ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ମଣ୍ଡଳ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଆଜି ବ୍ଲକ ନିକଟସ୍ଥ ତାଳପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷରେ ବିଦ୍ୟାଳୟକୁ ଆସୁଥିବା କୋମଳମତି ଶିଶୁମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଶିକ୍ଷାରମ୍ଭ ନିମନ୍ତେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ପଲ୍ଲୀଭାରତୀ ମହାଳିକ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଏବିଇଓ ଭୀମସେନ ହୋ ଏବଂ ସତ୍ୟ ସୁନ୍ଦର ପରିଡ଼ା, ସାଂସଦ ପ୍ରତିନିଧି ମନୋଜ ମଲିକ, ଏ ବି ଡି ଓ ଶର୍ମିଷ୍ଠା ମଲିକ ଙ୍କ ସମେତ ବିଭିନ୍ନ କ୍ଲଷ୍ଟରର ସିଆରସିସିମାନେ ଉପସ୍ଥିତ ଥିଲେ।ଉତ୍ସବରେ ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରି ବିଇଓ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ, “ପ୍ରବେଶ ଉତ୍ସବ କେବଳ ଏକ ପରମ୍ପରା ନୁହେଁ, ବରଂ ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ। ଶିକ୍ଷା ହେଉଛି ସମାଜ ଗଠନର ମୂଳଦୁଆ। ପ୍ରତିଟି ଶିଶୁ କିଭଳି ବିଦ୍ୟାଳୟକୁ ଆସିବେ ଏବଂ ଗୁଣାତ୍ମକ ଶିକ୍ଷା ପାଇବେ, ସେଥିପ୍ରତି ଆମେ ସଂକଳ୍ପବଦ୍ଧ। ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଶିକ୍ଷକମାନଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ।”କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ଖାତା, କଲମ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଅତିଥିମାନେ କୁନି କୁନି ପିଲାଙ୍କ ହାତରେ ଖଡ଼ି ଧରାଇ ସେମାନଙ୍କର ଶିକ୍ଷାରମ୍ଭ କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ଅଭିଭାବକ ଓ ଶିକ୍ଷାବିତ୍ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପରେ ଏକ ସଚେତନ ରଥକୁ ଶୁଭାରମ୍ଭ କରାଯାଇଥିଲା।








