେଇ ଯାତାୟତ ବନ୍ଦ, ଅସୁବିଧାରେ ଆର୍ନ୍ତଜିଲ୍ଲା ଜଳପଥ ପରିବହନ

ଧାମରାରେ ଜେଟୀ ନିର୍ମାଣକୁ ନେଇ ଯାତାୟତ ବନ୍ଦ, ଅସୁବିଧାରେ ଆର୍ନ୍ତଜିଲ୍ଲା ଜଳପଥ ପରିବହନ

6

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ପଟରେ ଜେଟୀ ନିର୍ମାଣ ଅନ୍ୟ ପଟରେ ଯାତାୟତ ବନ୍ଦ । ଏହାକୁ ନେଇ ଦୈନିକ ଶହ ଶହ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥିପ୍ରତି ବାଣିଜ୍ୟ ବିଭାଗ ନୀରବଦ୍ରଷ୍ଟା। ପ୍ରାପ୍ତ ଖବରରୁ ଜଣାଯାଇଛି ଭଦ୍ରକ ଜିଲ୍ଲାର କାଳୀନାଳୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ୧୧୬ କୋଟି ଟଙ୍କାର ଜେଟୀ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ଜେଟୀ ନିର୍ମାଣ ହେଉଥିବା ବେଳେ କାଳିନାଳୀ ଠାରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ କୁ ଦୈନିକ ୧୫ରୁ ୨୦ଥର ଯାତାୟତ କରୁଥିବା ଯନ୍ତଚାଳିତ ଡଙ୍ଗା ବନ୍ଦ ହୋଇ ଯାଉଛି । ଫଳରେ କେନ୍ଦ୍ରାପଡା ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆସୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଯାତ୍ରୀ ମାନେ ଆସି ଧାମରାରୁ ବସ ଯୋଗେ କୋଲକାତା,କାନ୍ଥି ,ବାଲେଶ୍ୱର ଆଦି ସ୍ଥାନକୁ ଯାତୟତ କରୁଥିବା ବେଳେ ସେମାନେ ପ୍ରତ୍ୟେହ ଆସି ପାରୁ ନାହାନ୍ତି। ଏହାର ଏକମାତ୍ର କାରଣ ଧାମରା ନିକଟସ୍ଥ କାଳିନାଳୀ ଠାରେ ନିର୍ମାଣଧୀନ ଜେଟୀ। ଏହି ନୂତନ ଜେଟୀ ନିର୍ମାଣ ହେଉଥିବା ବେଳେ ଏଠାରେ ଥିବା ପୁରୁଣା ଜେଟୀରେ ଏହି ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଲାଗିଥାଏ। ଫଳରେ ଏହି ପୁରାତନ ଜେଟୀ ରେ ଏହି ଡଙ୍ଗା ଗୁଡିକରେ ଶହ ଶହ ଯାତ୍ରୀ ଯାତାୟତ କରିଥାନ୍ତି। ନୂତନ ଜେଟୀ ନିର୍ମାଣ ହେଉଥିବା ବେଳେ ଏହି ପୁରାତନ ଜେଟୀ କୁ ନୂତନ ଜେଟୀ ନିର୍ମାଣ କରୁଥିବା ଠିକାଦାର ବ୍ୟବହାର କରୁଛନ୍ତି। ଫଳରେ ଏହି ପୁରାତନ ଜେଟୀ ଉପରେ ବହୁ ସମୟରେ ଠିକାଦାରଙ୍କ ବଡ ବଡ ମେସିନ ଠିଆ ହେଉଥିବା ବେଳେ ଏହି ଜେଟୀ ଉପରେ କାଦୁଅ ଏବଂ ପଙ୍କ ମଧ୍ୟ ଜମା ହୋଇ ଯାଉଛି। ଫଳରେ କାଳିନାଳୀ ଘାଟରେ ଯାତ୍ରୀ ମାନେ ଯିବା ଆସିବା କରି ପାରୁ ନଥିବା ସହ ସେମାନେ ନେଇ ଆସୁଥିବା ମୋଟର ସାଇକେଲ ମଧ୍ୟ ସଂପୃକ୍ତ ଘାଟରେ ପାର ହୋଇ ପାରୁନାହିଁ ବହୁ ସମୟରେ ଏହି ଯାତାୟତ ବନ୍ଦ ହୋଇ ପଡୁଥିବା ବେଳେ ବହୁ ଯାତ୍ରୀ ପଙ୍କ କାଦୁଅରେ ପଶି ଯାତାୟତ କରୁଛନ୍ତି। ଏହି ବାବଦରେ ସଂପୃକ୍ତ ବୋଟ ମାଲିକ ସଂପୃକ୍ତ ଠିକା ସଂସ୍ଥା ଏବଂ ବାଣିଜ୍ୟ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତୁରନ୍ତ କାଳିନାଳୀ ଠାରେ ଥିବା ପୁରୁଣା ଜେଟୀରୁ ସଂପୃକ୍ତ ଠିକାସଂସ୍ଥାର ମେସିନ ହଟାଯିବା ସହ ଏହି ଜେଟୀକୁ ସଫା ରଖିବାକୁ ଦୁଇ ଜିଲ୍ଲାର ବହୁ ଯାତ୍ରୀ ନିବେଦନ କରିଛନ୍ତି । ଯାହାଫଳରେ ଆର୍ନ୍ତଜିଲ୍ଲା ପରିବହନ ସୁରୁଖୁରୁରେ ଚାଲି ପାରିବ। ଏ ହି ବିଷୟରେ ବାଣିଜ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ସହଯୋଗାଯୋଗ କରିବାରୁ ସେ ସଂପୃକ୍ତ ଠିକାଦାରଙ୍କୁ ଏହି ଜେଟୀ ସଫା ରଖିବାକୁ ନିର୍ଦେଶ ଦେଇଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ଆର୍ନ୍ତଜିଲ୍ଲା ଯାତ୍ରୀ ପରିବହନକୁ ବିଭାଗ ଗୁରତ୍ୱ ଦେବ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.