Home Top News ଧାମନଗର ସ୍ଥିର କରିବ କ୍ଷମତା କେନ୍ଦ୍ରର ଭବିଷ୍ୟତ !

ଧାମନଗର ସ୍ଥିର କରିବ କ୍ଷମତା କେନ୍ଦ୍ରର ଭବିଷ୍ୟତ !

40

(ଗ୍ରାଉଣ୍ଡ ଜିରୋରୁ ଧାମନଗର) ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ଧାମନଗର ଉପନିର୍ବାଚନର ମତଦାନ। ସ୍ୱର୍ଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବାରୁ ଜଣା ପଡୁଛି ଏଠାରେ ଲଢେଇ ଜୋରଦାର ହେଉଛି। ବିଗତ ଅନେକ ଉପ ନିର୍ବାଚନରେ ଶାସକ ବିଜେଡ଼ି ଏକ ତରଫା ଭାବରେ ସବୁ ନିର୍ବାଚନରେ ବିଜୟ ଲାଭ କରି ଆସିଛି। ମାତ୍ର ଏଥର ସ୍ଥିତି ସଂପୂର୍ଣ୍ଣ ଅଲଗା।

ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁ ପରେ ଏଠାରୁ ବିଜେପି ତାଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ପାମୂଳକ ଭୋଟ ହାତେଇ ଏହି ଆସନକୁ ପୁନଃ ଦଖଲ କରିବା ପାଇଁ ବିଜେପି ଓ ସୂର୍ଯ୍ୟବଂଶୀ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଦଳର ଅଧିକାଂଶ ସାଂସଦ, ବିଧାୟକ, କର୍ମୀ ସେଠାରେ ଡେରା ପକାଇଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ହରେକୃଷ୍ଣ ସେଠୀ। ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ୋ ପଦଯାତ୍ରା ଓ ରାଜ୍ୟ ତଥା କେନ୍ଦ୍ର ସରକାରର କୁଶାସନ ବିରୁଦ୍ଧରେ ପ୍ରଚାର କରି ଭୋଟ ହାତେଇବା ଲକ୍ଷ୍ୟରେ କଂଗ୍ରେସ। ସମର୍ଥନ ମଧ୍ୟ ଭଲ ମିଳୁଛି। କଂଗ୍ରେସ ଅନ୍ୟ ସବୁ ଉପନିର୍ବାଚନରେ ଅମାନତ ହରାଇବା ଭଳି ସ୍ଥିତି ଏଠାରେ ନାହିଁ।

ଶାସକ ବିଜେଡ଼ି ଏଠାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ଅବନ୍ତି ଦାସ। ସ୍ୱୟଂସହାୟିକା ଗୋଷ୍ଠୀର ଏହି କର୍ମକର୍ତ୍ତା ତଥା ତିହିଡ଼ି ବ୍ଲକ ଚେୟାରମ୍ୟାନଙ୍କୁ ପ୍ରାର୍ଥୀ କରି ଦଳ ମହିଳା କାର୍ଡ ଖେଳିଛି। ମାତ୍ର ବିଜେଡ଼ି ଶିବିରରେ ଏଥର ଗୋଟାଏ ରୋଚକ ଘଟଣା ଘଟିଛି। ବିଜେଡ଼ି ଟିକେଟରୁ ବଂଚିତ ହୋଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଠାରେ ବିରୋଧି ପ୍ରାର୍ଥୀ ଭାବରେ ସ୍ୱାଧିନରୁ ଲଢୁଛନ୍ତି। ଯାହା ଏବେ ବିଜେଡ଼ି ଶିବିରରେ ମୁଣ୍ଡବ୍ୟଥାର କାରଣ ସାଜିଛି। ଯେନତେନ ପ୍ରକାର ଚେଷ୍ଟା କଲେ ମଧ୍ୟ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ନାହିଁ। ତେଣୁ ବିଜେଡ଼ି ଏହି ଆସନରୁ ଜିତିବା ନେଇ ଖୋଦ ଦଳ ଭିତରେ ସନ୍ଦେହ ସୃଷ୍ଟି ହୋଇଛି। ଧାମନଗର ଉପନିର୍ବାଚନ ତାରିଖ ଘୋଷଣା ପରେ ଜଣା ପଡୁଥିଲା ଯେ, ରାଜେନ୍ଦ୍ର ଦାସ ବିଜେଡ଼ି ପ୍ରାର୍ଥୀ ହେବେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ ଓ ବିଜେପିର ବିଷ୍ଣୁ ସେଠୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ରାଜୁ ଦାସ ତଥା ତାଙ୍କ ସମର୍ଥକଙ୍କ କହିବା କଥା ତାଙ୍କୁ ଟିକଟ ମିଳିବ ବୋଲି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦଳ ତରଫରୁ ଆଶ୍ୱାସନା ଦିଆଯାଇଥିଲା। ମାତ୍ର ବିଜେଡ଼ିର କିଛି କୁଚକ୍ରୀ ଗୋଷ୍ଠିଙ୍କ ଦ୍ୱାରା ସେ ପ୍ରତାରିତ ହେଲେ। ଟିକଟ ଘୋଷଣା ଦିନ ତାଙ୍କୁ ଦଳ ତରଫରୁ ଭୁବନେଶ୍ୱରକୁ ଡକାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାର ସମସ୍ତ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ଅବନ୍ତି ଦାସଙ୍କ ନାମ ଘୋଷଣା କରାଗଲା। ଏହା ତାଙ୍କ ପ୍ରତି ପଛରୁ ଏକ ପ୍ରକାର ଛୁରାଘାତ ବୋଲି ତାଙ୍କ ସମର୍ଥକମାନେ ଅନୁଭବ କଲେ। ଏହି ଘଟଣା ଏବେ ସାରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସାଧାରଣ ଭୋଟର ମଧ୍ୟ ଏହି ଆଲୋଚନା କରୁଛି ଯେ, ରାଜୁ ଦାସଙ୍କୁ ପଛରୁ ଧୋକା ଦେଲା ଦଳ। ଏହି ଘଟଣା ବିଜେଡ଼ି ଶିବିରରେ ଆଶଙ୍କା ସୃଷ୍ଟି କରିଛି। ତେଣୁ ସରକାରର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ତଥା ତଳସ୍ତରର ନେତା ଏବେ ଧାମନଗରରେ ଡେରା ପକାଇଛନ୍ତି। ଦଳର ରଣନୀତିର ନେତୃତ୍ୱ ନେଉଛନ୍ତି ଯାଜପୁର ବିଧାୟକ ତଥା ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଦୀର୍ଘ୨୨ ବର୍ଷଧରି ଓଡ଼ିଶାର ଶାସନ ଗାଦିରେ ବସିଛି ବିଜେଡ଼ି। ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ୨୨ ବର୍ଷ ଧରି ଶାସନ କରୁଛନ୍ତି। ବିଜେଡ଼ି ସୁପ୍ରିମୋ ପରାଜୟକୁ କେବେ ମଧ୍ୟ ବରଦାସ୍ତ କରିପାରନ୍ତି ନାହିଁ। ଏକଥା ସତ୍ୟ ଯେ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦେଖି ଓଡ଼ିଶାବାସୀ ବିଜେଡ଼ିକୁ ଭୋଟ ଦିଅନ୍ତି। ମାତ୍ର ଧାମନଗର ପରିସ୍ଥିତି ଏଥର ସଂପୂର୍ଣ୍ଣ ଅଲଗା। ଗତ ବର୍ଷ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି ହାତରୁ ଆସନ ଛଡେଇ ଆଣିବାରେ ସକ୍ଷମ ହୋଇଥିଲା ବିଜେଡ଼ି। ସେହି ପରମ୍ପରାକୁ ବଜାୟ ରଖିବାକୁ ଏକପ୍ରକାର ଦୃଢ ନିଶ୍ଚିତ ଥିଲା ଦଳ। ମାତ୍ର ରାଜୁ ଦାସଙ୍କ ବିଦ୍ରୋହ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଦୀର୍ଘ୨୨ ବର୍ଷଧରି କୌଣସି ଦଳୀୟ ନେତା ଦଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ନଥିଲେ ଏକ ଶୃଙ୍ଖଳିତ ଦଳ ଭାବରେ ବିଜେଡ଼ି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲା। ବିଜେଡ଼ିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ମାତ୍ରାଧିକ। ମାତ୍ର କଳେବଳେ କୌଶଳେ ସମସ୍ତ ଅସନ୍ତୁଷ୍ଟଙ୍କ ସ୍ୱରକୁ ଚାପି ଦିଆଯାଉଥିଲା। ଧାମନଗର ଭୋଟର ଏବେ ଦ୍ୱିଧାର। ନବୀନ ବାବୁଙ୍କୁ ଭୋଟ ଦେବେ ନା ରାଜେନ୍ଦ୍ର ଦାସଙ୍କୁ ଧୋକା ଦେଇଥିବା ବିଜେଡ଼ିର କୁଚକ୍ରୀ ଗୋଷ୍ଠୀଙ୍କୁ ପାନେ ଦେବେ।

ଅନ୍ୟ ପକ୍ଷରେ ସୁପ୍ରିମୋଙ୍କ ଖଣ୍ଡା ଚୋଟକୁ ମଧ୍ୟ ଭୟ। ଯଦି କିଛିଟା ବି ଗୋଳମାଳ ହୁଏ ଏବଂ ବିଜେଡ଼ି ପରାଜୟର ସ୍ୱାଦ ଚାଖେ ତେବେ ବିଜେଡ଼ିର ତଥାକଥିତ କ୍ଷମତ୍ରା କେନ୍ଦ୍ରର ଅବସ୍ଥା କଣ ହେବ ତାହା ସହଜରେ ଅନୁମାନ କରି ହେଉଛି। ଯଦି ରାଜେନ୍ଦ୍ର ଦାସ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତୁଛନ୍ତି ତେବେ ବିଜେଡ଼ିରେ ଅନ୍ୟ ଅସନ୍ତୁଷ୍ଟଙ୍କ ପାଇଁ ବିଦ୍ରୋହର ବାଟ ଖୋଲି ଯିବ। ତେଣୁ ଧାମନଗର ହିଁ ନିର୍ଣ୍ଣୟ କରିବ ବିଜେଡ଼ିର କ୍ଷମତା କେନ୍ଦ୍ରର ଭବିଷ୍ୟତ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.